Advertisment

୧୦ଟି ସୁଷମ ଖାଦ୍ୟ ଯାହା ଆପଣଙ୍କ ଶିଶୁକୁ ବାହ୍ୟ ସଂକ୍ରମଣରୁ ବଞ୍ଚାଇବ

ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ କୋଉ ବାପା-ମା ବା ଚିନ୍ତିତ ନୁହନ୍ତି। ତେବେ ଏଠି ଜାଣନ୍ତୁ, ଶିଶୁକୁ ବାହ୍ୟ ସଂକ୍ରମଣରୁ ବଞ୍ଚାଇବା ପାଇଁ କ’ଣ କୁହନ୍ତି ପୁଷ୍ଟି ବିଜ୍ଞାନୀ ଜ୍ୟୋତ୍ସ୍ନା ମହାପାତ୍ର।

author-image
Jyotsna Mohapatra
ଅଦ୍ୟତନ ହୋଇଛି
10 foods that increase in imunity of your child

10 foods that increase in imunity of your child

ବାରମ୍ବାର ଦେହ ଖରାପ ଯୋଗୁଁ ଆପଣଙ୍କ ଶିଶୁର ଶାରୀରିକ ବୃଦ୍ଧି ହ୍ରାସ ପାଉଛି କି? ଏଥିପାଇଁ ଆପଣ ବ୍ୟସ୍ତ ହୋଇ ପଡୁଛନ୍ତି କି? କ’ଣ ଆପଣଙ୍କ ଛୋଟ ଛୁଆଟି ସବୁବେଳେ ଖାଇବା ସମୟରେ ବିରକ୍ତ ହେଉଛି? ଆପଣ ତା’ର ମାନସିକ ବୃଦ୍ଧିକୁ ନେଇ ଚିନ୍ତିତ? ତେବେ ଆସନ୍ତୁ ଜାଣିବା ଏହି ୧୦ଟି ସୁଷମ ଖାଦ୍ୟ ସଂପର୍କରେ, ଯାହା ଆପଣଙ୍କ ଶିଶୁର ସାମଗ୍ରିକ ବିକାଶରେ ସାହାଯ୍ୟ କରିବ।

Advertisment

ସାଧାରଣତଃ ପରିବେଶ ଓ ପାଣିପାଗ ପରିବର୍ତ୍ତନ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ। ଶିଶୁଟି ଜନ୍ମରୁ ଠିକ ଭାବରେ ମା’ କ୍ଷୀର ଖାଇବା ସହ ଧୀରେ ଧୀରେ ବାହାର ଖାଦ୍ୟ ଖାଇବା ଆରମ୍ଭ କରେ। ଯଦି ସଠିକ ପୋଷଣଯୁକ୍ତ ଖାଦ୍ୟ ସହ ମା’ କ୍ଷୀର ଖାଇବାକୁ ଦିଆଯାଏ ତେବେ ତା’ର ଶାରୀରିକ ଆଉ ମାନସିକ ବିକାଶ ଠିକ ରୂପେ ହୋଇଥାଏ।

୧. ଓଟ୍‌ସ

୬ରୁ ୧୨ମାସର ଛୁଆଙ୍କ ପାଇଁ ଦୈନିକ ୪୦-୫୦ଗ୍ରାମର ଶସ୍ୟ ଖାଇବାର ଆବଶ୍ୟକତା ରହିଛି। ଏସବୁରେ ମିନେରାଲ୍‌, ଫାଇବର୍‌ ଓ ପ୍ରୋଟିନ୍‌ ପ୍ରଚୁର ପରିମାଣରେ ଥାଏ, ଯାହାକି ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢାଏ। ଏକ ବର୍ଷରୁ କମ ବୟସର ଛୁଆମାନଙ୍କୁ ଓଟ୍‌ସକୁ ହାଲକା ଭାଜି ଗୁଣ୍ଡ କରି କ୍ଷୀର ବା ଅମୂଲ ସହ ଦେଲେ ଭଲ। ଏହା ଛୁଆର ପାଟିକୁ ସ୍ଵାଦିଷ୍ଟ ଲାଗିବା ସହ ସ୍ଵାସ୍ଥ୍ୟକର ଅଟେ।

