Advertisment

ସରକାର କରିବା ପୂର୍ବରୁ ନିଜର ପ୍ରକୃତ ଛବି ଦେଖାଉଛି କି ତାଲିବାନ?

ଆଫଗାନିସ୍ତାନର ଅଖଣ୍ଡ କ୍ଷମତା ହାସଲ ସହ ବର୍ବର ଆଚରଣ ବି ଜାରି ରଖିଛି ତାଲିବାନ୍ । ରାଜଧାନୀ କାବୁଲ୍ ସମେତ ଦେଶର ବିଭିନ୍ନ ସ୍ଥାନରେ ଉଠୁଥିବା ମହିଳାଙ୍କ ପ୍ରତିବାଦର ସ୍ୱରକୁ ପାଦତଳେ ମକଚି ଦେବାକୁ ବଳ ପ୍ରୟୋଗ କରିବାକୁ ପଛାଇନି ଏହି ସଂଗଠନ

author-image
Sarbeswar
undefined

Taliban

କାବୁଲ୍‌: ଆଫଗାନିସ୍ତାନର ଅଖଣ୍ଡ କ୍ଷମତା ହାସଲ ସହ ବର୍ବର ଆଚରଣ ବି ଜାରି ରଖିଛି ତାଲିବାନ୍ । ରାଜଧାନୀ କାବୁଲ୍ ସମେତ ଦେଶର ବିଭିନ୍ନ ସ୍ଥାନରେ ଉଠୁଥିବା ମହିଳାଙ୍କ ପ୍ରତିବାଦର ସ୍ୱରକୁ ପାଦତଳେ ମକଚି ଦେବାକୁ ବଳ ପ୍ରୟୋଗ କରିବାକୁ ପଛାଇନି ଏହି ସଂଗଠନ । ତେବେ କ୍ରୁରତାର ସୀମା ଟପିଛି ଘୋର୍ ପ୍ରଦେଶରେ । ଯେଉଁଠି ଜଣେ ଗର୍ଭବତୀ ମହିଳା ପୋଲିସ ଅଧିକାରୀଙ୍କୁ ତାଙ୍କ ପରିବାର ଆଖି ସାମ୍ନାରେ ନିର୍ମମ ହତ୍ୟା କରାଯାଇଛି।

Advertisment

ପୁଣି ବର୍ବରତାର ସୀମା ଟପିଲା ତାଲିବାନ୍ । ଆଫଗାନିସ୍ତାନରେ ନୂଆ ସରକାର ଘୋଷଣା କରିବାକୁ ଯାଉଥିବା ଏହି ସଂଗଠନ, ମହିଳାଙ୍କ ପ୍ରତି ଯେ କେତେ କ୍ରୁର, କେତେ ସମ୍ବେଦନହୀନ, ତାର ନଗ୍ନ ନମୁନା ଦେଖିବାକୁ ମିଳିଛି ଘୋର୍ ପ୍ରୋଭିନ୍ସରେ । ଫିରଜ ସହରର ଜଣେ ଗର୍ଭବତୀ ମହିଳାଙ୍କୁ ନିଜ ପରିବାର ସାମ୍ନାରେ ଗୁଳି କରି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି ତାଲିବାନୀ । ତାଙ୍କ ନାଁ ନିଗାରା ଏବଂ ସେ ଜଣେ ପୋଲିସ ଅଧିକାରୀ ଥିଲେ । ତାଲିବାନୀ ମାନେ ଘରେ ପଶି ତାଙ୍କ ହାତ ବାନ୍ଧି ସ୍ୱାମୀ ଓ ପିଲାମାନଙ୍କ ଆଖି ଆଗରେ ମୁଣ୍ଡକୁ ଗୁଳି କରିଥିଲେ । ତାଲିବାନୀ ବର୍ବରତାର ଶିକାର ହୋଇ ଆଖି ବୁଜିଦେଇଥିଲେ ନିଗାରା ଓ ତାଙ୍କ ଗର୍ଭରେ ବଢ଼ୁଥିବା ଶିଶୁ । ୬ ମାସର ଗର୍ଭବତୀ ଥିଲେ ମହିଳା ପୋଲିସ ଅଧିକାରୀ ନିଗାରା ।

