• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଥର ସେପ୍ଟେମ୍ବର ୧୦ରେ ଗଣେଷ ପୂଜା । ହେଲେ କରୋନା ପାଇଁ ଏଥର ବି ଖାଁ ଖାଁ ରହିବ ପୂଜା ମଣ୍ଡପ । ବାଜିବନି ବାଜା, ଶୁଭିବନି ମାଇକ୍‌ । ଯଥା ସମ୍ଭବ କମ୍‌ ଲୋକରେ ହେବ ପୂଜା ବିଧି । ଏମିତିକି ବଡ଼ ମୂର୍ତ୍ତି, ଲାଇଟ୍‌, ବିସର୍ଜନ ଓ ଭୋଜି ପ୍ରକ୍ରିୟାକୁ ବି ବାରଣ କରାଯାଇଛି । କାରଣ ମୁଣ୍ଡ ଉପରେ ଝୁଲୁଛି କରୋନା ଖଣ୍ଡା । ଯଦି ଟିକେ ବି ଏପଟ ସେପଟ ହେବା ଜୀବନ ବି ଯିବ !

ତେବେ ଗଣେଶଙ୍କୁ ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର କୁହାଯାଏ । ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ଦେବତା ହେଉଛନ୍ତି ଗଣେଶ । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ । କାର୍ତ୍ତିକେୟଙ୍କର ସାନ ଭାଇ ସେ ଓ ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ଦେଖାଯାଏ । ହିନ୍ଦୁମାନେ ଜାତି, ଭାଷା, ବର୍ଣ୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି । ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି । ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।

ଶିବ ପୂରାଶରେ ଗଶେଶ

ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜଦେହର ମଳିରୁ ଏକ ମୂର୍ତ୍ତି ତିଆରି କରି ସେଥିରେ ଜୀବନ ଦାନ ଦେଲେ । ଆଉ ସେଥିରୁ ହିଁ ଗଣେଷଙ୍କ ଜନ୍ମ । ପାର୍ବତୀ ତାଙ୍କୁ ଘର ଦୁଆରେ ଜଗାଇ କାହାକୁ ଭିତରକୁ ପ୍ରବେଶ ନ କରେଇବା ପାଇଁ ଆଦେଶ ଦେଇ ସ୍ନାନ କରିବାକୁ ଗଲେ । ସେହି ସମୟରେ ମହାଦେବ ଘରକୁ ଫେରିଲେ । ଆଉ ଗଣେଶ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ । ନିଜ ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କଲେ ବି ସେ ବୁଝିଲେନି । ଶେଷରେ କ୍ରୋଧ ଜର୍ଜରିତ ହୋଇ ଗଣେଷଙ୍କ ଶିର ଚ୍ଛେଦନ କଲେ ମହାଦେବ ।

ପରେ ପାର୍ବତୀଙ୍କ ନିକଟରୁ ତାଙ୍କର ପରିଚୟ ପାଇବା ପରେ ମହାଦେବଙ୍କ ମନରେ କଷ୍ଟ ହୋଇଥିଲା । ପାର୍ବତୀ ଜିଦ୍‌ ଧରିଥିଲେ ତାଙ୍କ ଗଣେଷଙ୍କୁ ଜୀବିତ କରିବାକୁ । ହେଲେ ମହାଦେବ ଗଣେଶଙ୍କ ମୁଣ୍ଡ ପାଇନଥିଲେ । ତେଣୁ ସେ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଗଣେଶଙ୍କ ଶରୀରରେ ଯୋଡ଼ି ଜୀବନ ଦାନ ଦେଇଥିଲେ । ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ । ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜା ହୁଏ । ରକ୍ତ ଚନ୍ଦ୍ର, ରକ୍ତ ପୁଷ୍ପରେ ତାଙ୍କୁ ପୂଜା କରାଯାଏ । ତାଙ୍କର ଗଜମସ୍ତକ, ଏକଦନ୍ତ, ଥନ୍ତଲ ପେଟ ଓ ସାପ ପଇତା ଓ ମୂଷିକ ବାହନ ।

ଗଣେଶଙ୍କ ଅନେକ ନାମ:

ଗଣେଷଙ୍କ ଅନେକ ନାମ ମଧ୍ୟରୁ ଗଜାନନ ବେଶି ପ୍ରଚଳିତ । ଗଜାନନ ରୂପରେ ହିଁ ସେ ସର୍ବତ୍ର ପରିଚିତ । ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ । ଆଉ ମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ । ତା’ ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା । ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ । ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସ‌ହଜରେ ଚିହ୍ନା ପଡ଼ନ୍ତି । ତାଙ୍କୁ ପଞ୍ଚଦେବତା ମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ ।