Advertisment

୨. ଡାଲି

ସାଧାରଣତଃ ଛୁଆ ୬ମାସର ହୋଇଗଲା ପରେ ପତଳା ଡାଲି ପାଣି ତା’ର ପ୍ରଥମ ଖାଦ୍ୟ ଭାବରେ ଦେବା ଉଚିତ। ଏହା ପ୍ରୋଟିନ୍‌ରେ ଭରପୂର ଥାଏ। ଏହା ଛୁଆର ମାଂସପେଶୀକୁ ଶକ୍ତକରି ବିଭିନ୍ନ ଶାରୀରିକ ବିକାଶରେ ସାହାଯ୍ୟ କରେ। ସହଜରେ ଦେହ ଖରାପ ହୁଏ ନାହିଁ। ସବୁଦିନିଆ ଖାଦ୍ୟରେ ଆମେ ମୁଗ ଡାଲି, ହରଡ ଡାଲି ଛୁଆକୁ ଦେଇପାରିବା। ଖେଚୁଡ଼ି, ହାଲୁଆ ଆଦି ପ୍ରସ୍ତୁତ କରି ଦେଲେ ଶିଶୁ କୌଣସି ହଇରାଣ ନ କରି ଆରାମରେ ଖାଇବ। ଦୈନିକ ବର୍ଷକର ଶିଶୁମାନଙ୍କ ପାଇଁ ୧୫ଗ୍ରାମ ପ୍ରୋଟିନ୍‌ ଦରକାର ପଡେ ଯାହାକି ନିତିଦିନ ଡାଲି ଖାଇବାରୁ ମିଳିଥାଏ।

୩. ବିଭିନ୍ନ ସବୁଜ ପରିବା

ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆମେ ସବୁଦିନ ଖାଇବାରେ ଯେତେ ସବୁଜ ପରିବା ମିଶେଇବା ଆମ ଖାଦ୍ୟର ମାନ ସେତେ ବଢିବ। କାରଣ ଏସବୁରେ ମିନେରାଲ୍‌ ଓ ଭିଟାମିନ୍‌ କେ ଭରିରହିଥାଏ। ଏହା ଶିଶୁର ମସ୍ତିଷ୍କ ବିକାଶରେ ମଧ୍ୟ ସାହାଯ୍ୟ କରେ। ତେଣୁ ଭାତ ଆଉ ଡାଲି ସହ ପରିବା ମଧ୍ୟ ଏକ ଅତ୍ୟାବଶ୍ୟକ ଖାଦ୍ୟ ଦ୍ରବ୍ୟ ଯାହା କି ଶିଶୁର ରକ୍ତରେ ଶ୍ୱେତ ରକ୍ତ କଣିକାରେ ବୃଦ୍ଧି କରାଏ। ବର୍ଷକରୁ ଅଧିକ ପିଲାଙ୍କୁ ଶାଗ, ପାଳଙ୍ଗ, ବନ୍ଧାକୋବି ଆଦି ପତ୍ର ଜାତୀୟ ପରିବା ଦେବା ନିହାତି ଦରକାର।

୪. ମୂଳ ଜାତୀୟ ପରିବା

ମୂଳ ଜାତୀୟ ପରିବା କହିଲେ ଆପଣମାନେ ବୁଝନ୍ତି ଯେଉଁ ପରିବା ମାଟି ତଳେ ହୁଏ। ଯେପରି ଆଳୁ, କନ୍ଦମୂଳ, ସାକର କନ୍ଦ ଆଦି। ଏସବୁ ମୂଳ ପରିବାରେ ପ୍ରଚୁର ପରିମାଣରେ ଶ୍ୱେତସାର ଭରିରହିଛି। ଏହି ଖାଦ୍ୟସାର ଶିଶୁର ଓଜନ ବୃଦ୍ଧି କରାଏ ଓ ରୋଗ ଆକ୍ରମଣରୁ ବଞ୍ଚାଏ। ଗାଜରରେ ଥିବା ବିଟାକ୍ୟାରୋଟିନ୍‌ ଓ ଆଣ୍ଟିଅକ୍ସିଡାଣ୍ଟ ଶିଶୁର ସମସ୍ତ ବାହ୍ୟ ସଂକ୍ରମଣ ସହ ଲଢ଼ିବାର କ୍ଷମତା ବଢାଏ।

