Advertisment

ଗଣ ଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ମା’-ପୁଅ

ମାଟ୍ରିକ ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଜଣେ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାହା ପୁଣି  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ । ଖାଲି ଛାତ୍ର ନୁହେଁ, ଛାତ୍ରଙ୍କ ମା’ ମଧ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଉଭୟେ, କିରାସିନି ବୋତଲ ଧରି ଆତ୍ମାହୁତି ଉଦ୍ୟମ କରିବା ବେଳେ କାବୁ ନେଇଥିଲା ପୋଲିସ।

author-image
Minati Mishra
ଗଣ ଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ମା’-ପୁଅ

suicide attempt of woman with her son

ଭୁବନେଶ୍ୱର:ମାଟ୍ରିକ ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଜଣେ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାହା ପୁଣି  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ । ଖାଲି ଛାତ୍ର ନୁହେଁ, ଛାତ୍ରଙ୍କ ମା’ ମଧ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଉଭୟେ, କିରାସିନି ବୋତଲ ଧରି ଆତ୍ମାହୁତି ଉଦ୍ୟମ କରିବା ବେଳେ କାବୁ ନେଇଥିଲା ପୋଲିସ।  ଉଭୟଙ୍କୁ କ୍ୟାପିଟାଲ ଥାନାରେ ଅଟକ ରଖି ପୋଲିସ ବୁଝାସୁଝା କରୁଛି।

Advertisment

ଏଥର କରୋନାର ୨ୟ ଲହରକୁ ଦୃଷ୍ଟିରେ ରଖି ବାତିଲ କରାଯାଇଥିଲା ମାଟ୍ରିକ ପରୀକ୍ଷା। ମାଟ୍ରିକ୍ ରେଜଲ୍ଟ ପାଇଁ ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତିକୁ ବୋର୍ଡ ଅନୁମୋଦନ କରିଥିଲା। ଏହି ମୂଲ୍ୟାୟନ ପଦ୍ଧତି ଅନୁସାରେ ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାୟନ ହେବ ବୋଲି କୁହାଯାଇଥିଲା। ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତି ଅନୁସାରେ ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ। ସେହିଭଳି ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ୍‌ ପରୀକ୍ଷାରେ ପିଲା ରଖିଥିବା ମାର୍କକୁ ମଧ୍ୟ ବିଚାରକୁ ନିଆଯିବ। ନବମର ୪୦ ପ୍ରତିଶତ ମାର୍କକୁ ଗୁରୁତ୍ୱ ଦିଆଯିବ।

ସେହି ଅନୁସାରେ ମଧ୍ୟ ପରୀକ୍ଷା ଫଳ ବାହାରିଥିଲା। ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ  ୧୦ମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।  ପାସ ହାର ୯୭.୮୯ ପ୍ରତିଶତ ଥିବାବେଳେ ଏକ୍ସ ରେଗୁଲାର ଫଳାଫଳ ୮୮ ପ୍ରତିଶତ ଥିଲା। ଗତବର୍ଷ ଅପେକ୍ଷା ଫଳାଫଳ ଭଲ ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ତଥାପି ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା।

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ମାଟ୍ରିକ୍ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପ୍ରତିବାଦ କରିବା ସହ  ଶିକ୍ଷକଙ୍କୁ ଘେରିଥିଲେ।  ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ। ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ଥିବା ଦର୍ଶାଇ ଶିକ୍ଷକଙ୍କୁ ଘେରିଥିଲେ। ପରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫ ଲାଇନ ପରୀକ୍ଷା ଦେଇ ପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା। ଜୁଲାଇ ୫ରୁ ଅଫ୍‌ଲାଇନ ପରୀକ୍ଷା ନେଇ ଫର୍ମ ଫିଲ୍ଅପ୍ କରାଯିବ ବୋଲି ତାରିଖ ଘୋଷଣା ମଧ୍ୟ କରାଯାଇଥିଲା। ୧୦ ଦିନ ଭିତରେ ଫର୍ମ ଫିଲ୍ଅପ୍ ଶେଷ ପାଇଁ ବୋର୍ଡ ପକ୍ଷରୁ  ନିର୍ଦ୍ଦେଶ ଦିଆଯାଇଥିଲା। 

