Advertisment

ପିଲା ଚୋରିର ହବ୍‌ ପାଲଟିଛି ରାଉରକେଲା

ସମସ୍ତ ଅଭିଯୁକ୍ତ ରାଉରକେଲା ସହରର ଏବଂ ଧନୀକ ଶ୍ରେଣୀର ବୋଲି ସୂଚନା ମିଳିଛି। ଗଲା ଦୁଇ ବର୍ଷ ଭିତରେ ଏ ଗ୍ୟାଙ୍ଗ୍ ପ୍ରାୟ ୪୦ ଜଣ ଶିଶୁଙ୍କୁ ରାଜ୍ୟ ବାହାରେ ବିକି ଦେଇଥିବା କହିଛନ୍ତି ଖୋଦ୍ ରାଉରକେଲା ଏସପି।

author-image
Sarbeswar
ପିଲା ଚୋରିର ହବ୍‌ ପାଲଟିଛି ରାଉରକେଲା

Rourkela

ରାଉରକେଲା: ଷ୍ଟିଲ ସିଟି ରାଉରକେଲାରେ ଅପରାଧର ନୂଆ ତରିକା। ସହରରୁ ଛୁଆ କିଣି ରାଜ୍ୟ ବାହାରେ ବିକ୍ରି କରି ମାଲେମାଲ୍ ହେଉଥିଲେ କିଛି ସମ୍ଭ୍ରାନ୍ତ ବ୍ୟକ୍ତି। ଗଲା କିଛି ବର୍ଷ ଧରି ଏମିତି ରାକେଟ୍ ସକ୍ରିୟ ଥିବା ବେଳେ ଏ ହାଇପ୍ରୋଫାଇଲ ରାକେଟର ୫ ମହିଳାଙ୍କ ସମେତ ୭ ସଦସ୍ୟଙ୍କୁ ଗିରଫ କରିଛି ରାଉରକେଲା ପୋଲିସ। ସମସ୍ତ ଅଭିଯୁକ୍ତ ରାଉରକେଲା ସହରର ଏବଂ ଧନୀକ ଶ୍ରେଣୀର ବୋଲି ସୂଚନା ମିଳିଛି। ଗଲା ଦୁଇ ବର୍ଷ ଭିତରେ ଏ ଗ୍ୟାଙ୍ଗ୍ ପ୍ରାୟ ୪୦ ଜଣ ଶିଶୁଙ୍କୁ ରାଜ୍ୟ ବାହାରେ ବିକି ଦେଇଥିବା କହିଛନ୍ତି ଖୋଦ୍ ରାଉରକେଲା ଏସପି।

Advertisment

ପିଲା ବିକ୍ରି କାରବାରର ନୂଆ ହବ୍ ରାଉରକେଲା। ଏଇଠୁ ଯାଇ ରାଜ୍ୟ ବାହାରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛନ୍ତି କୁନି କୁନି ଛୁଆ। ଦୁଇ ଦିନ ତଳେ ପିଲା ବିକ୍ରି ରାକେଟ୍ ଚଳାଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଦୁର୍ବୃତ୍ତ। ରାଉରକେଲା ଏସ୍ପିଙ୍କ ସୂଚନା ଅନୁସାରେ ବ୍ୟସ୍ତବହୁଳ ଇସ୍ପାତ ନଗରୀରେ ଗଲା ୨ ବର୍ଷ ଧରି ସକ୍ରିୟ ଅଛି ଏ ରାକେଟ୍। ଗତକାଲି ଭୋରରୁ ଏକ ଶିଶୁ ବିକ୍ରି ଡିଲ୍ ଚାଲିଥିବା ବେଳେ ଅଭିଯୋଗ ପାଇ ଗ୍ୟାଙ୍ଗର ୭ ସଦସ୍ୟଙ୍କୁ କାବୁ କରିଥିଲା ପ୍ଲାଣ୍ଟ ସାଇଟ୍ ପୋଲିସ। ବେଶଭୂଷାରୁ ଏମାନେ ସଂଭ୍ରାନ୍ତ ଲାଗୁଥିଲେ ବି, ପିଲା ବିକ୍ରି ଭଳି ଘୃଣ୍ୟ କାମ କରି ବେଶ୍ ମୋଟା ଅଙ୍କର ଟଙ୍କା କମାଉଥିଲେ । ସମାଜସେବୀର ଭ୍ରମ ସୃଷ୍ଟି କରି ସହାୟତା ନାଁରେ ଏମାନେ ଗରିବ ପରିବାରରୁ ପିଲା କିଣି ସେମାନଙ୍କୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ। ଶିଶୁକନ୍ୟାକୁ ୩୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ଓ ଶିଶୁପୁତ୍ର ହେଲେ ୪ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ଆସିଛି। ଦୁଇ ବର୍ଷ ଭିତରେ ଏ ଗ୍ୟାଙ୍ଗ୍ ସହରରୁ ପ୍ରାୟ ୩୦ରୁ ୪୦ ଛୁଆ ରାଜ୍ୟ ବାହାରେ ବିକି ଦେଇଥିବା ଖୋଦ୍ ଏସପି କହିଛନ୍ତି।