Advertisment

କେବଳ ଏତିକି ନୁହେଁ, ତାଙ୍କୁ ହତ୍ୟା କରିବା ପରେ ଛୁରି ଓ ସ୍କ୍ରୁ ଡ୍ରାଇଭରରେ ତାଙ୍କ ମୁହଁକୁ ଅତି ନିର୍ମମ ଭାବେ ବିକୃତ କରିଥିବା କୁହାଯାଉଛି । ତେବେ ହାସ୍ୟାପଦ କଥା ହେଉଛି, ତାଲିବାନୀ ମାନେ ରାତିରେ ଏଭଳି ବର୍ବର କାଣ୍ଡ ଘଟାଇ ସେଠାରୁ ପଳାଇ ଯିବା ପରେ, ସକାଳୁ ସ୍ଥାନୀୟ ତାଲିବାନ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଗତ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ଏବଂ ଏହାର ତଦନ୍ତ କରାଯିବ ବୋଲି କୁହାଯାଇଛି । ଆମେରିକୀୟ ସେନାକୁ ସହଯୋଗ କରିଥିବା ଏବଂ ତାଲିବାନ ବିରୋଧରେ ସ୍ୱର ଉଠାଉଥିବା କର୍ମଜୀବୀ ମହିଳାଙ୍କୁ ଦଣ୍ଡ ଦେବା ପାଇଁ ତାଲିବାନ ଘରକୁ ଘର ବୁଲି ଖୋଜୁଥିବା ଚର୍ଚ୍ଚା ହେଉଛି।

କେବଳ ଏହି ଘଟଣା ନୁହେଁ, ସୁରକ୍ଷା ଓ ବିଭିନ୍ନ ଅଧିକାରର ଦାବି ନେଇ ଆନ୍ଦୋଳନ କରୁଥିବା ମହିଳାଙ୍କ ଉପରେ ବି ବଳ ପ୍ରୟୋଗ କରୁଛି ତାଲିବାନ । ଗତ କିଛି ଦିନ ଧରି ହେରାତ୍ ଓ କାବୁଲ ସମେତ ଆଫଗାନିସ୍ତାନର ବିଭିନ୍ ଅଞ୍ଚଳରେ ମହିଳାଙ୍କ ବିକ୍ଷୋଭ ଦେଖିବାକୁ ମିଳୁଥିଲା । ଶିକ୍ଷା, ଚାକିରି ଓ ସରକାରର ସାମିଲ ହେବାର ଅଧିକାର ଦାବିରେ ସେମାନେ ରାସ୍ତାକୁ ଓହ୍ଲାଇଥିଲେ । ତେବେ ତାଲିବାନର ସ୍ପେଶାଲ୍ ଫୋର୍ସ ପକ୍ଷରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ମାଡ଼ ମରାଯିବା ସହ ଟିଅର୍ ଗ୍ୟାସ୍ ଛଡ଼ାଯାଇଥିବା ଅଭିଯୋଗ ହୋଇଥିଲା । କିଛି ଆହତ ମହିଳାଙ୍କ ଚିତ୍ର ବି ଆଫଗାନୀ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା । ତେଣୁ ତାଲିବାନ ସରକାରରେ ମହିଳାଙ୍କ ସ୍ଥିତି ଯେ ଆଗକୁ କଣ ହେବାକୁ ଯାଉଛି, ତାହା ଏବେଠାରୁ ସ୍ପଷ୍ଟ।

