• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବନ ସଂରକ୍ଷକ ସୌମ୍ୟ ରଂଜନ ମହାପାତ୍ରଙ୍କ କେମିତି ହେଲା ମୃତ୍ୟୁ ?

  • ଅଘଟଣ ନା ଆତ୍ମହତ୍ୟା ନା ହତ୍ୟା ?

  • ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ । 

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଂଜନ ମହାପାତ୍ରଙ୍କ କେମିତି ହେଲା ମୃତ୍ୟୁ ? ଅଘଟଣ ନା ଆତ୍ମହତ୍ୟା ନା ହତ୍ୟା ? ଗତ ଦୁଇ ଦିନ ଧରି ଏନେଇ ସନ୍ଦେହ ଘନିଭୂତ ହେଉଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ । ସୂଚନାଯୋଗ୍ୟ, ସୌମ୍ୟଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକ ପତ୍ନୀ ବିଦ୍ୟାଭାରତୀଙ୍କୁ ଦାୟୀ କରି ଆସୁଥିଲେ । ତେବେ ଦୁଇ ଦିନ ହେବ ସୌମ୍ୟଙ୍କ ପତ୍ନୀ ମୁହଁ ବନ୍ଦ ରଖିଥିବା ଯୋଗୁଁ ଅନେକ ଲୋକ ତାଙ୍କୁ ସନ୍ଦେହ ଘେରକୁ ଆଥିଲେ । କିନ୍ତୁ ଏବେ ସୌମ୍ୟଙ୍କ ପତ୍ନୀ ମୁହଁ ଖୋଲିଛନ୍ତି ।

ସେ କହିଛନ୍ତି ଘଟଣା ଦିନ ଉଭୟଙ୍କ ମଧ୍ୟରେ ହସ ଖୁସିର ମାହୋଲ ଥିଲା । ଘରେ ରୋଷେଇ ଚାଲିଥିବା ବେଳେ ସେ ଖାଇବା ବାଢ଼ିବାକୁ ଯାଇଥିଲେ । ଏହି ସମୟରେ ଅଘଟଣ ଘଟିଥିଲା । ପରିବାର ଲୋକେ ଲଗାଇଥିବା ଅଭିଯୋଗକୁ ବିଦ୍ୟାଭାରତୀ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ସେ ଆହୁରି କହିଛନ୍ତି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବେଶ ନିବିଡ଼ ଥିଲା । ସେହିପରି ଡିଏଫ୍ଓ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଏଥିରେ ସମ୍ପୃକ୍ତି ନଥିବା କଥା ମଧ୍ୟ ସେ କହିଛନ୍ତି ।

ଅନ୍ୟପଟେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ତାଙ୍କ ପରିବାର ଲୋକେ । ଘଟଣା ଦିନ ସୌମ୍ୟରଂଜନଙ୍କ ସ୍ତ୍ରୀ, ଡିଏଫଓ ଏବଂ ରୋଷେଇ କରୁଥିବା ଗାର୍ଡ ଘରେ ଥିଲେ । କାହାକୁ କିଛି ହେଲାନି କେବଳ ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା ବୋଲି ସନ୍ଦେହ କରି ଏହି ତିନି ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରିବାକୁ ଦାବି କରିଛନ୍ତି ପରିବାର ଲୋକ । ଏହି ତିନି ଜଣ ଷଡ଼ଯନ୍ତ୍ର କରି ସୌମ୍ୟରଞ୍ଜନକୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହି ଅଘଟଣା ରାତି ପ୍ରାୟ ୯ଟା ବେଳେ ଘଟିଥିଲା । ACFO ସୌମ୍ୟରଞ୍ଜନ ମହାପାତ୍ର ହଠାତ ନିଆଁରେ ପୋଡ଼ି ହୋଇ ଯାଇଥିବା ନେଇ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ ପତ୍ନୀ । ପରେ ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର MKCG ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ପର ଦିନ ସକାଳୁ କଟକସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଶରୀରର ପ୍ରାୟ ୯୦ ଭାଗ ପୋଡ଼ିଯାଇଥିବାରୁ ମୃତ୍ୟୁ ସହ ପ୍ରାୟ ୧୨ ଘଣ୍ଟାର ସଂଘର୍ଷ କରି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଆଖି ବୁଜିଦେଇଥିଲେ ସୌମ୍ୟରଞ୍ଜନ ।