ଗଣେଶଙ୍କ ଅନ୍ୟ କେତେକ ନାମ ହେଲା: ସୁମୂଖ, ବିଘ୍ନହର୍ତ୍ତା, ବିଘ୍ନହର, ଧୂମ୍ରକେତୁ, ଗଣାଧ୍ୟକ୍ଷ, ବ୍ରହ୍ମଣସ୍ପତୀ, ମୟୂରେଶ୍ୱର, ବିଘ୍ନେଶ୍ୱର ଓ ଶୂର୍ପକର୍ଣ୍ଣ ଇତ୍ୟାଦି । ଶାସ୍ତ୍ର ଅନୁସାରେ ଗଣେଶଙ୍କ ୧୨ଟି ନାମ ରହିଛି ।

ସେଗୁଡ଼ିକ ହେଲା:-

୧.ଏକଦନ୍ତ

୨.କୃଷ୍ଣପିଙ୍ଗାକ୍ଷ

୩.ଗଣପତି: ଗଣ ବା ଲୋକଙ୍କର ଦେବତା ବା ଗଣଦେବତା ।

୪.ଗଜବକ୍ର

୫.ଗଜାନନ: ଗଜ ବା ହାତୀ ମୁଣ୍ଡ ଥିବା ଦେବତା ଗଜାନନ । ଶରୀର ମଣିଷର, ମସ୍ତକ ହାତୀର । ଶାସ୍ତ୍ରରେ କୁହାଯାଇଛି ଉଭୟ ମଣିଷ ଓ ହାତୀର ଆୟୁ ୧୨୦ ବର୍ଷ । ଉଭୟର ଗୁଣକୁ ଏକାଠି ହେଲେ ମଣିଷ ସଫଳ ହେବ । ତେଣୁ ଗଣେଶ ନିଜେ ଏହି ରୂପ ଧାରଣ କରିଛନ୍ତି । 'ଗ'ର ଅର୍ଥ ମୋକ୍ଷ ପ୍ରାପ୍ତି ପାଇଁ ସମାଧିରେ ଥିବା ଯୋଗୀ । 'ଜ'ର ଅର୍ଥ ଜୀବନ ପ୍ରତି ସାଂସାରିକ ଦୃଷ୍ଟିକୋଣ । ଅର୍ଥାତ୍ ସଂସାର ଭିତରେ ମୋକ୍ଷ ପ୍ରାପ୍ତ ସମ୍ଭବ କରାଇପାରନ୍ତି ଗଜାନନ ।

୬.ବକ୍ରତୁଣ୍ଡ

୭.ବିକଟ

୮.ବିଘ୍ନରାଜେନ୍ଦ୍ର

୯.ବିନାୟକ: ଗଣେଶଙ୍କର ଏହିନାମର ଅର୍ଥ ବିଶେଷ ନାୟକ । ଏହାର ଅନ୍ତର୍ନିହିତ ଅର୍ଥ ହେଉଛି ଯେତେବେଳେ ପ୍ରିୟବଚନ ବା ପ୍ରାର୍ଥନାଦ୍ୱାରା ଗଣେଶଙ୍କୁ ସନ୍ତୁଷ୍ଟ କରାଯାଏ । ତେବେ ସେ ଭକ୍ତର ରାସ୍ତାରେ ଥିବା ସବୁ ବାଧା ଦୂର କରନ୍ତି । ଅର୍ଥାତ୍ ଭକ୍ତର ଜୀବନରେ ଥିବା ବିପର୍ଯ୍ୟୟ, ସବୁ ଅମଙ୍ଗଳ, ସବୁ ବାଧା ଦୂରେଇ ଦିଅନ୍ତି ।

୧୦.ଧୂମ୍ରବର୍ଣ୍ଣ

୧୧.ଭାଲଚନ୍ଦ୍ର

୧୨.ଲମ୍ବୋଦର: ଲମ୍ବା ଉଦର ବା ବଡ଼ ପେଟ ଥିବାରୁ ତାଙ୍କୁ ଲମ୍ବୋଦର ବୋଲି କୁହାଯାଇଥାଏ । କିନ୍ତୁ ପ୍ରକୃତ ଅର୍ଥରେ ଲମ୍ବୋଦର ତାଙ୍କୁ ହିଁ କୁହାଯାଏ ଯିଏ ସବୁକିଛି ଭଲ ବିଦ୍ୟା ଗ୍ରହଣ କରିପାରନ୍ତି ଏବଂ ସାଇତି ପାରନ୍ତି । ଗଣେଶ ପାର୍ବତୀଙ୍କ ନୁପୂରର ଶବ୍ଦଶୁଣି ସଙ୍ଗୀତ ଶିଖୁଥିଲେ । ପିତା ଶିବଙ୍କ ଡମ୍ବରୁର ଶବ୍ଦଶୁଣି ଚାରିବେଦ ଆୟତ କରିଥିଲେ । ତାଙ୍କର ଏହି ବିଶାଳ ବିଦ୍ୟାର ଭଣ୍ଡାର ହେଉଛି ତାଙ୍କର ପେଟ । ଏହି କାରଣରୁ ତାଙ୍କ ପେଟ ଖୁବ୍ ବଡ ।