Advertisment

ରାହୁଲଙ୍କଠୁ ନବୀନଙ୍କ ଯାଏଁ ! ଜିଲ୍ଲା ପରିଷଦରୁ ସାଂସଦ; ପ୍ରଦୀପଙ୍କ ପଲିଟିକାଲ କ୍ୟାରିୟର, କିଛି ଆଶା କିଛି ସ୍ୱପ୍ନ...

ଦିନେ ବିଜେଡି ଓ ନବୀନଙ୍କ ବିରୋଧରେ ଗର୍ଜୁଥିଲେ, ଆଜି ଶଙ୍ଖ ଫୁଙ୍କିଲେ। ଦିନେ ରାହୁଲ ଆଣିଥିଲେ ରାଜନୀତିକୁ, ରଖିଥିଲେ କୋର୍ କମିଟିରେ। ଆଜି ସେଇ ହାତକୁ କହିଲେ ବାଏ ବାଏ। ଆଉ ହାତରେ ଧରିଲେ ବିଜେଡି ଶଙ୍ଖ।

author-image
Satyendu Shekher Mishra
Pradeep Majhi

Pradeep Majhi

ଭୁବନେଶ୍ୱର: କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝି। ନବରଙ୍ଗପୁରରେ ଆୟୋଜିତ ସଭାରେ ସେ କାହିଁକି ବିଜେଡିରେ ମିଶିଲେ, ତାହା ସ୍ପଷ୍ଟ କରିଛନ୍ତି। ସେ ମାଟି ଓ ପାର୍ଟିର କଥା କହିଛନ୍ତି। ତାଙ୍କ ଭାଷଣରୁ ଜଣାପଡୁଥିଲା, କ୍ଷମତାରେ ରହିଲେ ହିଁ ଲୋକଙ୍କର ଅଧିକ ସେବା କରିହେବ। ବିଜେଡିକୁ ବିରୋଧ କରି ସେ ତାଙ୍କ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ। ହେଲେ ପରିସ୍ଥିତିରେ ପଡି ସେ ଆଜି ସେହି ଦଳରେ ଯୋଗଦେଇଛନ୍ତି।

Advertisment

ରାଜନୀତିକୁ ଆଣିଥିଲେ ରାହୁଲ

୧୯୭୭ ମସିହାରେ ଜନ୍ମିତ ପ୍ରଦୀପ ମାଝି ଏକଦା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଅତି ନିକଟତର ଥିଲେ। ଏକ ଟ୍ୟାଲେଣ୍ଟ ସର୍ଚ୍ଚ କାର୍ଯ୍ୟକ୍ରମରେ ତାଙ୍କୁ ରାହୁଲ ଗାନ୍ଧୀ ଆବିଷ୍କାର କରିଥିଲେ। ଏହାପରେ ତାଙ୍କୁ ଯୁବ କଂଗ୍ରେସରେ ସାମିଲ କରାଇ ଜାତୀୟ ଯୁବ କଂଗ୍ରେସରେ ଦାୟିତ୍ୱ ଦେଇଥିଲେ। ପରେ ରାଜ୍ୟ ଯୁବ କଂଗ୍ରେସର ସଭାପତି କରାଇଥିଲେ। କଂଗ୍ରେସ ଟିକେଟରେ ସେ ପ୍ରଥମେ ୨୦୦୭ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଜିତିଥିଲେ ଓ ନବରଙ୍ଗପୁର ଜିଲ୍ଲା ପରିଷଦ ସଭାପତି ହୋଇଥିଲେ। ୨୦୦୯ ମସିହାରେ ନବରଙ୍ଗପୁର ଲୋକସଭା ଆସନରେ କଂଗ୍ରେସ ପକ୍ଷରୁ ବିଜୟୀ ହୋଇଥିଲେ। କିନ୍ତୁ ପରେ ଲୋକସଭା ନିର୍ବାଚନ ଲଢି ହାରି ଯାଇଥିଲେ। ତାଙ୍କୁ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଜଣେ ଆଦିବାସୀ ଯୁବନେତା ଭାବେ ତାଙ୍କୁ କଂଗ୍ରେସ ଦଳରେ ପ୍ରାଧାନ୍ୟ ଦିଆଯାଉଥିଲା। ଗତ ବର୍ଷ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ମିଶିବା ପରେ ପ୍ରଦୀପ, ରାହୁଲ ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେ ବିଜେପିରେ ମିଶିପାରନ୍ତି ବୋଲି ସେତେବେଳେ ଅନୁମାନ କରାଯାଉଥିଲା। କିନ୍ତୁ ଶେଷରେ ସେ କଂଗ୍ରେସ ଛାଡି ବିଜେଡିକୁ ଚାଲି ଯାଇଛନ୍ତି। କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ପ୍ରଦୀପ ଜଣେ ସୁବିଧାବାଦୀ ନେତା। କଂଗ୍ରେସ ତାଙ୍କୁ ବହୁତ କିଛି ଦେଇଛି। କିନ୍ତୁ ସେ ଦଳକୁ ଧୋକ୍କା ଦେଇଛନ୍ତି।