 ଆଜି  ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ର ଜଣକ  କ୍ୟାପିଟାଲ ହାଇସ୍କୁଲର ଛାତ୍ର ଓ ତାଙ୍କ ନାଁ ଇମ୍ରାନ୍ ଖାନ୍ । ଚଳିତବର୍ଷ ବିନା ପରୀକ୍ଷାରେ ବାହାରିଥିବା ରେଜଲ୍ଟରେ ୨୭୨ ନମ୍ୱର ରଖିଥିଲେ। ପ୍ରକୃତରେ ସେ ପ୍ରଥମ ଶ୍ରେଣୀରେ ପାସ୍ କରିବେ ବୋଲି ତାଙ୍କ ମାଆ ଆଶା କରିଥିଲେ। ତେଣୁ ଅଫ ଲାଇନରେ ପରୀକ୍ଷା ଦେବାକୁ ଚାହୁଁଥିଲେ। ହେଲେ  ଅଫ ଲାଇନ ପରୀକ୍ଷା ପାଇଁ  ସ୍କୁଲରେ ଫର୍ମଫିଲପ କରାଇ ନ ଥିଲେ। ଏ ନେଇ ଗତକାଲି କ୍ୟାପିଟାଲ ସ୍କୁଲ ଆଗରେ  ଧାରଣା ଦେଇଥିଲେ।  ଉଭୟ ମା ପୁଅ  ଫର୍ମପୂରଣ ନକରି ପାରିବା ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଛାତ୍ରଙ୍କ ମା’।

ଏହାପରେ ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନିଜର କ୍ଷୋଭ ପ୍ରକାଶ କରି ଛାତ୍ର ଇମ୍ରାନ୍ ଖାନଙ୍କ ମା’ ଯସ୍ମିନ୍ କହିଛନ୍ତି, ଫର୍ମ ଫିଲପ ପାଇଁ ସ୍କୁଲକୁ ଯାଇଥିଲୁ। ହେଲେ ଫର୍ମ ଫିଲପ କରାଇବା ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ କୌଣସି ଆଶ୍ୱାସନା ପାଇଲେ ନାହିଁ। ବରଂ ପିଲାର କ୍ୟାରେକ୍ଟର ଭଲ ନୁହେଁ, ସ୍କୁଲ ଆସୁ ନ ଥିଲା...ଏମିତି ଅନେକ ଅଭିଯୋଗ ସ୍କୁଲ କହିଥିବା ଛାତ୍ରଙ୍କ ମା’ ଅଭିଯୋଗ କରଛନ୍ତି। ଯଦି ଏତେ ଅଭିଯୋଗ ଥିଲା ତେବେ ପ୍ୟାରେଣ୍ଟ୍‌ସ-ଟିଚର ମିଟିଂରେ କାହିଁକି କହୁ ନ ଥିଲେ ବୋଲି ଛାତ୍ରଙ୍କ ମା’ ଅଭିଯୋଗ କରିଛନ୍ତି।  ଗତକାଲି ଦୁହେଁ ସ୍କୁଲରେ ସାମ୍ନାରେ ଧାରଣା ଦେବା ସହିତ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା।

ଅନ୍ୟପକ୍ଷେ କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅମର କୁମାର ବେହେରା କହିଛନ୍ତି, ଇମ୍ରାନ୍‌ଙ୍କ ଅଭିଭାବକ ଦୁଇ ଥର ଆସି ଯୋଗାଯୋଗ କରିଥିଲେ। ଘରେ କଥାବାର୍ତ୍ତା କରି ଫର୍ମ ପୂରଣ କରିବେ ବୋଲି କହିଥିଲେ। କିନ୍ତୁ ଫର୍ମପୂରଣ ଶେଷ ଦିନ ପର୍ଯ୍ୟନ୍ତ କେହି ଆସିଲେ ନାହିଁ। ଏବେ ଆଉ ଫର୍ମପୂରଣ ସମ୍ଭବ ନୁହେଁ। ଆମ ପକ୍ଷରୁ କୌଣସି ଭୁଲ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି। 

Odisha News School And Mass Education
Advertisment
Advertisment