Advertisment

ମଡେଲ୍ ବି ହୋଇପାରେ ଭଲ ଅଭିନେତା, ପ୍ରମାଣ କରିଥିଲେ ଅର୍ଜୁନ ରାମପାଲ୍

୪୯ ବର୍ଷରେ ପଦାର୍ପଣ କରିଛନ୍ତି ଅର୍ଜୁନ ରାମପାଲ୍। ଏପର୍ଯ୍ୟନ୍ତ ବଲିଉଡକୁ ଦେଇଛନ୍ତି ୪୦ରୁ ଅଧିକ ଫିଲ୍ମ। ଜଣେ ମଡେଲ୍ ଦୁନିଆରୁ ଆସି ବଲିଉଡ୍‌ରେ ଜାତୀୟ ପୁରସ୍କାର ପାଇଥିବା ଅର୍ଜୁନଙ୍କୁ ମଧ୍ୟ ସହିବାକୁ ହୋଇଥିଲା ଅନେକ ଟାହିଟାପରା।

author-image
Pramod Behera
ଅଦ୍ୟତନ ହୋଇଛି
Arjun Rampal turns 49 years old

Arjun Rampal turns 49 years old

ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ୍ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୭୨ ମସିହା ନଭେମ୍ବର ୨୬ରେ ମଧ୍ୟପ୍ରଦେଶର ଜବଲପୁରରେ ଜନ୍ମ ହୋଇଥିଲେ। ଅର୍ଜୁନ ଜଣେ ମିଲିଟ୍ରୀ ପରିବାରରୁ ଆସିଥିବା ବେଳେ ତାଙ୍କ ଜେଜେବାପା ସେନାରେ ବ୍ରିଗେଡିୟର ପଦରେ ଥିଲେ।

Advertisment

ଅର୍ଜୁନ ଯେତେବେଳେ ସ୍କୁଲ୍‌ରେ ପଢୁଥିଲେ ତାଙ୍କ ବାପା-ମା ଅଲଗା ହୋଇଯାଇଥିଲେ। ଏହାପରେ ତାଙ୍କ ମା’ ମହାରାଷ୍ଟ୍ରର ଦେୱଲାଲୀକୁ ଚାଲିଯାଇଥିଲେ। ଅର୍ଜୁନ ସେଠାରେ ତାଙ୍କ ସ୍କୁଲ ପଢା ଶେଷ କରିଥିଲେ। ଏହାପରେ ଦିଲ୍ଲୀର ହିନ୍ଦୁ କଲେଜ୍‌ରୁ ସେ ଗ୍ରାଜୁଏଟ୍ ହୋଇଥିଲେ। ତେବେ ପାଠ ପଢା ସମୟରେ ସେ କେବେ ବି ଭାବି ନ ଥିଲେ ଜଣେ ମଡେଲ୍ ବା ଅଭିନେତା ହେବେ ବୋଲି।

ମଡେଲିଂରୁ ଫିଲ୍ମ:

ଅର୍ଜୁନ ରାମପାଲ୍ ବଲିଉଡ୍‌ରେ ପ୍ରବେଶ ପୂର୍ବରୁ ଜଣେ ସଫଳ ମଡେଲଭାବେ ବେଶ ନାମ କମେଇଥିଲେ। ସେ ଭାରତର ସୁପରମେଡେଲ ଥିଲେ। ୧୯୯୪ରେ ଅର୍ଜୁନଙ୍କୁ ‘ସୋସାୟଟୀ ଫେସ୍ ଅଫ୍‌ ଦ ଇୟର’ ବଛା ଯାଇଥିଲା। ୨୦୦୧ରେ ସେ ରାଜୀବ ରାୟଙ୍କ ଫିଲ୍ମ ‘ପ୍ୟାର୍ ଇସ୍କ ଔର୍ ମୋହବ୍ବତ୍’ ମାଧ୍ୟମରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ। ଆଜି ପର୍ଯ୍ୟନ୍ତ ସେ ତାଙ୍କ କ୍ୟାରିୟର ଭିତରେ ୪୦ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି।

Advertisment

ଅର୍ଜୁନ ରାମପାଲ୍ ଦିୱାନାପନ୍, ଦିଲ୍ କା ରିସ୍ତା, ବାଦା, ଅସମ୍ଭବ, ୟକୀନ୍, ଡି-ଡେ, ରାଜନୀତି, ରାକ୍-ଅନ୍, ଡାଡି, ଦିଲ୍ ହେ ତୁମ୍ହାରା ଭଳି ଫିଲ୍ମରେ ନିଜ ଅଭିନୟର ପ୍ରତିଭା ଦ୍ୱାରା ଦର୍ଶକମାନଙ୍କ ହୃଦୟ ଜିତି ପାରିଛନ୍ତି।

Arjun Rampal turns 49 years oldପୁଅ ସହ ଅର୍ଜୁନ

ପ୍ରମାଣ କରିଦେଲେ ମଡେଲ୍ ବି ହୋଇପାରେ ଭଲ ଅଭିନେତା:

