Advertisment

ସରକାରୀ ଚାକିରି କିନ୍ତୁ କୋଟି କୋଟି ଟଙ୍କାର ରଖିଛନ୍ତି ସମ୍ପତ୍ତି

ସରକାରୀ ଚାକିରି କରିଛନ୍ତି କିନ୍ତୁ କୋଟି କୋଟି ଟଙ୍କାର ସମ୍ପତ୍ତି ରଖିଛନ୍ତି, ଯାହାର ହିସାବ ସେ ନିଜେ ବି ଦେଇ ପାରୁନାହାନ୍ତି।

author-image
Sarbeswar
Police Housing

Police Housing

ଭୁବନେଶ୍ୱର(ଆଲୋକ ମହାନ୍ତି): ପୋଲିସ୍ ହାଉସିଂ କର୍ପୋରେସନରେ ସରକାରୀ ଚାକିରି, ହେଲେ ଅମାପ ସମ୍ପତ୍ତିର ମାଲିକ। ନିଜ ନାଁରେ କମ୍, ସ୍ତ୍ରୀ ଓ ପିଲାଙ୍କ ନାଁରେ ଲମ୍ବା ତାଲିକାର କୋଠା ଓ ପ୍ଲଟ୍ ରହିଛି । ଭୁବନେଶ୍ୱର-ଖୋର୍ଦ୍ଧା-ଭଦ୍ରକରେ ଠାବ ହେଲାଣି ୨୨ଟି ପ୍ଲଟ ସାଙ୍ଗକୁ ୭ରୁ ଅଧିକ ମୂଲ୍ୟବାନ କୋଠା। ଖାଲି ସେତିକି ନୁହେଁ, ଭିଜିଲାନ୍ସ ଟିମକୁ ଦେଖି ପଡ଼ିଶା ଘର ଛାତକୁ ଫିଙ୍ଗି ଦେଇଥିବା ନଗଦ ୨୦ଲକ୍ଷ ସହ ଜବତ ହୋଇଛି ୩୮ଲକ୍ଷ ଟଙ୍କା। ପ୍ରତାପ ସାମଲ ନାମକ ଏହି କୁବେର ସରକାରୀ ବାବୁ ଜଣକ ଟଙ୍କା ଓ କୋଠାବାଡ଼ିର ହିସାବ ଦେଇ ପାରୁନଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରି ରିମାଣ୍ଡରେ ନେଇ ସତ ଉଗାଳିବାକୁ ଚେଷ୍ଟା କରିବ ବୋଲି ସୂଚନା ମିଳିଛି।

Advertisment

ପଡ଼ିଶା ଘର ଛାତକୁ ଫିଙ୍ଗି ଦେଲେ ବିଡ଼ା ବିଡ଼ା ନୋଟ୍। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପେଟିରୁ ମିଳିଲା ୨୦ ଲକ୍ଷ ଟଙ୍କା। ଘରୁ ଖାନତଲାସୀ ବେଳେ ବି ଆହୁରି ନଗଦ ୧୮ ଲକ୍ଷ ଜବତ ହୋଇଛି। କୁବେର ବାବୁଙ୍କର କୋଟି କୋଟିର କୋଠା ବାଡ଼ିର ଲିଷ୍ଟ ବି ବେଶ୍ ଲମ୍ବା ରହିଛି। ଏସବୁ ଆଖି ତରାଟିଲା ଭଳି ସଂପତ୍ତି ଅର୍ଜିଛନ୍ତି ରାଜ୍ୟ ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ। ପ୍ରତାପଙ୍କ ଆୟବହିର୍ଭୁତ ଅଚଳାଚଳ ସମ୍ପତ୍ତିର ସୁରାଗ୍ ପାଇ ଆଜି ଅଚାନକ ପ୍ରତାପଙ୍କ ଭୁବନେଶ୍ୱର ଘର ସମେତ ୧୨ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ। ଆଉ ତାହାପରେ ମିଳିଥିଲା କୋଟି କୋଟି ଟଙ୍କାର ସମ୍ପତ୍ତି।

Advertisment

ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ୧୨ଟି ଟିମ୍ ଆଜି ଅଚାନକ୍ କୁବେର ଅଫିସର ପ୍ରତାପ ସାମଲଙ୍କର ସମ୍ପତ୍ତି ଠାବ କରିବାକୁ ଭଦ୍ରକ, ବାସୁଦେବପୁର ଓ ଭୁବନେଶ୍ୱରକୁ ଖେଦି ଯାଇଥିଲେ। ତେବେ ଭୋରୁ ହିଁ ଭୁବନେଶ୍ୱର ସ୍ଥିତ ଆଇଆରସି ଭିଲେଜର ପ୍ଲଟ୍ ନମ୍ବର N-6 ୪୧୬ରେ ରେଡ୍ ପାଇଁ ପହଞ୍ଚିଥିବା ଟିମକୁ ଦେଖି ପାଖାପାଖି ୪୫ ମିନିଟ୍ ଧରି ଦୁଆର ଖୋଲି ନଥିଲେ ପ୍ରତାପ। ଆଉ ସେ ସମୟ ଭିତରେ ୨୦ଲକ୍ଷ ଟଙ୍କା ଏକ ପେଟିରେ ଭର୍ତ୍ତି କରି ପଡ଼ିଶା ଘର ଛାତ ଉପରକୁ ଫିଙ୍ଗି ଦେଇଥିଲେ। ଭିଜିଲାନ୍ସ ଟିମ୍ ପ୍ରତାପଙ୍କ ଘର ଭିତର ଓ ବାହାର ସର୍ଚ୍ଚ କରୁଥିବାବେଳେ ପଡ଼ିଶା ଘର ଛାତରେ ଟଙ୍କା ଭର୍ତ୍ତି ପେଟିକୁ ଦେଖି ଜବତ କରିଥିଲେ। ଏପଟେ ଘର ଭିତରେ କାଗଜପତ୍ର ଖାନତଲାସୀ ବେଳେ ମିଳିଥିଲା ଅମାପ ସମ୍ପତ୍ତିର ସନ୍ଧାନ।

