Advertisment

ହାଇଦର ନାଁରେ ଚାଲିଥିବା ମାମଲା ଚାଲିବ ନା ସରିଯିବ?

ପୋଲିସ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ ଏବେ ପ୍ରଶ୍ନ, କଣ ହେବ ତା ନାଁରେ ବିଭିନ୍ନ ଥାନାରେ ଥିବା ଏକାଧିକ ଅପରାଧିକ ମାମଲାର ଭବିଷ୍ୟତ? ଶେଖ୍ ଚୁନା ହତ୍ୟାକାଣ୍ଡ ହେଉ କି ବହୁଚର୍ଚ୍ଚିତ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲା ଅବା ଏସସିବି ମେଡିକାଲରୁ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଚମ୍ପଟ ମାରିବା ଘଟଣା

author-image
Sarbeswar
ଅଦ୍ୟତନ ହୋଇଛି
ହାଇଦର ନାଁରେ ଚାଲିଥିବା ମାମଲା ଚାଲିବ ନା ସରିଯିବ?

Haider Case

ଭୁବନେଶ୍ୱର: ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ପରେ ଏବେ ପ୍ରଶ୍ନ, ତା ନାଁରେ ଥିବା ଅପରହଣ ଓ ହତ୍ୟା ଭଳି ସଂଗୀନ ମାମଲା ସବୁ ଆଗକୁ ଆଉ ଚାଲିବ ନା ଥମିଯିବ? ତା ସହ ପୋଲିସକୁ ଚକମା ଦେଇ ଫେରାର ମାମଲାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଆଉ ଧରାହେବେ ନା ମୁକୁଳିଯିବେ? ସେପଟେ ହାଇଦର୍ ଏନକାଉଣ୍ଟର ଘଟଣା ପରେ ରାଜ୍ୟର ବିଭିନ୍ନ ଜେଲରେ ଥିବା ଅନ୍ୟ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ଛାତିରେ ପଶିଲାଣି ଛନକା।

Advertisment

ପୋଲିସ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ ଏବେ ପ୍ରଶ୍ନ, କଣ ହେବ ତା ନାଁରେ ବିଭିନ୍ନ ଥାନାରେ ଥିବା ଏକାଧିକ ଅପରାଧିକ ମାମଲାର ଭବିଷ୍ୟତ? ଶେଖ୍ ଚୁନା ହତ୍ୟାକାଣ୍ଡ ହେଉ କି ବହୁଚର୍ଚ୍ଚିତ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲା ଅବା ଏସସିବି ମେଡିକାଲରୁ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଚମ୍ପଟ ମାରିବା ଘଟଣା ଏମିତିକି ଏସସିବିରୁ ଫେରାର ଘଟଣାରେ ଏକାଧିକ ବଡ଼ ବଡ଼ିଆଙ୍କ ସଂପୃକ୍ତି ଥିବା ଚର୍ଚ୍ଚା ହୋଇଥିଲା। ଗତ ଏପ୍ରିଲରେ ହାଇଦର ଫେରାର ଘଟଣାରେ ପୋଲିସ ୭ଜଣଙ୍କୁ ଗିରଫ କରିଥିବାବେଳେ ଅନେକ ଅଭିଯୁକ୍ତ ଖସି ଯାଇଛନ୍ତି।

ଯେହେତୁ ଘଟଣାର ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ଘଟିସାରିଛି, ତେଣୁ ମାମଲାରେ ଫେରାର ଥିବା ହାଇଦରର ସାନପୁଅ ଆଝାରୁଦ୍ଦିନ ଓ ଜ୍ୱାଇଁ ହୁଅନ୍ତୁ କି ସମ୍ବଲପୁରରୁ ଏସସିବିକୁ ଚିକିତ୍ସା ପାଇଁ ଆସିବା ପଛରେ ସହଯୋଗ କରିଥିବା ଅଧିକାରୀଙ୍କୁ ତଦନ୍ତ ପରିସରରେ ରଖାଯିବ ନା ଫାଇଲରେ ଡୋରି ବନ୍ଧା ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ହାଇଦର ଏହି ଘଟଣାରେ ରିମାଣ୍ଡରେ ଆସିଥାନ୍ତା, ହୁଏତ ବହୁ ଲୋକଙ୍କ ନାଁ ପଦାକୁ ଆସିଥାନ୍ତା। ସେମାନେ ହୁଅନ୍ତୁ କି ମାମଲାର ଅନ୍ୟ ଅଭିଯୁକ୍ତ, ପ୍ରମାଣ ଅଭାବରୁ ସମସ୍ତେ ମୁକୁଳି ଯାଇ ପାରନ୍ତି ବୋଲି ଆଶଙ୍କା କରିଛନ୍ତି ଆଇନଜୀବୀ। ସେହିପରି ସଠିକ୍ ପ୍ରମାଣ କୋର୍ଟରେ ଉପସ୍ଥାପନ କଲେ ସବୁ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବେ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି।

Advertisment

ଜେଲରୁ ସ୍ଥାନାନ୍ତରଣ ବେଳେ ପୋଲିସ୍ ଗୁଳିରେ ହାଇଦର ସଫା ହେବା ପରେ ଏବେ ଚର୍ଚ୍ଚା, ପରବର୍ତ୍ତୀ ଟାର୍ଗେଟ୍ କିଏ? ଯାହାକୁ ନେଇ ପ୍ରମାଦ ଗଣିଲେଣି ରାଜ୍ୟର ବିଭିନ୍ନ ଜେଲରେ ଥିବା ବଡ଼ ବଡ଼ ଗ୍ୟାଙ୍ଗଷ୍ଟର। ଯେମିତିକି ଝାରପଡ଼ାରୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର ହୋଇଥିବା କୁଖ୍ୟାତ ଅପରାଧୀ ଟିଟୋ, ସମ୍ବଲପୁର ଯାଇଥିବା ବିକ୍ରମ ମଲ୍ଲିକ, ଝାରପଡ଼ାରେ ଥିବା ରାଜା ଆାଚାର୍ଯ୍ୟ, ବଲାଙ୍ଗିରରେ ସୁଶାନ୍ତ ଧଳସାମନ୍ତ ଓ ବାଲେଶ୍ୱରରେ ସୁଶୀଲ ଧଳସାମନ୍ତ ଏବଂ ବ୍ରହ୍ମପୁର ଜେଲରେ ଥିବା ସକିଲ୍।

ଜେଲରେ ଥାଇ ବି ଏମାନେ କ୍ରାଇମ୍ ନେଟଓ୍ୱର୍କ ଚାଲୁ ରଖୁଥିବାରୁ ଅପରେସନ କ୍ଲିନ୍ ଅପ୍ ଲକ୍ଷ୍ୟରେ ଜେଲରେ ୪ରୁ ଅଧିକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରଖାନଯିବାକୁ ଜେଲ୍ ବିଭାଗର ନିଷ୍ପତ୍ତି ଅନୁସାରେ ଏମାନଙ୍କୁ ବିଭିନ୍ନ ସମୟରେ ସେମାନଙ୍କ ମୂଳ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ଚାଲୁରହିଛି। ସୂଚନା ଅନୁସାରେ ପାଖାପାଖି ୧୫୦ରୁ ଅଧିକ ହାର୍ଡକୋର କ୍ରିମିନାଲଙ୍କୁ ନିୟମିତ ଭାବେ ଗୋଟିଏରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଉଥିବାବେଳେ ଏମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସ୍ପାଏ ବି ଲଗାଯାଇଛି।

Gangster Haider Police Encounter Odisha
Advertisment
Advertisment