/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634748106.jpg)
Mamita Meher Case
ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଝଡ଼ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପି ଓ କଂଗ୍ରେସର ରାଜ୍ୟ ବ୍ୟାପୀ ବିକ୍ଷୋଭ, ରାସ୍ତାରୋକ ଓ କଳାପତାକା ପ୍ରଦର୍ଶନ । ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ କରାଯାଇଥିବା ବେଳେ ବଲାଙ୍ଗିର, କଟକ ଓ ଭୁବନେଶ୍ୱରରେ ଦଳ ବିକ୍ଷୋଭ କରିଥିଲା । ଭବାନିପାଟଣାରେ ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘର ଉପରକୁ ଦଳର ମହିଳା ମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ କରାଯାଇଥିଲା । ସେହିପରି ନବୀନ ନିବାସ ସମ୍ମୁଖରେ ବି ଦଳ ବିକ୍ଷୋଭ କରିଥିବା ବେଳେ ଯୁବ କଂଗ୍ରେସ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା ।
Also Read
କଳାହାଣ୍ଡିରୁ କଟକ, ବଲାଙ୍ଗିରରୁ ଭୁବନେଶ୍ୱର ମମିତା ମେହେର ହତ୍ୟା ଘଟଣାକୁ ନେଇ ହୁଲୁସ୍ତୁଲ୍ ସାରା ରାଜ୍ୟ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପିର ହାଲ୍ଲାବୋଲ । ଦଳର ଡାକରାରେ ଆଜି କଳାହାଣ୍ଡି ବନ୍ଦ ରହିଥିଲା । ଭବାନିପଟଣାରେ ଦୋକାନ ଖୋଲିନଥିଲା କି ଗାଡି ଚଲାଚଳ କରିନଥିଲା । ସରକାରୀ ଓ ବେସରକରୀ ଶିକ୍ଷାନୁଷ୍ଟାନ ବି ବନ୍ଦ ରହିଥିଲା । ଭବାନିପାଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘର ଉପରକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ କରାଯାଇଥିଲା । ମହାଲିଙ୍ଗରେ ମଧ୍ୟ ଦଳ ବିକ୍ଷାଭ ପ୍ରଦର୍ଶନ କରିଥିଲା ।
ବଲାଙ୍ଗିରରେ ସାଂସଦ ସଙ୍ଗୀତା ସିଂହଦେଓଙ୍କ ନେତୃତ୍ୱରେ ବିକ୍ଷୋଭ ବେଳେ ଏସ୍ପି ଅଫିସ୍ ଆଗରେ ପୋଲିସ ଓ ବିଜେପି ମହିଳା ମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସେହିଭଳି ଭୁବନେଶ୍ୱର ନବୀନ ନିବାସ ଆଗରେ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚୁଡି ଦେଖାଇ ବିକ୍ଷୋଭ କରିଥିଲେ । କଟକ ବାଦାମବାଡିରେ ନଗର ବିଜେପି ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ ସହ ରାସ୍ତା ଅବରୋଧ କରାଯାଇଥିଲା ।
ବାଲେଶ୍ୱର, ପୁରୀ, ବୌଦ୍ଧ, ବ୍ରହ୍ମପୁର, ରାୟଗଡାରେ ବି ଦଳୀୟ କର୍ମୀ ରାସ୍ତାକୁ ଓହ୍ଲାଇଥିଲେ । ଏଣେ ବିଜେପି ରାଜ୍ୟସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛି । ସେହିପରି ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫଦାରୀ ଦାବି କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା । ଖାଲି ସେତିକି ନୁହେଁ ଘଟଣାର ସିବିଆଇ ତଦନ୍ତ ମଧ୍ୟ ସେ ଦାବି କରିଛନ୍ତି ।
କଂଗ୍ରେସ ବି ମମିତା ଘଟଣାକୁ ନେଇ ଜୋରଦାର ଢଙ୍ଗରେ ପ୍ରତିବାଦ କରିଛି । ନବୀନ ନିବାସ ସମ୍ମୁଖରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ସହ କଳାପତକା ପ୍ରଦର୍ଶନ କରାଯାଇଥିଲା । ନବୀନ ନିବାସକୁ ଧସେଇ ପଶିବା ଲାଗି ଉଦ୍ୟମ ବେଳେ ପୋଲିସ ଓ ଯୁବ କଂଗ୍ରେସ ମଧ୍ୟରେ ଠେଲାପେଲା ହୋଇଥିଲା । ସେହିପରି ଘଟଣାକୁ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଏକ ଟିମ୍ ରାଜ୍ୟପାଳଙ୍କୁ ଭେଟିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ । ତେଣେ ଗାଁକୁ ଯାଇ ମମିତା ମେହେରଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ ମନ୍ତ୍ରୀଙ୍କ ଇସ୍ତାଫା ଦାବି ସହ ଘଟଣାର ଏସ୍ଆଇଟି ତଦନ୍ତ ଦାବି କରିଛନ୍ତି ।
ମମିତା ମାମଲାକୁ ନେଇ ବିରୋଧୀଙ୍କ ରଣହୁଙ୍କାର ଭିତରେ କିନ୍ତୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମର୍ଥନରେ ଠିଆ ହୋଇଛି ବିଜେଡି । ମମିତାଙ୍କ ପରିବାରକୁ ନ୍ୟାୟ ମିଳିବ ଓ ଦୋଷୀ ନିଶ୍ଚିତ ଦଣ୍ଡିତ ହେବେ ବୋଲି କହିଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ ।
ତେଣେ କାଳେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ତାକୁ ଆଖିରେ ରଖି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ନିଜ ନାଁରେ ଆସିଥିବା ଅଭିଯୋଗକୁ ନେଇ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ଏଯାଏଁ ମୁହଁ ଖୋଲିନାହାନ୍ତି । ଏସବୁ ଭିତରେ ସୁପ୍ରିମୋ ନବୀନ ତାଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ଏବେ ତାକୁ ଅପେକ୍ଷା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)