• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକୁ ନେଇ ପୁଣି ସନ୍ଦେହ, ରହସ୍ୟ। ୧୯୭୦ ମସିହାରୁ ପୁରୀ ଜିଲ୍ଲା ଟ୍ରେଜେରିରେ ଜମା ହୋଇନି ରତ୍ନଭଣ୍ଡାର ଚାବି।
ଖୋଦ୍ ଜିଲ୍ଲା ଟ୍ରେଜେରୀ ଅଫିସରଙ୍କ ଚିଠିରୁ ହୋଇଛି ଏଭଳି ମହାଖୁଲାସା। ରତ୍ନଭଣ୍ଡାର ତନାଘନାର ସାଢେ ୩ବର୍ଷ ପରେ ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ଇଏ ସେହି ଚିଠି, ଯେଉଁଥିରେ ଧରାପଡ଼ିଛି ଚମକାଇଦେଲା ଭଳି କଥା। ଆରଟିଆଇ କର୍ମୀ ଦିଲ୍ଲିପ ବରାଳଙ୍କ ହସ୍ତଗତ ହୋଇଥିବା ଚିଠି ଅନୁସାରେ  ରତ୍ନଭଣ୍ଡାର ଖୋଲାଯିବା ନେଇ ତନାଘନା ଚାଲିଥିବା ସମୟ ଅର୍ଥାତ୍ ୨୦୧୮ ଏପ୍ରିଲ୍ ୪ ତାରିଖରେ ହିଁ ତତ୍କାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲଙ୍କୁ, ୧୯୭୦ ମସିହା ପରଠାରୁ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଜିଲ୍ଲା କୋଷାଗାରରେ ଜମା ହୋଇନଥିବା କଥା ଜଣାଇଥିଲେ ସେତେବେଳର ଟ୍ରେଜେରୀ ଅଫିସର।

ତାହାଲେ ଏଠି ପ୍ରଶ୍ନ ସେହିଦିନ ଅର୍ଥାତ୍ ୨୦୧୮ ଏପ୍ରିଲ୍ ୪ ତାରିଖରେ ବିନା ଚାବିରେ କେମିତି ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିଲେ ୧୭ ଜଣିଆ ଟିମ୍ ତାହାଲେ କଣ ସେତେବେଳେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଏକ ହାଇଡ୍ରାମା ଥିଲା କି ? ଚାବି ନଥିବା ସମ୍ପର୍କରେ ଜିଲ୍ଲାପାଳ ଅବଗତ ହୋଇ ବି କେମିତି ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିଲେ ଅନୁଧ୍ୟାନକାରୀ କମିଟି ? ଚାବି ନଥିବା କଥା ବି କାହିଁକି ରତ୍ନଭଣ୍ଡାର ରେଜିଷ୍ଟରରେ ଉଲ୍ଲେଖ କଲେନାହିଁ ଯାଞ୍ଚ କମିଟି। କେମିତି ବାହାର ଭଣ୍ଡାରରୁ ଭିତର ରତ୍ନଭଣ୍ଡାର ଦୃଶ୍ୟମାନ ହେଉଥିବା କହି ଆଉ ଖୋଲିବା ଆବଶ୍ୟକତା ନାହିଁ ବୋଲି କହିଦେଲେ ?

ଏସବୁ ଅସମାହିତ ପ୍ରଶ୍ନ ଉଙ୍କିମାରିବା ପରେ ରତ୍ନଭଣ୍ଡାର ଖୋଲାଯିବା ଓ ଯାଞ୍ଚ ପ୍ରକ୍ରିୟା କେବଳ ଯେ ଏକ ଭେଳିକି ଓ ଏହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ସହ ହାଇକୋର୍ଟଙ୍କୁ ବି ଭଣ୍ଡାଇବା ଭଳି ସ୍ଥିତି ସୃଷ୍ଟି କରିଛି ବୋଲି କହିଛନ୍ତି ଭକ୍ତ ଓ ସେବାୟତ। ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ରତ୍ନଭଣ୍ଡାର ସୁରକ୍ଷିତ ଅଛି ଚାବି ହଜିବା ଘଟଣାର ତଦନ୍ତ କରିଥିବା ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେବା ଦରକାର।

୨୦୧୮ ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷା ନେଇ ହଲ୍ଲାପଟା ଭିତରେ ଆସିଥିଲା ଭିତରଭଣ୍ଡାର ଚାବି ହଯିଯିବା ଖବର। ଏନେଇ ତମ୍ବିତୋଫାନ ଚାଲିଥିବାବେଳେ ଜାନୁଆରୀ ୧୩ ତାରିଖରେ ସେତେବେଳର ଜିଲ୍ଲାପାଳ ସୂଚନା ଦେଇ କହିଥିଲେ ଯେ, ଏକ ଡୁପ୍ଲିକେଟ୍ ଚାବି ଜିଲ୍ଲା ରେକର୍ଡ ରୁମ୍‌ରୁ ଏକ ମୁଦାଲଫାପାରୁ ମିଳିଛି। ତେଣୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ପୁଣି ଡୁପ୍ଲିକେଟ୍, ଏକଥାକୁ ବି ସହଜରେ ଗ୍ରହଣ କରିପାରିନଥିଲେ ଜଗନ୍ନଥ ଭକ୍ତଙ୍କ ସମେତ ବିରୋଧୀଦଳ।

ଏମିତିକି ଜୁନ୍ ୪ ତାରିଖରେ ରତ୍ନଭଣ୍ଡାର ଚାବି ହଜିଯିବା ଘଟଣାର ତଦନ୍ତ ଭାର ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କୁ ଦେଇଥିଲେ ମୁଖ୍ୟମନ୍ତ୍ରୀ। ସେ ବି ତଦନ୍ତ ସାରି ସରକାରଙ୍କୁ ରିପୋର୍ଟ ଦେଇ ସାରିଛନ୍ତି। ରତ୍ନଭଣ୍ଡାର ଚାବି ହଜିଯିବା ରହସ୍ୟ ଉପରୁ ପରଦା ହଟିନଥିବାବେଳେ, ୧୯୭୦ରୁ ଚାବି ପୁରୀ ଟ୍ରେଜେରୀରେ ନଥିବା ତଥ୍ୟକୁ ନେଇ ସରକାରଙ୍କୁ ଘେରିଲେଣି ବିରୋଧୀ। ତେବେ ଏନେଇ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରାଯାଇଥିଲେ ବି ସେ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ଯଦି ଟ୍ରେଜେରୀ ଅଫିସର ୧୯୭୦ ମସିହାରୁ ଟ୍ରେଜେରୀରେ ରତ୍ନଭଣ୍ଡାର ଚାବି ନାହିଁ ବୋଲି କହିଛନ୍ତି, ତାହାଲେ ଆହୁରି ପ୍ରଶ୍ନ-୧୯୭୮ ମସିହା ମେ୧୩ରୁ ୨୩ ତାରିଖ ପର୍ଯ୍ୟନ୍ତ କିଭଳି ହୋଇଥିଲା ଭିତର ଭଣ୍ଡାରର ଅଳଙ୍କାର ଗଣତି, ଯେଉଁ ତାଲିକା କି ଶ୍ରୀମନ୍ଦିର ପ୍ରଶାସନ ପାଖରେ ବି ଉପଲବ୍ଧ ରହିଛି।