• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜନେସ୍‌ ମ୍ୟାନ୍ ରାଜ୍‌ କୁନ୍ଦ୍ରାଙ୍କ ମୁସ୍କିଲ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଯାହାକି ରାଜ୍‌ କୁନ୍ଦ୍ରାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଛି। ଏହି ମାମଲାରେ ରାଜ୍‌ କୁନ୍ଦ୍ରା ଗିରଫ ହୋଇଥିବା ବେଳେ ୧୪ ଦିନ ପାଇଁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠା ଯାଇଛି। ଏସବୁ ଭିତରେ ତାଙ୍କର ଏକ ପୁରୁଣା ସାକ୍ଷାତକାର(ଇଣ୍ଟରଭିୟୁ) ଭାଇରାଲ ହୋଇଛି। ଏଥିରେ ଦେଖିବାକୁ ମିଳିଛି ରାଜ୍‌, ଶିଳ୍ପାଙ୍କ ସହ ନିଜ ଲଭ୍‌ ଷ୍ଟୋରୀ ଶେଆର କରୁଛନ୍ତି।

ମ୍ୟାନେଜରଙ୍କ ମାଧ୍ୟମରେ ଶିଳ୍ପାଙ୍କ ସହ ତାଙ୍କର ପ୍ରଥମ ଦେଖା ହୋଇଥିଲା ବୋଲି ରାଜ୍‌ ସାକ୍ଷାତକାରରେ କହୁଥିବା ନଜର ଆସୁଛି। ସେହି ସମୟରେ ଶିଳ୍ପା ୟୁକେର ରିୟଲିଟି ଶୋ’ ‘ବିଗ୍‌ ବ୍ରଦର’ ଜିତି ଥିଲେ। ଯାହାକୁ ନେଇ ସେ ବେଶ୍‌ ଚର୍ଚ୍ଚାରେ ଥିଲେ। ଏକ ପରଫ୍ୟୁମ୍‌ ତିଆରି କରିବା ପାଇଁ ରାଜ୍‌ ଚାହୁଁଥିଲେ ଓ ଏହି ଆଇଡିଆ ନେଇ ସେ ଶିଳ୍ପାଙ୍କ ପାଖକୁ ଯାଇଥିଲେ। ହେଲେ ସେ ଜାଣିନଥିଲେ ତାଙ୍କର ଏହି ଆଇଡିଆ ଶିଳ୍ପାଙ୍କ ହୃଦୟ ଜିତି ଯିବ।

 

ସାକ୍ଷାତକାରରେ ରାଜ୍‌ କହିଥିଲେ, ଶିଳ୍ପା ରୋମାଣ୍ଟିକ ରିଲେଶନଶିପ୍‌ ପାଇଁ ଆଗ୍ରହୀ ନଥିଲେ। ଯେତେବେଳେ ମୋତେ ଲାଗିଥିଲା ଶିଳ୍ପା ମୋ ପ୍ରେମରେ ପଡ଼ି ପାରିବେ, ଏହାପରେ ମୁଁ ଶିଳ୍ପାଙ୍କ ପଛରେ ପଡ଼ିଥିଲି। ହେଲେ ଶିଳ୍ପା ସ୍ପଷ୍ଟ ଭାବେ କହିଥିଲେ, ରାଜ୍‌ ଏହା କେବେବି ହୋଇପାରିବ ନାହିଁ। ମୁଁ ତୁମକୁ ବିବାହ କରିପାରିବି ନାହିଁ। ସେ ତାଙ୍କ ନିଷ୍ପତ୍ତିରେ ପୁରା ଅଟଳ ଥିଲେ। ଏପରିକି ମୋତେ କହିବାର ସୁଯୋଗ ମଧ୍ୟ ଦେଇ ନଥିଲେ। ହେଲେ ମୁଁ ଯେତେବେଳେ ତାଙ୍କୁ ପଚାରିଥିଲି କାହିଁକି ଏହା ସମ୍ଭବପର ହୋଇପାରିବ ନାହିଁ ? ଉତ୍ତରରେ ଶିଳ୍ପା କହିଥିଲେ, ମୁଁ ବମ୍ବେ ଛାଡ଼ିକି ଯାଇ ପାରିବି ନାହିଁ। ମୁଁ ଭାରତ ଛାଡ଼ି ପାରିବି ନାହିଁ ଓ ତୁମେ ଲଣ୍ଡନରେ ରହୁଛି।’

ଶିଳ୍ପାଙ୍କ ମୁହଁରୁ ଏହା ଶୁଣି ପ୍ରଡ୍ୟୁସର ଭାଶୁ ଭଗନାନୀଙ୍କୁ ଫୋନ୍‌ କରି ମୁମ୍ବାଇରେ ପ୍ରପୋଟି ଆବଶ୍ୟକ ବୋଲି ରାଜ୍‌ କହିଥିଲେ। ଏହାପରେ ଭାଶୁ ରାଜ୍‌ଙ୍କୁ କହିଥିଲେ, ଜୁହୁରେ ଏକ ପ୍ରପୋଟି ଅଛି। ଏହା ଜାଣି ରାଜ୍‌ ଏହି ପ୍ରପୋଟି ନଦେଖି କିଣି ଦେଇଥିଲେ ଓ ସଙ୍ଗେସଙ୍ଗେ ଶିଳ୍ପାଙ୍କୁ ଫୋନ୍‌ କରି ଏସମ୍ପର୍କରେ ଜଣାଇଥିଲେ। ରାଜ୍‌ ଶିଳ୍ପାଙ୍କୁ କହିଥିଲେ, ‘ତୁମେ କହୁଥିଲ ନା ତୁମେ ବମ୍ବେରେ ରହିବାକୁ ଚାହୁଁଛ ? ମିଷ୍ଟର ବଚ୍ଚନଙ୍କ ଘର ନାଁ ତ ଶୁଣି ଥିବ। ତାଙ୍କ ଘର ସାମ୍ନାରେ ମୁଁ ଏକ ଘର କିଣିଛି।’ ରାଜ୍‌ଙ୍କ ଏହି କଥା ଶୁଣି ଶିଳ୍ପା ତାଙ୍କ ନିଷ୍ପତ୍ତି ବଦଳାଇ ଥିଲେ ଓ ବିବାହ ପାଇଁ ହଁ କହିଥିଲେ। ୨୦୦୯ରେ ରାଜ୍‌-ଶିଳ୍ପାଙ୍କ ବିବାହ ହୋଇଥିଲା। ସେମାନଙ୍କର ୨ଟି ସନ୍ତାନ ଅଛି।