• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଢ଼ାକା : ବାଙ୍ଗଲାଦେଶରେ ସାମ୍ପ୍ରଦାୟିକ ହିଂସା ବଢ଼ି ବଢ଼ି ଚାଲିଛି । ଦିନକୁ ଦିନ ଅସ୍ଥିର ହେଉଛି ଦେଶ । ହିନ୍ଦୁଙ୍କ ଅନ୍ୟତମ ମୁଖ୍ୟ ପର୍ବ ଦୁର୍ଗାପୂଜାରେ ତଥା ୧୩ ଅକ୍ଟୋବରରେ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉନି । ବାଙ୍ଗଲାଦେଶ କୋମିଲା ଠାରେ ଦୁର୍ଗାପୂଜା ପଣ୍ଡାଲଙ୍କ ଉପରେ ଆକ୍ରମଣ ପରେ ରବିବାର ଦିନ ରଙ୍ଗପୁରର ପରଗଞ୍ଜରେ ଥିବା ହିନ୍ଦୁଙ୍କ ଘରେ ନିଆଁ ଲଗାଇ ଦିଆଯାଇଛି । କିଛି ଉଗ୍ରବାଦୀ ହିନ୍ଦୁଙ୍କର ୨୦ଟି ଘର ପୋଡି ଦେଇଥିବା ସୂଚନା ମିଳିଛି । କିନ୍ତୁ ସ୍ଥାନୀୟ ସଂଗଠନର ସଭାପତିଙ୍କ ଅନୁଯାସାରେ ୬୫ଟି ଘରେ ନିଆଁ ଲଗାଇ ଦେଇଛନ୍ତି ଉଗ୍ରବାଦୀ ।

ସୋସିଆଲ ମିଡିଆ ପୋଷ୍ଟ ସହିତ ଏହି ମାମଲା ଜଡିତ ବୋଲି ପୋଲିସ୍ କହିଛନ୍ତି । ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଫେସବୁକରେ ଆପତ୍ତିଜନକ ପୋଷ୍ଟ ପରେ ହିଁ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଘର ତଥା ପରିବାରକୁ ଜଗିଥିଲା । ହେଲେ ଉଗ୍ରବାଦୀମାନେ ନିକଟସ୍ଥ ଘରେ ଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଉପଦ୍ରବୀମାନେ ଜମାତ-ଇ-ଇସଲାମୀର ସ୍ଥାନୀୟ ୟୁନିଟ୍ ଏବଂ ଇସଲାମିକ୍ ଛାତ୍ର ଶିବିରର ଥିଲେ ବୋଲି କହିଛନ୍ତି ଢ଼ାକା ଟ୍ରିବ୍ୟୁନର ସଭାପତି ମହମ୍ମଦ ସାଦକୁଲ ।

ସୋସିଆଲ ମିଡିଆରେ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଗୁଡ଼ିକ ପରଗଞ୍ଜରେ ହିନ୍ଦୁଙ୍କ ଘର ପୋଡ଼ିବାର ଦୃଶ୍ୟ ବୋଲି ଦାବି କରାଯାଉଛି । ଭିଡିଓରେ ଗାଁର ଘର ଜଳୁଥିବା ଦେଖିବାକୁ ମିଳିଛି ଏବଂ ଆକ୍ରମଣକାରୀଙ୍କ ସହ ପୋଲିସ ସଂଘର୍ଷ କରୁଛି । ତେବେ ଅଗ୍ନିକାଣ୍ଡ ପରେ ତୁରନ୍ତ ପୋଲିସ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ସଂଘର୍ଷ ତଥା ଗୁଳି ବିନିମୟ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଢ଼ାକା ଟ୍ରିବ୍ୟୁନ୍ ଏହି ଭିଡିଓ ଗୁଡିକର ସତ୍ୟତା ସ୍ପଷ୍ଟ କରିନାହିଁ ।

ସୂଚନାଯୋଗ୍ୟ କୋମିଲାରେ ଦୁର୍ଗାପୂଜା ପଣ୍ଡାଲରେ ଆକ୍ରମଣ ଯୋଗୁଁ ୧୨ ଜଣରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ମୂର୍ତ୍ତି ବସର୍ଜନ ସହ ୧୦ ଦିନିଆ ପର୍ବ ମଧ୍ୟ ସମାପ୍ତ ହୋଇସାରିଛି । ତଥାପି ଉତ୍ତେଜନା ଥମିନି । ଅପ୍ରୀତିକର ଘଟଣା ଆଶଙ୍କା କରି ପୂର୍ବରୁ ଦୁର୍ଗାପୂଜା ପଣ୍ଡାଲର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଥିଲା ପୋଲିସ୍ । ଏହାସହ ବାଙ୍ଗଲାଦେଶ ସେନାଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଇ ଦିଆଯାଇଥିଲା ।

ସାମ୍ପ୍ରଦାୟିକ ହିଂସାରେ ଚାନ୍ଦପୁରର ହାଜିଗଞ୍ଜରେ ପୂଜାସ୍ଥଳରେ ଆକ୍ରମଣ ଯୋଗୁଁ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଶୁକ୍ରବାର ଦିନ ନୋଆଖାଲିର ହିନ୍ଦୁ ମନ୍ଦିରରେ ଆକ୍ରମଣ କରିବା ଫଳରେ ଦୁଇ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ । ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ସମସ୍ତେ, ଏହି ଆକ୍ରମଣକୁ ତୀବ୍ର ସମାଲୋଚନା ରିବା ସହ ଦେଶକୁ ଅସ୍ଥିର କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ସେମାନେ କହିଛନ୍ତି।