୫. କମଳା ପରି ଖଟାମିଠା ଫଳ

କମଳା, ମିଠା ଲେମ୍ବୁ ଆଦି ଫଳ ଓ କୋଳିରେ ଭିଟାମିନ୍‌ ସି ଯଥେଷ୍ଟ ପରିମାଣରେ ଥାଏ। ଆମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହି ଭିଟାମିନ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ୬ ମାସର ଶିଶୁକୁ ଏହି ଫଳ ଦେବା ଆରମ୍ଭ କରିବା ଉଚିତ।

୬. ହଳଦୀ

ଆପଣମାନେ ଜାଣିଥିବେ ଯେ କାହିଁ କେଉଁ କାଳରୁ ହଳଦୀ ଏକ ଅତ୍ୟାବଶ୍ୟକ ଖାଦ୍ୟ ରୂପେ ଗଣା ହୁଏ। ପିଲାଙ୍କୁ କ୍ଷୀରରେ ହଳଦୀ ଦେଲେ ତାଙ୍କର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ସେମାନଙ୍କ ମସ୍ତିଷ୍କର ବିକାଶ ବି ହୁଏ। ହଳଦୀରେ ସମସ୍ତ ବୀଜାଣୁଜନିତ ରୋଗ ପ୍ରତିହତ କରିବାର ଗୁଣ ରହିଛି। କୁକୁର୍ମିନ୍‌ ନାମକ ଖାଦ୍ୟ ପଦାର୍ଥ ଖୁବ ଭଲ ଆଣ୍ଟିଅକ୍ସିଡାଣ୍ଟ ଅଟେ।

୭. ଡ୍ରାଏଫ୍ରୁଟ୍‌ସ

ଆଲମଣ୍ଡ୍‌, ୱାଲ୍‌ନଟ୍‌ ପରି ଡ୍ରାଏଫ୍ରୁଟ୍ ଓ କଳା ରାଶିରେ ଭିଟାମିନ୍‌ ଇ ଏବଂ ପଲିସ୍‌ଏସିଡ୍‌ ପ୍ରଚୁର ପରିମାଣରେ ଅଛି। ତେଣୁ ଛୁଆକୁ ୮/୯ମାସ ହେଲା ପରେ ଆମେ ତା’ର ନିୟମିତ ଖାଦ୍ୟ ସହ ଏସବୁ ବି ଦେବା ଜରୁରୀ ଅଟେ। ଏହା ଦ୍ୱାରା ଶିଶୁର ଭଲ ମାନସିକ ବୃଦ୍ଧି ହେଇଥାଏ। ଆଲମଣ୍ଡ୍‌ରେ ଥିବା ମାଙ୍ଗାନିଜ ଆଉ ଭିଟାମିନ୍‌ ଇ ଶିଶୁର ହାଡ଼କୁ ଶକ୍ତ କରାଏ।

୮. ବସା ଦହି

ଘରେ ବନାଯାଇଥିବା ଦହିରେ କେତେକ ଉପକାରୀ ଅଣୁଜୀବ ଥାଆନ୍ତି, ଯାହାକି ଶିଶୁର ହଜମ କ୍ରିୟାରେ ସାହାଯ୍ୟ କରେ। ଦହିରେ ଥିବା ଭିଟାମିନ୍‌ ବି ଶିଶୁକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରେ। କିନ୍ତୁ ଦହି ସତେଜ ହେବା ଦରକାର।