Advertisment

ତେବେ ଏତେ ଦିନ ଧରି ରାଉରକେଲାରେ ଏ ରାକେଟ୍ ବେଧଡ଼କ ଚାଲିଥିଲା କେମିତି ? ପୋଲିସ, ଗୁଇନ୍ଦା ସଂସ୍ଥା, ଶିଶୁ ସୁରକ୍ଷା ଅନୁଷ୍ଠାନ ଏ ସମ୍ପର୍କରେ ଜାଣିପାରିଲେନି କେମିତି? ପୋଲିସ କହିଛି ସମାଜସେବାର ନାରା, ଏନଜିଓ ନାଁରେ ଶିଶୁଙ୍କ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେବା ଓ ଭଦ୍ର ମୁଖାର ଖୋଳପା ପିନ୍ଧିଥିବାରୁ ଏମାନେ ସହଜରେ ଧରାପଡ଼ୁନଥିଲେ। ଗିରଫ ହୋଇଥିବା ସବୁ ଅଭିଯୁକ୍ତ ଅଣଓଡ଼ିଆ ଓ ଏମାନେ ରାଉରକେଲାର ଭିଆଇପି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ତେବେ ପିଲା ବିକ୍ରି ଭଳି ଜଘନ୍ୟ କାମରେ ଲିପ୍ତ ଥିବାରୁ ଏମାନଙ୍କୁ କଡ଼ା ସଜ୍ଜା ଦେବାକୁ ଦାବି କରିଛନ୍ତି ସହରର ସଚେତନ ନାଗରିକ।

ରାଉରକେଲାରେ ଛୁଆ ବିକ୍ରି ରାକେଟର ପର୍ଦ୍ଦାଫାସ ପରେ ସାମ୍ନାକୁ ଆସିଛି ଛୁଆ ନିଖୋଜ ତଥ୍ୟ। ଗଲା ୫ ବର୍ଷରେ କେବଳ ରାଉରକେଲା ପୋଲିସ ଜିଲ୍ଲାରେ ୩୪ ଶିଶୁ ନିଖୋଜ ଓ ଅପହରଣ ଅଭିଯୋଗ ଆସିଥିବା ବେଳେ ସୁନ୍ଦରଗଡ଼ ପୋଲିସ ଜିଲ୍ଲାରେ ଗଲା ୪ ବର୍ଷରେ ୪୭ ଶିଶୁଙ୍କ ପତ୍ତା ମିଳୁନି। ତେଣୁ ଏ ରାକେଟ୍ ସହ ପିଲା ଚୋରି ରାକେଟର ଲିଙ୍କ୍ ଅଛି କି ନାହିଁ ଏବଂ ଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଖାଲି ପିଲା ବିକ୍ରି ନା ଅଙ୍ଗପ୍ରତ୍ୟଙ୍ଗ ତସ୍କରୀରେ ବି ସାମିଲ ଅଛନ୍ତି, ତାର ଖୋଳତାଡ଼ କରୁଛି ପୋଲିସ।

Rourkela Odisha
Advertisment
Advertisment