• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବଡ଼ଦାଣ୍ଡର ଦୁଇ ପଟେ ରହୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତ

  • କର୍ଫ୍ୟୁ ବେଳେ ଗ୍ରାଣ୍ଡ ରୋଡରେ ଥିବା ସମସ୍ତ ଦୋକାନ ବଜାର ସହ ବନ୍ଦ ରହିବ ମେଡିସିନ୍ ସପ୍

ପୁରୀ : ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି । ଆଜି ସୁଦ୍ଧା ବଡ଼ଦାଣ୍ଡର ସବୁ ହୋଟେଲ, ଲଜିଂ, ଧର୍ମଶାଳା, ଗେଷ୍ଟ ହାଉସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ମାଲିକମାନେ ଲିଖିତ ଭାବେ ପୋଲିସକୁ ଜଣାଇବେ । ବଡ଼ଦାଣ୍ଡର ଦୁଇ ପଟେ ଥିବା ଘର ଗୁଡ଼ିକର ଲୋକଙ୍କ ତାଲିକା ପ୍ରସ୍ତୁତ କରୁଛି ପୌରସଂସ୍ଥା । ଆସନ୍ତାକାଲି ରାତି ୮ଟାରୁ ବୁଧବାର ରାତି ୮ଟା ଯାଏ ବଡ଼ଦାଣ୍ଡରେ ଥିବା ସବୁ ଦୋକାନ, ଏପରିକି ଔଷଧ ଦୋକାନ, ଅଫିସ, ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ରହିବ । ଅନ୍ୟ ସ୍ଥାନରେ ଔଷଧ ଦୋକାନ, ଚଷମା ଦୋକାନ ଖୋଲା ରହିବ ।

ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ବେଳେ ବି ପୁରୀ ସହରରେ ୧୪୪ ଧାରା ଜାରି କରାଯିବ । ଏହି ସମୟରେ ବଡ଼ଦାଣ୍ଡରେ ଥିବା ସବୁ କୋଠା ଘରର ଛାତ ଓ ବାଲକୋନିରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଘର, ଲଜିଙ୍ଗ ଓ ବେସରକାରୀ ଅନୁଷ୍ଠାନ ଗୁଡିକର ସର୍ଭେ କରାଯିବା ସହ ଭିଡିଓ ଗ୍ରାଫି ମାଧ୍ୟମରେ ନଜର ରଖାଯିବ । କେବଳ ସ୍ଥାନୀୟ ଲୋକଙ୍କୁ ଛାଡିଦେଲେ ବାହାରର କୌଣସି ସମ୍ପର୍କୀୟ ବା ବ୍ୟକ୍ତିଙ୍କୁ ରହିବାକୁ ଅନୁମତି ନଥିବା ବେଳେ ଶୃଙ୍ଖଳିତ ଭାବେ ନୀତିକାନ୍ତି କରାଯାଇ ବାହୁଡା଼ ଯାତ୍ରାକୁ ସାରିବା ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଗତକାଲି ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ବାହୁଡ଼ା ଯାତ୍ରା ପାଇଁ ଗତକାଲି ତିନି ରଥର ଦକ୍ଷିଣ ମୋଡ଼ କରାଯାଇଛି । ସକାଳ ଧୂପ ନୀତି ସମ୍ପର୍ନ ହୋଇ ତିନି ବାଡ଼ରେ ପୂଜାପଣ୍ଡା ସେବକ ମାନେ ଆଜ୍ଞା ମାଳ ବିଜେ କରାଇବା ପରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଯାଇଥିଲା । ପୋଲିସ କର୍ମଚାରୀ ମାନେ ଘଣ୍ଟୁଆଙ୍କ ଘଣ୍ଟ ମାଡ଼ ଓ ଡାହୁକଙ୍କ ଡାକରେ ରଥକୁ ଦକ୍ଷିଣ ମୋଡ଼ କରାଇଥିଲେ । ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ଛିଞ୍ଚନର ବ୍ୟବସ୍ଥା କରାଯାଇଥିବା ବେଳେ ଗତକାଲି ଅପରାହ୍ନରେ ତାଳଧ୍ଵଜ ରଥକୁ ଦକ୍ଷିଣମୋଡ଼ କରାଯାଇଛି । ରଥକୁ ଦକ୍ଷିଣ ମୋଡ଼ କରିବା ପୂର୍ବରୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ବାଲି ବିଛାଯାଇଥିଲା ।ଏହା ପୂର୍ବରୁ ରଥର ଚକରେ ଦେଖାଦେଇଥିବା ଫାଟକୁ ମରାମତି କରାଯାଇଛି । ବୈଷୟିକ କମିଟି ମଧ୍ୟ ତିନି ରଥର ଯାଞ୍ଚ କାମ ଶେଷ କରିଛନ୍ତି । ତିନି ରଥକୁ ଦକ୍ଷିଣ ମୋଡ଼ କରିବା ପାଇଁ ହାତରେ ଦୁଇଦିନ ସମୟ ରହିଥାଏ ।