Advertisment

ଓଏସ୍‌ଏସ୍‌ସି ପିଏସ୍‌ଙ୍କ ଘରେ ଚଢଉ : ଦେଢ କେଜି ସୁନା, ସାଢେ ୩ କୋଟି ସଂପତ୍ତି ଠାବ

ଦେଢ଼ କେଜି ସୁନା, ନଗଦ ୨୫ ଲକ୍ଷ ଟଙ୍କା, ପାଖାପାଖି ସାଢ଼େ ୩ କୋଟିର ସଂପତ୍ତି ତା’ ସାଙ୍ଗକୁ ଆହୁରି କେତେ କଣ ଏଭଳି ବିପୁଳ ପରିମାଣର ଆୟବହିର୍ଭୁତ ସଂପତ୍ତି ଭିଜିଲାନ୍ସ ରେଡ୍‌ରୁ ଜଣେ ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ପିଏସ୍‌ଙ୍କ ଘରୁ ଠାବ ହୋଇଛି। ଏହାକୁ ନେଇ ହଇଚଇ ସୃଷ୍ଟି ହୋ‍ଇଛି।

author-image
Pramod Behera
ଓଏସ୍‌ଏସ୍‌ସି ପିଏସ୍‌ଙ୍କ ଘରେ ଚଢଉ : ଦେଢ କେଜି ସୁନା, ସାଢେ ୩ କୋଟି ସଂପତ୍ତି ଠାବ

Vigilace Raid

ଭୁବନେଶ୍ୱର : ଦେଢ଼ କେଜି ସୁନା, ନଗଦ ୨୫ ଲକ୍ଷ ଟଙ୍କା, ପାଖାପାଖି ସାଢ଼େ ୩ କୋଟିର ସଂପତ୍ତି ତା’ ସାଙ୍ଗକୁ ଆହୁରି କେତେ କଣ ଏଭଳି ବିପୁଳ ପରିମାଣର ଆୟବହିର୍ଭୁତ ସଂପତ୍ତି ଭିଜିଲାନ୍ସ ରେଡ୍‌ରୁ ଜଣେ ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ପିଏସ୍‌ଙ୍କ ଘରୁ ଠାବ ହୋଇଛି। ଏହାକୁ ନେଇ ହଇଚଇ ସୃଷ୍ଟି ହୋ‍ଇଛି। ପିଏସ୍ ଜଣକ ହେଲେ ବିରଞ୍ଚି ନାରାୟଣ ସାହୁ। ମିଳିଥିବା ସୂଚନା ଅନୁଯାୟୀ ବିରଞ୍ଚିଙ୍କ ଭୁବନେଶ୍ୱର ଓ କଟକ ବାସଭବନ ସମେତ ୬ଟି ସ୍ଥାନରେ ସକାଳୁ ଚାଲିଛି ରେଡ୍। ତେବେ ଜଣେ ପିଏସ୍‌ଙ୍କ ପାଖରୁ ଏତେ ପରିମାଣର ସଂପତ୍ତିକୁ ନେଇ OSSCରେ କମ୍ପନ ସୃଷ୍ଟି ହୋଇଛି। କେମିତି ଏବଂ କେଉଁଠୁ ଆସିଲା ଏତେ ଟଙ୍କା, ତାର ତଦନ୍ତ ହେବ ବୋଲି ଅଧ୍ୟକ୍ଷ କହିଛନ୍ତି।

Advertisment

ଜଣେ ସରକାରୀ କର୍ମଚାରୀ, ତାହାପୁଣି ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କ ପାଖରୁ ସମ୍ପତିର ଏ କଳେବର ଦେଖି ଆପଣଙ୍କ ମୁଣ୍ଡ ବି ଘୂରେଇ ଦେଇପାରେ। ସେ ହେଉଛନ୍ତି କରିତକର୍ମା କୁବେର ପିଏସ୍ ବିରଞ୍ଚି ସାହୁ। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବିରଞ୍ଚିଙ୍କ ଭୁବନେଶ୍ୱରସ୍ଥ ନିଳାଦ୍ରୀବିହାର ବାସଭବନ ଓ କଟକ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢଉ ହୋଇଛି। ଏହି ଚଢଉରୁ ଆଖି ଖୋସିହେଲା ଭଳି ଅସତ୍ ଅର୍ଜନ ସଂପତ୍ତି ସକାଳୁ ଅପରାହ୍ନ ଯାଏଁ ଗଣତିରୁ ମିଳିଛି ନଗଦ ୨୫ ଲକ୍ଷ ଟଙ୍କା, ଠାବ ହୋଇଛି ପାଖାପାଖି ୩ କୋଟି ମୂଲ୍ୟର ୨ଟି ଦୁଇ ମହଲା କୋଠା, ୯ଟି ଜମି, ଦୁଇଥର ବିଦେଶ ଗସ୍ତର ଡକ୍ୟୁମେଣ୍ଟ୍‌। ସବୁଠୁ ବଡ଼ କଥା ହେଉଛି ବିରଞ୍ଚିଙ୍କ ନିଜ ଘରୁ ୧୨ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା ବେଳେ ତାଙ୍କ ଶଳାଙ୍କ ଘରୁ ମିଳିଛି ୧୩ ଲକ୍ଷ ଟଙ୍କା। ଏପରିକି ରେଡ୍ ପୂର୍ବରୁ ଭିଜିଲାନ୍ସକୁ ଡରି ସେ କିଛି ଟଙ୍କା ବିଡ଼ାକୁ ଝରକା ବାଟେ ଫିଙ୍ଗି ଦେଇଥିବା ବି କୁହାଯାଉଛି।

