• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାବୁଲ ବିମାନବନ୍ଦରକୁ ଅକ୍ତିଆରକୁ ନେଲେ ତାଲିବାନୀ କମାଣ୍ଡୋ । କାବୁଲର ହମିଦ କାରଜାଇ ଏୟାରପୋର୍ଟ ଉପରେ ତାଲିବାନୀ ସେନା କବଜା କରିଛି । ଏୟାରପୋର୍ଟ ଭିତରେ ଅସ୍ତ୍ରଶସ୍ତ୍ର ସହ ରହିଛନ୍ତି ଶହ ଶହ ସଂଖ୍ୟାରେ କମାଣ୍ଡୋ । ବିମାନ ବନ୍ଦର ଭିତରେ ଆମେରିକା ସେନାର ଅନେକ ବିମାନ ରହିଛି । ସେଥିମଧ୍ୟରେ ୟୁଏସ୍ ଆର୍ମିର ଚିନୁକ ହେଲିକପ୍ଟର ମଧ୍ୟ ରହିଛି । କିଛି ଭିଡିଓରେ ବିରାଟକାୟ ବିମାନ ମଧ୍ୟ ରହିଛି । 

ବିମାନ ବନ୍ଦରକୁ କବଜାକୁ ନେବା ପରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିଛି ଭିଡିଓରେ ତାଲିବାନୀ ସେନା ମୁଖ୍ୟ କମାଣ୍ଡୋଙ୍କୁ ସମ୍ବୋଧିତ ମଧ୍ୟ କରୁଛନ୍ତି । ନିଜର କମାଣ୍ଡୋଙ୍କୁ ସମ୍ବୋଧିତ କରିବା ସହ ସେଠାରେ ଥିବା ଗଣମାଧ୍ୟମ ଆଗରେ ମଧ୍ୟ ପ୍ରତିକ୍ରିୟା ରଖୁଛନ୍ତି ତାଲିବାନୀ ସେନା କର୍ତ୍ତପକ୍ଷ । ଆମେରିକା ସେନା ବିମାବନ୍ଦରକୁ ଛାଡିବା ପରେ ଏହାକୁ ନିଜ ନିୟନ୍ତ୍ରଣକୁ ନେଇଛି ତାଲିବାନୀ ସେନା ।

ଆମେରିକା ସେନା କାବୁଲ ଏୟାରପୋର୍ଟରୁ ଯିବା ପରେ ତାଲିବାନ ସଦସ୍ୟ ଏହାକୁ ଦଖଲ କରିଛନ୍ତି । କାବୁଲ ଏୟାରପୋର୍ଟରୁ ନିଜର ବିଜୟ ଘୋଷଣା କରି ତାଲିବାନ ପୂରା ବିଶ୍ୱକୁ ଖୋଲା ଚ୍ୟାଲେଞ୍ଜ ଦେଇଛି । ଏହି ବିଜୟର ଶ୍ରେୟ ସବୁ ଆଫଗାନୀଙ୍କର ବୋଲି ତାଲିବାନ କହିଛି । ନିଜର ବିଜୟ ଉତ୍ସବକୁ ପାଳନ କରିବା ପାଇଁ ତାଲିବାନର ଅନେକ ବରିଷ୍ଠ ନେତା କାବୁଲ ଏୟାରପୋର୍ଟର ରନୱେରେ ଚାଲିଚାଲି ବୁଲିଥିଲେ । ଏହି ସମୟରେ ସେମାନେ ଫଟୋ ବି ଉଠାଇଥିଲେ ।

ତାଲିବାନ ନେତାମାନେ ଏୟାରପୋର୍ଟରେ ବୁଲୁଥିବା ବେଳେ ସଂଗଠନର ତଥାକଥିତ ସ୍ପେଶାଲ ଫୋର୍ସ କମାଣ୍ଡୋମାନେ ସେନା ପୋଷାକରେ ବନ୍ଧୁକ ଧରି ସୁରକ୍ଷା ଯୋଗାଇ ଦେଇଥିଲେ । ଏୟାରପୋର୍ଟରେ ଉପସ୍ଥିତ ଥିବା ତାଲିବାନ ମୁଖପାତ୍ର କହିଛନ୍ତି, ଏହି ବିଜୟର ଶ୍ରେୟ ଆମ ସମସ୍ତଙ୍କର । ଆମେ ଏବେ ବିଶ୍ୱର ସବୁ ରାଷ୍ଟ୍ରଗୁଡ଼ିକ ସହ ଭଲ କୂଟନୀତିକ ସମ୍ପର୍କ ସ୍ଥାପନ କରିବାକୁ ଚାହିଁବୁ । ଆମେ ଖୁବଶୀଘ୍ର ସରକାର ଗଠନ କରିବୁ । ସମସ୍ତଙ୍କୁ ସବୁ ପ୍ରକାରର ସୁରକ୍ଷା ମିଳିବ ।

ସେପଟେ ବର୍ତ୍ତମାନ କାବୁଲ ବିମାନବନ୍ଦରରେ ରହିଯାଇଥିବା ଅସ୍ତ୍ରଶସ୍ତ୍ର ଏବଂ ବିମାନ ଗୁଡିକୁ ଅକାମି କରି ଦେଇଛି ଆମେରିକା । ୟୁଏସ୍ ଆର୍ମି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆମେରିକା ସେନା ଛାଡିବା ପରେ ଏହି ବିମାନବନ୍ଦରକୁ ସଚଳ କରିବାକୁ କତାର ଏବଂ ତୁର୍କୀ ସରକାରଙ୍କ ସହ ଆଲୋଚନା କରିଛନ୍ତି ତାଲିବାନୀ କର୍ତ୍ତୃପକ୍ଷ । ସେପଟେ ବିମାନବନ୍ଦରକୁ ସଠିକ ପରିଚାଳନା ସପକ୍ଷରେ ମତ ରଖିଛନ୍ତି ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ।

ଦୀର୍ଘ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନ ମାଟି ଛାଡ଼ିଛି ଯୁକ୍ତରାଷ୍ଟ୍ର ଆମେରିକା । ଗତକାଲି ବିଳମ୍ବିତ ରାତିରେ ଆମେରିକାର ଶେଷ ୩ ଯୁଦ୍ଧ ବିମାନ ଆଫଗାନିସ୍ତାନରୁ ଉଡ଼ାଣ ଭରିବା ସହ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ । ଆମେରିକାର ଶେଷ ତିନି ବିମାନ ସି-୧୭ ଗତକାଲି ବିଳମ୍ବିତ ରାତିରେ କାବୁଲ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା । ଏହା ସହ ଆଫଗାନିସ୍ତାନ ମାଟିରେ ଆମେରିକା ଦୀର୍ଘ ୧୯ ବର୍ଷ ୧୦ ମାସ ଏବଂ ୨୫ ଦିନ ଧରି ଆତଙ୍କବାଦୀ ସହ ଲଢ଼େଇର ଅନ୍ତ ଘଟିଛି ।