• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗୁରୁଙ୍କ ପୂଜନ ପାଇଁ ଦିନଟିଏ

  • ଦେଶ ଓ ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକାକୁ ମନେ ପକାଇ ଆଜି ପାଳିତ ହେଉଛି ଗୁରୁ ଦିବସ

ଭୁବନେଶ୍ୱର : ଆଜି ଗୁରୁ ଦିବସ । ଗୁରୁଙ୍କ ପୂଜନ ପାଇଁ ଦିନଟିଏ । ଗୁରୁଙ୍କୁ ପୂଜା, ସ୍ମରଣ ଓ ଗୁରୁଙ୍କ ଆଦର୍ଶରେ ନିଜକୁ ଅନୁପ୍ରାଣିତ କରିବାର ଏକ ପବିତ୍ର ଅବକାଶ । ଶିକ୍ଷାଦାନ ପାଇଁ ସମ୍ପୂର୍ଣ୍ଣ ଜୀବନ ସମର୍ପଣ କରିଥିବା ତଥା ପ୍ରତିବଦଳରେ କିଛି ଆଶା କରୁନଥିବା ନିସ୍ୱାର୍ଥ ପର ମଣିଷ ଜଣ ହେଲେ ଗୁରୁ । ତେଣୁ ଦେଶ ଓ ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକାକୁ ମନେ ପକାଇ ଗୁରୁଙ୍କୁ ସମ୍ମାନିତ କରିବା ପାଇଁ ଆଜି ପାଳିତ ହେଉଛି ଗୁରୁ ଦିବସ ।

ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ସେପ୍ଟେମ୍ବର ୫ ତାରିଖକୁ ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଉଛି । ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ୧୮୮୮ ମସିହା ‌ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା ଏବଂ ସେ ପିଲାଙ୍କୁ ବେଶ୍ ଭଲ ପାଉଥିଲେ । ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ, ଦାର୍ଶନିକ ଓ ରାଜନୀତିଜ୍ଞ ଥିଲେ ।

ରାଷ୍ଟ୍ରପତି ଥିବା ସମୟରେ ତାଙ୍କ ଜନ୍ମଦିନ ପାଳନ ଲାଗି ବହୁ ଛାତ୍ର ଅନୁମତି ମାଗିବାରୁ ତାଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳିବା ପାଇଁ ରାଧାକ୍ରିଷ୍ଣନ ପରାମର୍ଶ ଦେଇଥିଲେ । ୧୯୬୨ ମସିହାଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଏହି ବରେଣ୍ୟ ଗୁରୁଙ୍କ ଜନ୍ମ ଦିବସକୁ ଆମ ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଆଜି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା କଟକଣା ଭିତରେ ଗୁରୁ ଦିବସ ପାଳୁଛନ୍ତି ଛାତ୍ରଛାତ୍ରୀ ।

ସେହପିର ଶିକ୍ଷକଙ୍କ ସମ୍ମାନରେ ଆଜିଠାରୁ ଆସନ୍ତା ୧୭ ତାରିଖ ଯାଏଁ ସାରା ଦେଶରେ ପାଳିତ ହେବ ଶିକ୍ଷକ ପର୍ବ । ଆଜି ଶିକ୍ଷକଙ୍କ ପାଇଁ ଜାତୀୟ ପୁରସ୍କାର ଘୋଷଣା କରାଯିବ । ଗୁରୁଦିବସ ଅବସରେ ଚଳିତ ବର୍ଷ ଦେଶର ୪୪ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରାଯିବ । ଏହାସହ ଆସନ୍ତା ୭ରେ ଅନୁଷ୍ଠିତ ହେବ ଜାତୀୟ ସ୍ତରର ଏକ ଶିକ୍ଷା କନକ୍ଲେଭ୍ । ଏହି ଭର୍ଚୁଆଲ କନକ୍ଲେଭରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।