ଖାଲି ଫିଲ୍ମରେ ଅଭିନୟ ନୁହେଁ ଅର୍ଜୁନ ରାମପାଲ ମଧ୍ୟ ଦୁ‍ଇଟି ଫିଲ୍ମର ପ୍ରଯୋଜକ ଦାୟିତ୍ୱ ନେଇଛନ୍ତି। ୨୦୦୬ରେ ‘ଆୟ ସି ୟୁ’ ଓ ୨୦୧୭ରେ ଫିଲ୍ମ୍ ‘ଡାଡି’ର ନିର୍ମାତା ସାଜିଥିଲେ ଅର୍ଜୁନ। ଅର୍ଜୁନଙ୍କ ଆଉ ଏକ ପ୍ରତିଭା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତାହା ହେଉଛି ‘ଡାଡି’ର ସ୍କ୍ରିନ୍‌ପ୍ଲେ ସେ ନିଜେ ଲେଖିଥିଲେ।

ସାଧାରଣତଃ ଏକ ଧାରଣା ଥିଲା ଯେ ଜଣେ ମଡେଲ କେବେ ବି ଭଲ ଅଭିନୟ କରିପାରିବ ନାହିଁ। ଏହି ଆଲୋଚନାର ଶିକାର ମଧ୍ୟ ଅର୍ଜୁନ ରାମପାଲ୍ ହୋଇଥିଲେ। କିନ୍ତୁ ଏହି ଧାରଣାକୁ ସେ ଭୁଲ ପ୍ରମାଣିତ କରିଥିଲେ। ଅର୍ଜୁନ୍ ଫିଲ୍ମ ‘ରାକ୍ ଅନ୍’ ପାଇଁ ଶ୍ରେଷ୍ଠ ସହଅଭିନେତା ନେଇ ଜାତୀୟ ପୁରସ୍କାର ଜିତି ଏଭଳି ଆଲୋଚକଙ୍କୁ ମୁହଁତୋଡ ଜବାବ ଦେଇଥିଲେ।

ଝଡ ଝଞ୍ଜାର ଜୀବନ:

ଅର୍ଜୁନଙ୍କ ଜୀବନ ଏତେ ସହଜ ନ ଥିଲା। ସେ ତାଙ୍କ ଜୀବନରେ ଅନେକ ଉଠାଣି ଗଡାଣି ଦେଇ ଗତି କରିଛନ୍ତି। ୧୯୯୮ରେ ପୂର୍ବତନ ମିସ୍ ଇଣ୍ଡିଆ ତଥା ସୁପର ମଡେଲ୍ ମେହର ଜେସିଆଙ୍କୁ ସେ ବିବାହ କରିଥିଲେ। କିନ୍ତୁ ଦୁଖର କଥା ଯେ ଦୀର୍ଘ ୨୧ ବର୍ଷ ଏକାଠି ରହିବା ପରେ ବି ୨୦୧୯ରେ ଉଭୟଙ୍କର ବିଚ୍ଛେଦ ହୋଇଥିଲା। ଅର୍ଜୁନ-ମେହରଙ୍କର ଦୁଇ ଝିଅ ମାହିକା ଓ ମାୟରା ଅଛନ୍ତି।

Arjun Rampal turns 49 years oldପରିବାର ସହ ଅର୍ଜୁନ ରାମପାଲ

ମେହରଙ୍କ ଠାରୁ ବିଚ୍ଛେଦ ହେବା ପରେ ଅର୍ଜୁନ ଅନ୍ୟଜଣେ ମଡେଲଙ୍କ ସହିତ ରିଲେସନରେ ଅଛନ୍ତି। ସେ ହେଉଛି ଗେବ୍ରିଏଲ୍। ଗେବ୍ରିଏଲ୍‌ଙ୍କ ଠାରୁ ଅର୍ଜୁନଙ୍କର ମଧ୍ୟ ଏକ ପୁଅ ଅଛି। ଅର୍ଜୁନଙ୍କ ନାମ ମଧ୍ୟ ଦ୍ରଗ୍ସ କେସ୍ ସହିତ ଜଡିତ ଅଛି। ଏନ୍‌ସିବି ତାଙ୍କର ଓ ଗେବ୍ରିଏଲ୍‌ଙ୍କ ଘର ଉପରେ ମଧ୍ୟ ଚଢଉ କରିଛି।

ଫିଲ୍ମ ଦୁନିଆରେ ସକ୍ରିୟ:

ଜୀବନରେ ଏସବୁ ଝଡଝଞ୍ଜା ସତ୍ତ୍ୱେ ଅର୍ଜୁନ କେବେ ମନୋରଞ୍ଜନ ଦୁନିଆରୁ ଦୂରେଇ ଯାଇ ନାହାନ୍ତି। ସେ ଲଗାତର ଫିଲ୍ମରେ କାମ କରିଚାଲିଛନ୍ତି। ବର୍ତ୍ତମାନ ତାଙ୍କ ହାତରେ ଅନେକ ବଡ ବଜେଟର ଫିଲ୍ମ ଅଛି। କଙ୍ଗନା ରାଣାୱତଙ୍କ ସହିତ ଅର୍ଜୁନ ରାମପାଲ ଖୁବ ଶୀଘ୍ର ‘ଧାକଡ’ ଫିଲ୍ମରେ ଦେଖାଦେବେ। ଏହା ସହିତ ସେ ବଡ ବଜେଟ୍‌ର ତେଲୁଗୁ ଫିଲ୍ମ ‘ହରୀ ହରା ବୀରା ମାଲୁ’ରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Happy Birth Day Arjun Rampal Bollywood
Advertisment
Advertisment