• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ଭୀତତ୍ରସ୍ତ ଚେହେରା, ଭଙ୍ଗା ମନ ଆଉ ଜୀବନ ଜିଇଁବାର ଆଶା ବାଟ କଢ଼ାଇ ନେଉଛି । ବିମାନ ଭିତରର ଫଟୋ ବଖାଣୁଛି ଯନ୍ତ୍ରଣାର କାହାଣୀ । ତାଲିବାନୀ ଆତଙ୍କୀଙ୍କ ଶାସନରେ ରହିବା ଅପେକ୍ଷା ଦେଶ ଛାଡ଼ି ଚାଲିଯିବା ଶ୍ରେୟସ୍କର ମଣୁଛନ୍ତି ଲୋକେ । ପ୍ରତ୍ୟେକ ମୁହୂର୍ତ୍ତରେ ବଦଳିଯାଉଛି ଆଫଗାନିସ୍ତାନର ସ୍ଥିତି । ସମଗ୍ର ଦେଶ ଏବେ ତାଲିବାନ ଆଫଗାନ୍ କବଜାକୁ ଚାଲଯିବା ପରେ ଅନ୍ୟ ଦେଶର ଲୋକ ତଥା ଆଫଗାନୀ ନାଗରିକ ପଳାୟନ କରୁଛନ୍ତି । କୌଣସି ମତେ ଆଫଗାନିସ୍ତାନର ସାଧାରଣ ଲୋକମାନେ ନିଜ ଜୀବନ ରକ୍ଷା କରିବା ପାଇଁ ଉପାୟ ଖୋଜୁଛନ୍ତି ।

ତେବେ ଏହାରି ଭିତରେ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସ୍ପଷ୍ଟ ଜଣାପଡ଼ୁଛି ଆଫଗାନିସ୍ତାନରେ ଲୋକମାନେ ଦେଶ ଛାଡ଼ିବା ପାଇଁ କିପରି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ଜୀବନ ରକ୍ଷା ପାଇଁ କୌଣସି ବି ଉପାୟ ଆପଣାଇବା ପାଇଁ ପଛାଉନାହାନ୍ତି । ସାମ୍ବାଦିକ ଇୟାନ ବ୍ରେମର୍ ନିଜ ଟ୍ୱିଟର ଆକାଉଣ୍ଟରେ ଆମେରିକୀୟ ବିମାନର ଭିତରର ଏକ ଚିତ୍ର ସେୟାର କରିଛନ୍ତି । ଆଫଗାନିସ୍ତାନରୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଉଥିବା ଏହି ବିମାନରେ ବସିଛନ୍ତି ଶହ ଶହ ଲୋକ । ବିମାନ ଭିତରେ ଥିବା ଲୋକଙ୍କ ସଂଖ୍ୟା ଏତେ ଅଧିକ ଯେ କେହି ବିଶ୍ୱାସ କରିପାରିବେ ନାହିଁ ଏହା ବିମାନ ଭିତରର ଦୃଶ୍ୟ ବୋଲି । ଶହ ଶହ ଲୋକଙ୍କ ମୁହଁରେ ଭୟ ସ୍ପଷ୍ଟ ରୂପେ ବାରି ହୋଇ ପଡ଼ୁଛି, କିନ୍ତୁ ମନରେ ସାମାନ୍ୟ ଦମ୍ଭ ମଧ୍ୟ ରହିଛି । କାରଣ ଦେଶ ଛାଡ଼ି ଯାଉଥିବାରୁ ଅତ୍ୟାଚାରରୁ ତ୍ରାହି ପାଉଯାଉଥିବା ପରି ଲାଗୁଛି ।

ସେହିପରି ଗତକାଲି ଆଫଗାନିସ୍ତାନ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା ବିଚଳିତ କଲା ଭଳି ଚିତ୍ର । ଗୋଟିଏ ବିମାନରେ ଯେତିକି ଯାତ୍ରୀ ଯିବାର କଥା ତାହାଠାରୁ ଢେର୍‌ ଅଧିକ ଲୋକ ବସୁଥିବା ଦେଖିବାକୁ ମିଳିଥିଲା । ସ୍ଥିତି ଏପରି ହୋଇଥିଲା ଯେ, ବିମାନରେ ଲୋକମାନେ ଟାଉନ୍‌ବସ୍‌ରେ ଚଢିବା ପରି ଯାତ୍ରା କରୁଥିଲେ । ମୋଟ୍‌ ଉପରେ କହିବାକୁ ଗଲେ ବିମାନ ବନ୍ଦରରେ ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ଅନ୍ୟପଟେ କିଛି ଲୋକ ବିମାନ ଟାୟାର ଧରି ଦେଶ ଛାଡ଼ି ପଳାଇବା ଲାଗି ଚେଷ୍ଟା କରୁଥିବା ଦେଖାଦେଇଥିଲା ।

ଆତଙ୍କ, ଆଶଙ୍କା, ଅସହାୟତା ଓ ଅନିଶ୍ଚିତତା । ଏସବୁ ଭିତରେ ନିଜ ଭବିଷ୍ୟତକୁ ନେଇ ଭାଳି ହେଉଛନ୍ତି ବିଦେଶରେ ରହୁଥିବା ଆଫଗାନ୍ ନାଗରିକ। କଣ ହେବ ସେମାନଙ୍କର ଭାଗ୍ୟ ? ନିଜ ଦେଶରେ କେଉଁ ଅବସ୍ଥାରେ ଥିବେ ଆତ୍ମୀୟ ଓ ସମ୍ପର୍କୀୟ ? ଏଭଳି ଅନେକ ଅସମାହିତ ପ୍ରଶ୍ନକୁ ନେଇ ସେମାନେ ଚିନ୍ତିତ । ଆଫଗାନିସ୍ତାନକୁ ତାଲିବାନ କବଜା କରିବାପରେ ଭାରତରେ ରହୁଥିବା ଅନେକ ଆଫଗାନ୍ ନାଗରିକ ଆଶଙ୍କା ଭିତରେ ରହିଛନ୍ତି । ଏପଟେ ଭିସା ଅବଧି ଅନେକଙ୍କ ସରି ଆସିଲାଣି କିନ୍ତୁ ସ୍ଥିତି ଦେଖି ଆଫଗାନିସ୍ତାନକୁ ଯିବାକୁ ଚାହୁଁନାହାନ୍ତି ଆଫଗାନୀମାନେ । ଭିସା ଅବଧି ବୃଦ୍ଧି ପାଇଁ ସେମାନେ ବିଭିନ୍ନ ଦେଶର ସରକାରଙ୍କୁ ଅନୁରୋଧ କରିଛନ୍ତି । ଅନେକ ଆଫଗାନ ନାଗରିକ ସେମାନଙ୍କ ଭାଗ୍ୟକୁ ନେଇ ଏବେ ବେଶ ଚିନ୍ତିତ ଅଛନ୍ତି। ଭାରତରେ ସେମାନେ ସୁରକ୍ଷିତ ଥିଲେ ମଧ୍ୟ ଆଫଗାନିସ୍ତାନରେ ଥିବା ପରିବାରକୁ ନେଇ ଚିନ୍ତା ଘାରୁଛି ।