Advertisment

ଆଖିରେ ଆଖିଏ ସ୍ୱପ୍ନ

ଅବିଭକ୍ତ କୋରାପୁଟ ଜିଲ୍ଲାର ଉନ୍ନତି ତଥା ଏହାକୁ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବାର ଲକ୍ଷ୍ୟ ନେଇ ସେ ବିଜେଡିରେ ମିଶିଥିବାର ତାଙ୍କ ଭାଷଣରେ କହିଛନ୍ତି। ସେ ଆଖିରେ ଆଖିଏ ସ୍ୱପ୍ନ ନେଇ ବିଜେଡିକୁ ଯାଇଛନ୍ତି। ସେ ପୁଣି କହିଛନ୍ତି, ସ୍ନେହ ଓ ଭରସା ପାଇ ସେ ଏହି ଦଳକୁ ଆସିଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ସହ କଂଗ୍ରେସ ଦଳ ଛାଡିଥିବା କର୍ମୀମାନେ ମଧ୍ୟ ବହୁତ କିଛି ଆଶା ରଖିଛନ୍ତି। କଂଗ୍ରେସରେ ରହି ସେମାନେ ଯେମିତି ନିଃସ୍ୱାର୍ଥପର ଭାବେ କାମ କରୁଥିଲେ, ସେହିଭଳି ନିଃସ୍ୱାର୍ଥପର ଭାବେ କାମ କରିବେ ବୋଲି ପ୍ରଦୀପ କହିଛନ୍ତି।

ମନେ ପକାଇଲେ ବିଜୁବାବୁଙ୍କୁ

ପ୍ରଦୀପ ତାଙ୍କ ଭାଷଣରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଛନ୍ତି। ସେ କହିଛନ୍ତି, କୋରାପୁଟ ଆମର ଜନ୍ମମାଟି। କିନ୍ତୁ ବିଜୁବାବୁ ହେଉଛନ୍ତି ନବରଙ୍ଗପୁର, ମାଲକାନଗିରି ଓ ରାୟଗଡାର ଜନକ। ଦିନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଦୁର୍ନୀତିକୁ ନେଇ ଗର୍ଜନ କରୁଥିବା ଓ ଆନ୍ଦୋଳନ କରୁଥିବା ଏହି ଆଦିବାସୀ ନେତା ଆଜି ନବୀନଙ୍କ ଗୁଣଗାନ କରିଛନ୍ତି। ଅତୀତରେ ଉଠାଇଥିବା ଦୁର୍ନୀତି ପ୍ରସଙ୍ଗକୁ ଭୁଲି ନବୀନଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। କୁନ୍ଦୁଲି ଘଟଣାକୁ ନେଇ ସେ ପୀଡିତାଙ୍କ ପରିବାରକୁ ନ୍ୟାୟ ପାଇଁ ଳଢେଇ କରୁଥିଲେ। ଏପରିକି ନବୀନ ସରକାରରେ ରାଜ୍ୟର ମହିଳାମାନେ ସୁରକ୍ଷିତ ନୁହଁନ୍ତି ବୋଲି ପୂର୍ବରୁ ସେ ବାରମ୍ୱାର କହିଛନ୍ତି। କିନ୍ତୁ ସବୁ କଥାକୁ ଭୁଲି ଆଜି ସେ ନବୀନଙ୍କ ସାଂଗଠନିକ ଦକ୍ଷତା ଦେଶରେ ବିରଳ ବୋଲି କହିଛନ୍ତି। ସବୁ କଥାକୁ ଭୁଲି ସେ ମାଟି ଓ ପାର୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି ।

Pradeep Majhi Odisha Politics
Advertisment
Advertisment