• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଚର୍ଚ୍ଚାରେ ୟୁଟ୍ୟୁବ୍‌ ଗାଁ

  • ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି ୟୁଟ୍ୟୁବ ଭିଲେଜ୍‌

ନୂଆଦିଲ୍ଲୀ: ଆପଣ ୟୁଟ୍ୟୁବ ନାଁ ଶୁଣିଥିବେ । ହେଲେ ୟୁଟ୍ୟୁବ ଗାଁ ନାଁ କେବେ ହେଲେ ଶୁଣି ନଥିବେ । ଏବେ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି ୟୁଟ୍ୟୁବ ଭିଲେଜ୍‌ । ଇଣ୍ଡୋନେସିଆର ଏକ ଛୋଟିଆ ଗାଁ କାସେଗେରାନ ଏବେ ପାଲଟି ଯାଇଛି ୟୁଟ୍ୟୁବ ଭିଲେଜ୍‌ । ୟୁଟ୍ୟୁବ ଭିଲେଜ ନାଁରେ ପରିଚିତ କାସେଗେରାନ ଗାଁର ଅଧିକାଂଶ ଲୋକ ନିଜର ପେସାକୁ ନେଇ ଜଣେ ଜଣେ ୟୁଟ୍ୟୁବର ପାଲଟି ଯାଇଛନ୍ତି । ଧିରେ ଧିରେ ଗାଁରେ ନୂଆ ନୂଆ ୟୁଟ୍ୟୁବ ତାରକା ମୁଣ୍ଡ ଟେକୁଛନ୍ତି । ଏମିତିକି କାସେଗେରାନ ଗାଁର ପିଲାଠାରୁ ବୁଢା ସମସ୍ତେ ୟୁଟ୍ୟୁବ ଆଡକୁ ମୁହାଁଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଲୋକଙ୍କ ମାନସିକତା ଏଭଳି ପରିବର୍ତ୍ତନ ଦ୍ୱାରା ଗାଁର ଅର୍ଥନୀତି ବି ସୁଦୃଢ଼ ହେବାରେ ଲାଗିଛି ।

ସବୁ କିଛି ସମ୍ଭବ ହୋଇ ପାରିଛି ଗାଁର ସିଶ୍ୱାନତୋଙ୍କ ପାଇଁ । ଏକ ଗ୍ୟାରେଜରେ ସେ ମୋଟର ମେକାନିକ କାମ କରନ୍ତି । ଦିନସାରା ପରିଶ୍ରମ କରି ସେ ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳାଇବା କଷ୍ଟକର ହୋଇପଡୁଥିଲା । ଦିନେ ସିଶ୍ୱାନତୋ ଠିକ୍‌ କଲେ ମୋଟର ସାଇକେଲ ମରାମତିର ଯେଉଁ ଦକ୍ଷତା ତାଙ୍କ ପାଖରେ ଅଛି ତାହାକୁ ସେ ଭିଡିଓ କରି ୟୁଟ୍ୟୁବରେ ଅପଲୋଡ କରିବେ । ସେତେବେଳେ ତାଙ୍କ ପାଖରେ ଭଲ ଫୋନ୍‌ଟିଏ ନଥିଲା । କଷ୍ଟେମଷ୍ଟେ ମୋବାଇଲଟିଏ କିଣି ନିଜର ୟୁଟ୍ୟୁବ୍‌ ଯାତ୍ରା ଆରମ୍ଭ କଲେ । ୟୁଟ୍ୟୁବରେ ଭିଡିଓ ଲୋଡ କରି ଭଲ ରୋଜଗାର କରିବାକୁ ଲାଗିଲେ। ୟୁଟ୍ୟୁବ ରୋଜଗାରର ଭଲ ମାଧ୍ୟମ ହୋଇପାରେ ତାହା କେବେହେଲେ କଳ୍ପନା କରିନଥିଲେ ସିଶ୍ୱାନତୋ । ଆଉ ସିଶ୍ୱାନତୋଙ୍କ ରୋଜଗାର ଦେଖି ଗାଁର ଅନେକ ଲୋକ ୟୁଟ୍ୟୁବରେ ଭିଡିଓ ଅପଲୋଡ କରିବା ଆରମ୍ଭ କଲେ । ବାହାରକୁ ନ ଯାଇ ନିଜ ଗାଁରେ ଯିଏ ଯେଉଁ କାମ କରନ୍ତି ସେହି କାମର ଭିଡିଓକୁ ୟୁଟ୍ୟୁବରେ ହିଁ ଅପଲୋଡ କରିଥାନ୍ତି । ଇଣ୍ଟରନେଟ୍‌ ସମସ୍ୟା ଯୋଗୁ ଅନେକ ସମୟରେ ଗାଁ ଲୋକେ ଅସୁବିଧାରେ ପଡୁଥିଲେ ମଧ୍ୟ ୟୁଟ୍ୟୁବକୁ ରୋଜଗାରର ପ୍ରମୁଖ ମାଧ୍ୟମ ବୋଲି ଭାବି ନେଇଛନ୍ତି। ଭଲ କ୍ୟାମେରା ନଥିବାରୁ ସତ୍ତ୍ୱେ ନିଜ ନିଜ କାମର ଭିଡିଓ ମୋବାଇଲ୍‌ରେ କରି ୟୁଟ୍ୟୁବରେ ଅପଲୋଡ୍‌ କରୁଛନ୍ତି । ୟୁଟ୍ୟୁବ୍‌ ପାଇଁ ଗାଁ ଲୋକଙ୍କ ଆର୍ଥିକ ସ୍ଥିତି ସୁଧୁରିବାରେ ଲାଗିଛି ।

କାସେଗେରାନ ଗାଁଟି ଏତେ ଛୋଟ ତଥା ଉପାନ୍ତ ଅଂଚଳ ଯେ ଇଣ୍ଡୋନେସିଆ ମାନଚିତ୍ରରେ ଖୋଜିଲେ ବି ମିଳିବ ନାହିଁ । ଗାଁର ଅଧିକାଂଶ ଲୋକ ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାନ୍ତି । ଚାଷ କାମ କରି ପରିବାର ଚଳାଇବା ସହ ବିଭିନ୍ନ ସମୟରେ ଛୋଟମୋଟ କାମ କରି କିଛି ରୋଜଗାର କରିଥାଆନ୍ତି । କିନ୍ତୁ ଇଣ୍ଟରନେଟରେ ଏବେ ଟ୍ରେଣ୍ଡ କରୁଛି ଏହି ଗାଁ । ଗାଁର ଲୋକମାନେ ଧୀରେ ଧୀରେ ଇଣ୍ଟରନେଟ୍‌ର ପରିଚିତ ଚେହେରା ପାଲଟୁଛନ୍ତି । ନିପଟ ମଫସଲର ଏହି ଛୋଟିଆ ଗାଁଟି ଏବେ ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଛି ।