• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୁଦ୍ଧତ୍ରସ୍ତ ୟୁକ୍ରେନରେ ଜଳପ୍ରଳୟ। ବୁଡ଼ିଯାଇଛି ବହୁ ବଡ଼ ବଡ଼ ଜନବସତି । ଜଳମଗ୍ନ ହୋଇଛି ଅନେକ ଗାଁ ଓ ସହର। କିଏ ପରିବାର ଲୋକଙ୍କୁ ଧରି ଘରଛାଡ଼ି ପଳାଇଛି, ତ କିଏ ଏବେବି ଛାତ ଉପରେ ଅପେକ୍ଷା କରିଛି ଉଦ୍ଧାରକାରୀଙ୍କୁ । କ୍ଷତିଗ୍ରସ୍ତ ହୋଇଛି ଚାଷଜମି ଓ ଭିତ୍ତିଭୂମି। ବନ୍ୟଜନ୍ତୁ ଓ ଜୈବ ବିବିଧତା ପ୍ରତି ମଧ୍ୟ ସୃଷ୍ଟି ହୋଇଛି ଆକସ୍ମିକ ବିପଦ। ତେବେ ଏସବୁ ବର୍ଷା କି ବନ୍ୟା ଭଳି ପ୍ରାକୃତିକ କାରଣ ପାଇଁ ନୁହେଁ, ୟୁକ୍ରେନର ବୃହତ୍ତମ ନଦୀବନ୍ଧ ଭୁଶୁଡ଼ିବା ଫଳରେ ବିରାଟ ବିପତ୍ତିର ସାମ୍ନା କରିବାକୁ ପଡ଼ିଛି ୟୁକ୍ରେନବାସୀଙ୍କୁ । ଗତ ମଙ୍ଗଳବାର ନିପ୍ରୋ ନଦୀ ଉପରେ ଥିବା ସୋଭିଏତ ଯୁଗର ନଦୀବନ୍ଧ ନୋଭା କାଖୋଭକା ଡ୍ୟାମ ଅଚାନକ ଭୁଶୁଡ଼ି ପଡ଼ିବା ଫଳରେ ଖେରସନ ଆଖାପାଖ ପ୍ରାୟ ୬ଶହ ବର୍ଗ କିଲୋମିଟର ଅଞ୍ଚଳ ଜଳାର୍ଣ୍ଣବ ହୋଇଛି ।

ଦକ୍ଷିଣ ୟୁକ୍ରେନର ଏହି ଅଞ୍ଚଳ ପ୍ରାୟ ବର୍ଷେ ହେବ ରୁଷ କବଜାରେ ରହିଛି। ଡ୍ୟାମ ମଧ୍ୟ ରୁଷିଆ ସୈନ୍ୟଙ୍କ ଅକ୍ତିଆରରେ ଥିଲା ବୋଲି କୁହାଯାଉଛି । ତେବେ ଡ୍ୟାମ ଭୁଶୁଡ଼ିବା ପରେ ତଳିଆ ଅଞ୍ଚଳକୁ ପାଣି ମାଡ଼ିଯିବା ଫଳରେ ପ୍ରାୟ ଦେଢ଼ ହଜାର ଲୋକ ପରିବାର ଓ ଗୃହପାଳିତ ପଶୁପକ୍ଷୀଙ୍କୁ ଧରି ଘରଛାଡ଼ି ଅନ୍ୟତ୍ର ପଳାଇଛନ୍ତି । ୟୁକ୍ରେନ ଅଧିକୃତ ଅଞ୍ଚଳରେ ପ୍ରାୟ ୩ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି । ହେଲେ ପ୍ରାୟ ୪୨ ହଜାର ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଥିବା କୁହାଯାଉଛି ।...

ଖେରସନ ଅଞ୍ଚଳର ଓଲେସ୍କି ସହର ସବୁଠୁ ଅଧିକ ପ୍ରଭାବିତ ହୋଇଛି ଏହି ବିଶାଳ ବନ୍ୟାରେ । ଡ୍ୟାମ ଠାରୁ ୬୦ କିଲୋମିଟର ଦୂରରେ ଥିବା ଖେରସନ ସହରରେ ୩ ମିଟରରୁ ଅଧିକ ଉଚ୍ଚତାରେ ପାଣି ଜମି ରହିଛି । ଡ୍ୟାମ ଭୁଶୁଡ଼ିବା ସହିତ ସେଠାରେ ଥିବା ଜଳ ବିଦ୍ୟୁତ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସେଠାରୁ ପ୍ରାୟ ୧୫୦ ଟନ୍ ଇଞ୍ଜିନ ଅଏଲ୍ ନଦୀ ଜଳରେ ମିଶିବା ଫଳରେ ପରିବେଶ ଓ ଜୀବଜନ୍ତୁଙ୍କ ପ୍ରତି ସଂକଟ ଦେଖାଦେଇଛି ।

କେବଳ ଏତିକି ନୁହେଁ, ଏହି ବିପର୍ଯ୍ୟୟ ପରେ ଖେରସନ, ଜାପରଝିଆ ଓ ନିପ୍ରୋ ଅଞ୍ଚଳର ପ୍ରାୟ ୫ ଲକ୍ଷ ହେକ୍ଟର ଜମି ଜଳସେଚନରୁ ବଞ୍ଚିତ ହେବ ଏବଂ ଏବଂ ମରୁଡ଼ି ସ୍ଥିତି ଉପୁଜିବ ବୋଲି ଆଶଙ୍କା କରାଯାଉଛି । ଲକ୍ଷାଧିକ ଲୋକ ପାନୀୟ ଜଳ ସଂକଟର ମଧ୍ୟ ସାମ୍ନା କରିବେ । ତେଣେ ଜାପରଝିଆ ନ୍ୟୁକ୍ଲିୟର ପ୍ଲାଣ୍ଟର ରିଆକ୍ଟର ଶୀତଳୀକରଣ ପାଇଁ ନିପ୍ରୋ ନଦୀର ଜଳ ବ୍ୟବହାର କରାଯାଉଥିବାରୁ, ଡ୍ୟାମ ଭୁଶୁଡ଼ିବା ପରେ ସେଦିଗରୁ ମଧ୍ୟ ବିପଦର ଆଶଙ୍କା ରହିଛି ।...