Advertisment

ଏଠାରେ ପ୍ରଶ୍ନ ଉଠୁଛି ଯେ ଜଣେ ତୃତୀୟ ଶ୍ରେଣୀ ସରକାରୀ କର୍ମଚାରୀଙ୍କ ପାଖକୁ ଏତେ ଟଙ୍କା, ସଂପତ୍ତି ଆସିଲା କୁଆଡୁ? ଷ୍ଟାଫ୍ ସିଲେକ୍ସନ୍ ଜରିଆରେ ନିଯୁକ୍ତିରେ ଅର୍ଥକାରବାର ହେଉଛି କି? ଚାକିରି ପାଇଁ ପ୍ରାର୍ଥୀଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି କି? ଯଦି ହଁ, ତେବେ ଏଥିରେ କେବଳ ପିଏସ୍ ବିରଞ୍ଚି ସଂପୃକ୍ତ ନା ଉପର ଅଧିକାରୀଙ୍କ ବି ସଂପୃକ୍ତି ରହିଛି? ଏ ଚେର ଆଉ କୁଆଡ଼େ କୁଆଡ଼େ ମାଡ଼ିଛି? ତେବେ ବିରଞ୍ଚିଙ୍କ ଏତେ ଦରମା ନ ଥିବାରୁ ଏହା ନିଶ୍ଚିତ ଭାବେ ଅସାଧୁ ଅର୍ଜନ ବୋଲି ଭିଜିଲାନ୍ସ ଏସ୍‌ପି ଆର୍. ପ୍ରକାଶ ବି ସନ୍ଦେହ କରିଛନ୍ତି। ତେଣୁ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଚାଲିଛି।

ଏପଟେ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ସଦସ୍ୟଙ୍କ ପିଏସ୍‌ଙ୍କ ପାଖରୁ ଏଭଳି ବିପୁଳ ସମ୍ପତ୍ତି ଠାବ ପରେ OSSCରେ ବି କମ୍ପନ ସୃଷ୍ଟି ହୋଇଛି। ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି, OSSCର ସମସ୍ତ ପରୀକ୍ଷାରୁ ବିରଞ୍ଚି ଦୂରରେ ରୁହନ୍ତି। ହେଲେ ତାଙ୍କ ପାଖରୁ ଏତେ ଟଙ୍କା କେଉଁଠୁ ଓ କେମିତି ଆସିଲା ତା’ର ତଦନ୍ତ ହେବ। ତେବେ ନିଜ ପିଏସ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ ସଂପର୍କରେ ମୁହଁ ଖୋଲି OSSC ସଦସ୍ୟ ଜଗନ୍ନାଥ ଲେଙ୍କା ଏଥିରେ ତାଙ୍କର କୌଣସି ନେଣଦେଣ ନାହିଁ ବୋଲି କହିଛନ୍ତି।

ପ୍ରକାଶଥାଉ ଯେ ପିଏସ୍ ବିରଞ୍ଚି ସାହୁଙ୍କର ଭୁବନେଶ୍ୱର ସମେତ କଟକରେ ଥିବା ଘର ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ୬ଟି ସ୍ଥାନରେ ହୋଇଥିବା ରେଡ୍‌ରେ ଭିଜିଲାନ୍ସ ଏସ୍‌ପିଙ୍କ ସହ ୪ ଜଣ ଡିଏସ୍‌ପି, ୧୩ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ସାମିଲ ଥିଲେ।

OSSC Vigilance Raid
Advertisment
Advertisment