• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭକ୍ତଶୂନ୍ୟ ଘୋଷଯାତ୍ରା ଭଳି ବାହୁଡ଼ା ଯାତ୍ରା ବି ଭକ୍ତଶୂନ୍ୟ ।

  • କ୍ରମାଗତ ଦ୍ୱିତୀୟ ଥର ପାଇଁ ସୁରୁଖୁରୁରେ ସରିଲା ବିନା ଭକ୍ତରେ ବାହୁଡ଼ାଯାତ୍ରା ।

  • ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ନୀଳକନ୍ଦରକୁ ଫେରିଛନ୍ତି ମହାବାହୁ ।

ପୁରୀ: ଭକ୍ତଶୂନ୍ୟ ଘୋଷଯାତ୍ରା ଭଳି କ୍ରମାଗତ ଦ୍ୱିତୀୟ ଥର ପାଇଁ ସୁରୁଖୁରୁରେ ସରିଲା ବିନା ଭକ୍ତରେ ବାହୁଡ଼ାଯାତ୍ରା । ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ଆଜି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାବାହୁ ।

ନବଦିନାତ୍ମକ ଯାତ୍ରାର ଶେଷ ଚରଣ । ଘଣ୍ଟଘଣ୍ଟା ଶଙ୍ଖ ଧ୍ୱନୀ ସାଙ୍ଗକୁ ହରିବୋଲ ଶବ୍ଦରେ କମ୍ପୁଥିଲା ବଡ଼ଦାଣ୍ଡ । ଆଉ ଜନ୍ମବେଦୀରେ ଲୀଳାଖେଲା ସାରି ସଅଳ ବାହୁଡ଼ିବାକୁ ପ୍ରସ୍ତୁତ ହେଉଥିଲେ ତିନିଠାକୁର । ସକାଳୁ ସକାଳୁ ଆଡ଼ପ ମଣ୍ଡପରେ ତିନିଠାକୁରଙ୍କ ନୀତିକାନ୍ତି ସରିବା ପରେ ଢେର ଆଗରୁ ଅର୍ଥାତ୍ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ବାହୁଡ଼ା ପହଣ୍ଡି । ପ୍ରଥମେ ସୁଦର୍ଶନ, ପରେ ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଟାହିଆ ହଲାଇ, ହଲି ଝୁଲି ନନ୍ଦିଘୋଷ ରଥକୁ ଆସିଥିଲେ ଜଗତ ଠାକୁର ଜଗନ୍ନାଥ ।

ଅନ୍ୟ ରିତିନୀତି ପରେ ଶ୍ରୀ ନଅରରୁ ଆସି ଶରଧାବାଲିରେ ପହଁଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଆରମ୍ଭ ହୋଇଥିଲା ଛେରାପହଁରା । ଏହାପରେ ପହଞ୍ଚିଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ । ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଲା । ତା ପଛକୁ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ସବା ଶେଷରେ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ।

ଶରଧାବାଲିରୁ ସିଂହଦ୍ୱାର । ଭକ୍ତ ନଥିଲେ, ହେଲେ ବାହୁଡ଼ା ରଥ ଗଡ଼ିବା ସହିତ ମଝିରେ ମଝିରେ ସେବାୟତଙ୍କ ସମବେତ ଗୀତ ଗୋବିନ୍ଦ ଗାନରେ ଭିଜୁଥିଲା ବଡ଼ଦାଣ୍ଡ । କୋଭିଡ୍‌ର କଠୋର କଟକଣା ଥିଲା । ହେଲେ ତା ଭିତରେ ବି କିଏ କେଉଁଠି କେମିତି ଅତି ଦୂରରୁ ରଥର ଟିକିଏ ଝଲକ୍ ପାଇଁ ବ୍ୟାକୁଳ ହେଉଥିଲା ତ ପୁଣି ଟିଭି ପରଦାରେ ନିଜର ପ୍ରିୟ ଠାକୁରଙ୍କ ବାହୁଡ଼ା ଯାତ୍ରାକୁ ଦର୍ଶନ କରି ମନକୁ ବୁଝାଉଥିଲେ ଅଗଣିତ ଦର୍ଶକ ।

ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ବେଳେ ମାଉସୀ ମା’ ମନ୍ଦିର ପାଖରେ ପୋଡ଼ପିଠା ଖାଇବାକୁ ଜଗାର ରଥ ଅଟକିଲା, ତ ଏତିକି ବେଳେ ଭଗବାନ ଓ ସେବାୟତଙ୍କୁ ଗରମ ଗୁଳୁଗୁଳିରୁ ତ୍ରାହି ଦେଇ ଆକାଶରୁ ଝରିଲା ଉଶ୍ୱାସର ବର୍ଷା । ପୋଡ଼ପିଠା ଖାଇ ପୁଣି ବଡ଼ଦେଉଳ ମୁହାଁ ହେଲେ ତିନି ଠାକୁର । ପରେ ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀ ନାରାୟଣ ଭେଟ । ଏହା ପରେ ଆଗକୁ ବଢ଼ି ଧାର୍ଯ୍ୟ ସମୟର ଢେର ଆଗରୁ ସିଂହଦ୍ୱାର ସମ୍ମୁଖରେ ଲାଗିଗଲା ତିନି ରଥ ।

ଘୋଷଯାତ୍ରାରେ ଶ୍ରୀକ୍ଷେତ୍ରକୁ ବାହାର ଲୋକଙ୍କ ପ୍ରବେଶ ଓ ଶରଧା ବାଲିରେ ରଥ ଥିବା ବେଳେ ବାହାର ଭକ୍ତଙ୍କ ରଥ ଦର୍ଶନ ଘଟଣା ପରେ ବାହୁଡ଼ା ପାଇଁ ଆଜି ଆହୁରି କ଼ଡା ଥିଲା କଟକଣା । ସାରା ଶ୍ରୀକ୍ଷେତ୍ରରେ କର୍ଫ୍ୟୁ ସହ ପୋଲିସ୍ ଛାଉଣୀରେ ପରିଣତ ହୋଇଥିଲା ବଡ଼ଦାଣ୍ଡ ।