୯. ଅଣ୍ଡା ଓ ମାଛ

ଛୁଆ ବାହାର ଖାଦ୍ୟ ଖାଇବାର କିଛି ମାସ ପରେ ଅଣ୍ଡା ଦେବା ଆରମ୍ଭ କରିବା କଥା। କାରଣ ଅଣ୍ଡାରେ ପ୍ରୋଟିନ୍‌ ଭରପୂର ଥାଏ। ପ୍ରୋଟିନ୍‌ ଶିଶୁର ମାଂସପେଶୀ ସୁସ୍ଥ ରଖିବାକୁ ନିହାତି ଜରୁରୀ। ଉଦ୍ଭିଦଜାତ ପ୍ରୋଟିନ୍‌ ସହିତ ପ୍ରାଣୀ ଜାତ ପ୍ରୋଟିନ୍‌ ଦେଲେ ଶରୀରର ବିକାଶ ଶୀଘ୍ର ହୋଇଥାଏ ଓ ଶିଶୁର ନିତିଦିନ ଆବଶ୍ୟକ ପରିମାଣର ପ୍ରୋଟିନ୍‌ ମଧ୍ୟ ମିଳିଥାଏ। ଏହା ଦ୍ୱାରା ଶିଶୁଙ୍କୁ ହେଉଥିବା ସାଧାରଣ କାସ ଓ ସର୍ଦ୍ଦିରୁ ଜଲ୍‌ଦି ରକ୍ଷା ମିଳେ।

୧୦. କ୍ଷୀର

କ୍ଷୀର ଓ କ୍ଷୀରରୁ ପ୍ରସ୍ତୁତ ଖାଦ୍ୟକୁ ବର୍ଷେ ପରେ ଶିଶୁକୁ ଦେବା ଆରମ୍ଭ କରିବା ଉଚିତ। କାରଣ କ୍ଷୀର କ୍ୟାଲ୍‌ସିୟମ୍‌, ଭିଟାମିନ୍‌, ସ୍ନେହସାର, ଶ୍ଵେତସାର, ପ୍ରୋଟିନ୍‌ ଆଦି ଖାଦ୍ୟସାରରେ ପରିପୂର୍ଣ୍ଣ। ନିରାମିଷ ଖାଉଥିବା ଶିଶୁମାନଙ୍କ ପାଇଁ ଘରେ ଛେନା ପ୍ରସ୍ତୁତ କରି ଖାଇବାକୁ ଦିଅନ୍ତୁ। ଏହା ଶରୀରକୁ ପ୍ରୋଟିନ୍‌ ଯୋଗାଇଥା। ଶିଶୁକୁ ୧୦ମାସ ହେଲା ପରେ ତା’ର ଖାଦ୍ୟରେ ଟିକେ ପରିମାଣରେ ଘିଅ ବି ମିଶାଇପାରିବେ, ଯେମିତିକି ଖେଚୁଡ଼ି ବନେଇଲା ବେଳେ, ସିଝା ପରିବା ଆଦି ସହିତ ଘିଅ ଛୁଙ୍କ କରି ଦେଇପାରିବେ। ଏହା ଦ୍ୱାରା ଆବଶ୍ୟକୀୟ ସ୍ନେହସାର ଶିଶୁକୁ ମିଳିଥାଏ।

ସାଧାରଣତଃ ବିଭିନ୍ନ ଋତୁ ପରିବର୍ତ୍ତନ ସମୟରେ ଶିଶୁମାନେ ଥଣ୍ଡା ଜ୍ୱରରେ ପଡ଼ିବା ଦେଖାଯାଏ। ତା’ ସହିତ ଏବେର କୋଭିଡ୍‌ ପରିସ୍ଥିତକୁ ଆଖିଆଗରେ ରଖି ଆମେ ଆମ ଛୁଆକୁ ଉପଯୁକ୍ତ ପୋଷଣଯୁକ୍ତ ଖାଦ୍ୟ ଦେଲେ ସେ ଯେକୌଣସି ବାହ୍ୟ ସଂକ୍ରମଣକୁ ଏଡାଇ ଯାଇପାରିବ।

ଡାଏଟିସିଆନ୍‌
ଜ୍ୟୋସ୍ନା ମହାପାତ୍ର
ପୁରୀ
ଫୋନ୍‌ ନମ୍ବର:- ୯୭୭୮୮୩୨୪୭୬

Health
Advertisment
Advertisment