Advertisment

କଙ୍ଗନାଙ୍କ 'ଇମର୍ଜେନ୍ସୀ'କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ରାଜନୈତିକ ଫିଲ୍ମ 'ଇମର୍ଜେନ୍ସୀ' କୁ ନେଇ ବିବାଦ ଉଠିଛି। ଏହି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। କଙ୍ଗନା ୪୬ ବର୍ଷ ପୂର୍ବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି(ଇମର୍ଜେନ୍ସୀ) ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି।

author-image
Pramod Behera
କଙ୍ଗନାଙ୍କ 'ଇମର୍ଜେନ୍ସୀ'କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

Kangana Ranaut

ଲକ୍ଷ୍ନୌ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ରାଜନୈତିକ ଫିଲ୍ମ 'ଇମର୍ଜେନ୍ସୀ' କୁ ନେଇ ବିବାଦ ଉଠିଛି। ଏହି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ସୂଚନା ମୁତାବକ କଙ୍ଗନା ୪୬ ବର୍ଷ ପୂର୍ବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି(ଇମର୍ଜେନ୍ସୀ) ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ' ଇମର୍ଜେନ୍ସୀ' ନାମକ ଏହି ଚଳଚ୍ଚିତ୍ରରେ ସେ କେବଳ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ ନାହିଁ, ବରଂ ସେ ନିଜେ ଏହାର ନିର୍ଦ୍ଦେଶନା ଦେବେ। ଇନ୍ଦିରାଙ୍କ ଚରିତ୍ରକୁ ଅତି ନିକଟରୁ ଜାଣିବା ଏବଂ ଚଳଚ୍ଚିତ୍ରକୁ ସର୍ବୋତ୍ତମ କରିବା ଉଦ୍ଦେଶ୍ୟରେ କଙ୍ଗନା ଆସନ୍ତା ମାସରେ ତାଙ୍କ ଜନ୍ମସ୍ଥାନ ଏବଂ କର୍ମଭୂମୀ ସଙ୍ଗମ ନଗରୀ ପ୍ରୟାଗରାଜ ପରିଦର୍ଶନ କରିବାକୁ ଯାଉଛନ୍ତି। ତେବେ ପରିତାପର ବିଷୟ ଏହା ଯେ କଙ୍ଗନାଙ୍କ ଫିଲ୍ମ ଏବଂ ପ୍ରୟାଗର ଗସ୍ତକୁ ନେଇ ଏକ ରାଜନୈତିକ ବିବାଦ ଉପୁଜିଛି।

Advertisment

କଂଗ୍ରେସ କଙ୍ଗନାଙ୍କ ଉପରେ ବର୍ଷିଛି। କଙ୍ଗନା ବିଜେପିର ଏଜେଣ୍ଟ ସାଜି ‘ଇମର୍ଜେନ୍ସୀ’ ଚଳଚ୍ଚିତ୍ରର ବାହାନା କରି ଇନ୍ଦିରା ଗାନ୍ଧୀଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ବିଜେପି ଅଭିଯୋଗ କରିଛି। ଅନ୍ୟପକ୍ଷରେ ବିଜେପି ଏଠାରେ ପ୍ରଶ୍ନ ଉଠାଇଛି ଯେ ଇନ୍ଦିରାଙ୍କ ନାମକୁ ନେଇ ଗାଳି ଦେଉଥିବା କଂଗ୍ରେସ ତାଙ୍କ ଦ୍ୱାରା ଲଗାଯାଇଥିବା ‘ଇମର୍ଜେନ୍ସୀ’ କଥା ଉଠିଲେ ଏମିତି କମ୍ପୁଛି କାହିଁକି? ତେବେ କଂଗ୍ରେସ କଙ୍ଗନାଙ୍କୁ ପ୍ରୟାଗରାଜକୁ ପ୍ରବେଶ କରେଇଦେବ ନାହିଁ ବୋଲି ଘୋଷଣା କରିଛି। ବିଜେପି ମଧ୍ୟ ଏହାର ଉଚିତ ଜବାବ ଦେଇଛି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଦେଶର ଝିଅ କଙ୍ଗନାଙ୍କୁ ଯୋଗୀ ସରକାରଙ୍କ ଆଇନ ଅନୁଯାୟୀ ପ୍ରୟାଗରାଜକୁ ଆସିବା ନେଇ ବଳପୂର୍ବକ କେହି ବି ରୋକି ପାରିବେ ନାହିଁ ବୋଲି ବିଜେପି କହିଛି।

Advertisment

ବିଜେପି ରାଜ୍ୟ ମୁଖପାତ୍ର ରାକେଶ ତ୍ରିପାଠୀ କହିଛନ୍ତି ଯେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଏତେ ଅନ୍ଧକାର ଅଧ୍ୟାୟ ଯେ ଏହା ଉଲ୍ଲେଖ ହେବା ମାତ୍ରେ କଂଗ୍ରେସ କମ୍ପି ଉଠୁଛି। ‘ଇନ୍ଦିରା ଇଜ୍ ଇଣ୍ଡିଆ, ଇଣ୍ଡିଆ ଇଜ୍ ଇନ୍ଦିରା’ ବୋଲି ସ୍ଲୋଗାନ ଦେଉଥିବା କଂଗ୍ରେସକୁ ଜରୁରୀକାଳୀନ ପରିସ୍ଥିତି ଉପରେ ଏହାର ଉତ୍ତର ଦେବାକୁ ପଡିବ। ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ରାଜ୍ୟରେ ଯୋଗୀ ସରକାର ନିୟମ ଅଛି, ସେ ପର୍ଯ୍ୟନ୍ତ କେହି କାହାକୁ ଆସିବାକୁ ଅଟକାଇ ପାରିବେ ନାହିଁ।