୨୦ ବର୍ଷ ତଳେ ସରିଆ ନିୟମ ଆଧାରରେ ଅତି ରକ୍ଷଣଶୀଳ ତାଲିବାନୀ ଶାସନକୁ ଭୋଗି ସାରିଛନ୍ତି ଆଫଗାନୀ ମହିଳା । ସେତେବେଳେ ପାଠ ପଢିବାକୁ, ଚାକିରି କରିବାକୁ, ଏକୁଟିଆ ଘରୁ ବାହାରିବାକୁ, ହିଲ୍ ପିନ୍ଧିବାକୁ, ବାଲକୋନିକୁ ବାହାରିବାକୁ, ଫଟୋ ଉଠାଇବାକୁ ଦିଆଯାଉନଥିଲା । ପୁରା ଶରୀରରୁ ବୁର୍ଖାରେ ଢାଙ୍କିବାକୁ ପଡୁଥିଲା । ନଚେତ୍ ଚାବୁକ୍ ମାଡ଼, ପଥର ମାଡ଼ ଓ ମୃତ୍ୟୁଦଣ୍ଡ ସହିବାକୁ ପଡ଼ୁଥିଲା । ତେବେ ୨୦ ବର୍ଷ ପରେ ପୁଣି ଆଫଗାନିସ୍ତାନରେ ସରକାର ଗଢ଼ିବାକୁ ଯାଉଥିବା ତାଲିବାନ ମହିଳାଙ୍କୁ ପାଠ ପଢ଼ିବାର ଓ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଚାକିରି କରିବାର ଅଧିକାରୀ ଦେଇଛି । ହେଲେ କୋ-ଏଡ୍ ବା ପୁଅ-ଝିଅଙ୍କୁ ଏକାଠି ପଢିବା ନିଷିଦ୍ଧ କରାଯାଇଛି । ତେବେ କିଛି କ୍ଷେତ୍ରରେ କ୍ଲାସରୁମ୍‌ରେ ପରଦା ଟାଙ୍ଗି ପୁଅ-ଝିଅଙ୍କୁ ଅଲଗା ବସିବା ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଛାତ୍ରୀମାନଙ୍କୁ କେବଳ ମହିଳାମାନେ ଏବଂ ଅତି ଆବଶ୍ୟକ ସ୍ଥଳେ ଉତ୍ତମ ଚରିତ୍ର ଥିବା ବୟୋବୃଦ୍ଧ ଶିକ୍ଷକମାନେ ପାଠ ପଢ଼ାଇବେ । କଲେଜ ଯାଉଥିବା ଯୁବତୀଙ୍କୁ କେବଳ ଆଖିକୁ ଛାଡ଼ି ପୁରା ମୁହଁ ଘୋଡ଼ାଉଥିବା ନିକାବ୍ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ର ଓ ଛାତ୍ରୀମାନେ ସ୍କୁଲ ସରିବା ପରେ ଯେପରି ପରସ୍ପରକୁ ଭେଟି ନପାରନ୍ତି, ସେଥିପାଇଁ ଛାତ୍ରଙ୍କ ଲେସନ୍ ପିରିୟଡ୍ ସରିବା ୫ ମିନିଟ୍ ପୂର୍ବରୁ ଛାତ୍ରୀଙ୍କ ଶେଷ ହେବ ବୋଲି ନିର୍ଦ୍ଦେଶ ରହିଛି । ଏଥିସହ ତାଲିବାନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ମହିଳାମାନେ ଇସ୍ଲାମ କାର୍ଯ୍ୟଧାରା ଭିତରେ ରହି ସରକାରୀ କାର୍ଯ୍ୟାଳୟରେ ଚାକିରି କରିପାରିବେ, କିନ୍ତୁ ସେମାନଙ୍କୁ କ୍ୟାବିନେଟ୍‌ରେ କିମ୍ବା କୌଣସି ଉଚ୍ଚ ପଦପଦବୀରେ ସ୍ଥାନ ମିଳିବନାହିଁ।

Taliban Taliban Attack Afghanistan
Advertisment
Advertisment