'ଇମର୍ଜେନ୍ସୀ'କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ଅନ୍ୟପକ୍ଷରେ ପ୍ରୟାଗରାଜ କଂଗ୍ରେସ ଜିଲ୍ଲା ସଭାପତି ହସିବ ଅହମ୍ମଦ କହିଛନ୍ତି ଯେ “ଗୋଟିଏ ପଟେ ଇନ୍ଦିରା ଗାନ୍ଧୀ ହିଁ ନିଜର ବଳିଦାନ ଦେଇ ଏହି ଦେଶର ମାନ ଓ ସମ୍ମାନ ରକ୍ଷା କରିଥିଲେ। ତେବେ ସିନେମାରେ କାମ କରୁଥିବା କଙ୍ଗନା ବିଜେପିର ଏଜେଣ୍ଟ ସାଜି ଦୁର୍ଗା ରୂପୀ ଇନ୍ଦିରା ଗାନ୍ଧୀଙ୍କୁ କଳଙ୍କିତ ଓ ଅପମାନିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ଭାରତୀୟ ଗଣତନ୍ତ୍ରରେ ଏହାଠାରୁ ବଡ଼ ହାସ୍ୟାସ୍ପଦ ଘଟଣା ଆଉ ବା କ’ଣ ଥାଇପାରେ।”

ପ୍ରକାଶଥାଉ ଯେ କଙ୍ଗନା ନିକଟରେ ଘୋଷଣା କରିଥିଲେ ଯେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ୍‌ରେ ନିର୍ମିତ ହେବାକୁ ଥିବା ଏକ ଫିଲ୍ମରେ ଆଇରନ୍ ଲେଡି ଅର୍ଥାତ୍ ଇନ୍ଦିରା ଭୂମିକାରେ ଅଭିନୟ କରିବେ। ବିଶେଷ କଥା ହେଉଛି, ସେ ଇନ୍ଦିରାଙ୍କ ଚରିତ୍ର ଏବଂ ଜରୁରୀକାଳୀନ ପରିସ୍ଥିତିକୁ ଭଲ ଭାବରେ ବୁଝିବା ପାଇଁ ଖୁବ ଶୀଘ୍ର ପ୍ରୟାଗରାଜ ଆସିବେ। ଏହାର ଦାୟିତ୍ୱ ମୁମ୍ବାଇର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀକୁ ଦିଆଯାଇଛି। ଇଭେଣ୍ଟ କମ୍ପାନୀ ଦାବି କରିଛି ଯେ କଙ୍ଗନା ଅଗଷ୍ଟ ୨୫ରେ ଦୁଇ ଦିନ ପାଇଁ ପ୍ରୟାଗରାଜ ଆସିବେ।

ଏହି ସମୟରେ କଙ୍ଗନା ଇନ୍ଦିରାଙ୍କ ଜନ୍ମସ୍ଥାନ ଠାରୁ ଆରମ୍ଭ କରି ତାଙ୍କ ବିବାହ ସ୍ଥାନ, ବିଦ୍ୟାଳୟ ଏବଂ ଘରକୁ ବୁଲି ଦେଖିବା ସହ ହାଇକୋର୍ଟର ସ୍ୱର୍ଗତ ଜଷ୍ଟିସ ଜଗମୋହନ ଲାଲ ସିହ୍ନାଙ୍କ ପରିବାର ସଦସ୍ୟଙ୍କୁ ଭେଟିପାରନ୍ତି, ଯେଉଁମାନେ ଇନ୍ଦିରାଙ୍କ ବିରୋଧରେ ଏହି ରାୟ ଦେଇଥିଲେ। ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ସହିତ ଜଡିତ ଶିକ୍ଷକଙ୍କ ଘରକୁ ମଧ୍ୟ ଯାଇପାରନ୍ତି। ଏହା ବ୍ୟତୀତ ସଙ୍ଗମର ପବିତ୍ର ଗଙ୍ଗା ଜଳରେ ସ୍ନାନ କରିବା ପରେ କଫି ହାଉସ୍ ଯିବେ। ତା’ପରେ ସହରର ଏକ ପ୍ରତିଷ୍ଠିତ ଆଇଟି ପ୍ରତିଷ୍ଠାନରେ ଭବିଷ୍ୟତର ଟେକ୍ନୋକ୍ରାଟ୍‌ମାନଙ୍କ ସହିତ ମଧ୍ୟ ଯୋଗାଯୋଗ କରିପାରିବ। ତେବେ ବିବାଦକୁ ଏଡ଼ାଇବା ପାଇଁ ପ୍ରୟାଗରାଜ ପରିବର୍ତ୍ତେ ସେ ବାରାଣାସୀରେ ‘ଇମର୍ଜେନ୍ସୀ’ ଚଳଚ୍ଚିତ୍ରକୁ ନେଇ ଗଣମାଧ୍ୟମ ସହିତ ଆଲୋଚନା କରିପାରନ୍ତି।

Kangana Ranaut Bollywood
Advertisment
Advertisment