ପ୍ରତାପ ଚାଲାକି କରି ନିଜ ପତ୍ନୀ ଓ ପୁଅ ନାଁରେ ବହୁ ସମ୍ପତ୍ତି କିଣିଛନ୍ତି। ଭିଜିଲାନ୍ସ ବିଭାଗ ଦେଇଥିବା ସୂଚନା ଅନୁସାରେ-ଭୁବନେଶ୍ୱରରେ ପ୍ରତାପଙ୍କର ରାଜଧାନୀର ଆଇଆରସି ଭିଲେଜ ଏନ୍-ସିକ୍ସରେ ଅଛି ୨ଟି ମୂଲ୍ୟବାନ କୋଠା, ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ଜୟଦେବ ବିହାରରେ ୨ଟି କୋଠା ସହ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ରହିଛି ୧୫ଟି ପ୍ଲଟ। ତାସହ ସରକନ୍ତରା ଓ ଗୋଠପାଟଣାରେ ବି ଅଛି ଘର। ସେହିପରି ପୁଅ ପ୍ରୀତମ ସାମଲଙ୍କ ନାଁରେ ଅଛି ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୩ଟି ପ୍ଲଟ୍ ସାଙ୍ଗକୁ ଗୋଟିଏ ଫ୍ଲାଟ୍। ବଡ଼ କଥା ହେଲା କୁବେର ପ୍ରତାପ ନିଜ ନାଁରେ କମ୍ ସ୍ତ୍ରୀ ଓ ପିଲାଙ୍କ ନାଁରେ ରାଜଧାନୀରେ କୋଠା ଓ ପ୍ଲଟ ରଖିଥିବାବେଳେ ତାଙ୍କ ନାଁରେ ଭଦ୍ରକ ଜିଲ୍ଲାରେ ରହିଛି ଗୋଟିଏ ବିଲଡିଂ ସମେତ ୫ଟି ପ୍ଲଟ୍। ଯେହେତୁ ଏତେ ପରିମାଣର ସଂପତ୍ତିର ହିସାବ ଦେଇ ପାରିନାହାନ୍ତି ପ୍ରତାପ, ତେଣୁ ତାଙ୍କ ଅଡୁଆ ବଢୁଛି।

ପୋଲିସ ହାଉସିଂ କର୍ପୋରେସନରେ ଜଣେ ଏଷ୍ଟିମେଟର ଭାବେ ଚାକିରି ଆରମ୍ଭ, ଆଉ ୩୩ ବର୍ଷ ଭିତରେ କେମିତି ଠୁଳ କଲେ ଏତେ ପରିମାଣର ଅମାପ ସଂପତ୍ତି ? ପ୍ରତାପଙ୍କ ପାପ ଆୟର ପେଡ଼ି ଖୋଲିବା ପରେ ଏବେ ପ୍ରଶ୍ନ-ବିନା ବଡ଼ବଡ଼ିଆଙ୍କ ସହଯୋଗିତାରେ କଣ ଏତ ବଡ଼ କଳାଧନ ସାମ୍ରାଜ୍ୟ ସମ୍ଭବ ? ତେଣୁ ୧୯୮୮ରେ କେନ୍ଦ୍ରାପଡ଼ାରୁ ଚାକିରି ଆରମ୍ଭରୁ ଭୁବନେଶ୍ୱର ପର୍ଯ୍ୟନ୍ତ, ଚାକିରି ଅବଧି ଭିତରେ ଯେଉଁଠି ରହିଛନ୍ତି, ସବୁଠି ଦୁର୍ନୀତି କରି ନାହାନ୍ତି ତ ? ଏସବୁର ସଠିକ୍ ଖୋଳତାଡ଼ କରାଯିବା ଦରକାର ବୋଲି କହିଛନ୍ତି ପୂର୍ବତନ ଭିଜିଲାନ୍ସ ନିର୍ଦ୍ଦେଶକ।

ତେବେ କେବଳ ଏଇ ଜଣେ ନୁହଁନ୍ତି, ଏଇବର୍ଷ ଭିଜିଲାନ୍ସ ହାତରେ ଧରା ପଡ଼ିଲେଣି ଅନେକ କୁବେର ସରକାରୀ କର୍ମଚାରୀ। ଜୁଲାଇ ୩୧-ପ୍ରାୟ ୪ କୋଟିର ଆୟବହିର୍ଭୂତ ସଂପତ୍ତିର ଉତ୍ସ ଓ ବେଆଇନ ନିବେଶର ଖୋଳତାଡ଼ ବେଳେ ଧରାପଡ଼ିଥିଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁ। ସମ୍ପତ୍ତି ହିସାବ ଦେଇନପାରିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ସେପ୍ଟେମ୍ବର ୧୫-ଭୁବନେଶ୍ୱର କେସୁରାରୁ ଧରାପଡ଼ିଥିଲେ ୪ କୋଟିର ମାଲିକାଣି ଅଙ୍ଗନବାଡ଼ି କର୍ମଚାରୀ କବିତା ମାଥନ। ସେହିପରି ସାଉଥସିଟି ବାର ମାଲିକ ତଥା କମିଶନରେଟ୍ ପୋଲିସରେ କାର୍ଯ୍ୟରତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ଗିରଫ ପରେ ଅକ୍ଟୋବର ୨୮ରେ ଭିଜିଲାନ୍ସ ତାଙ୍କର ଏକ ଇମ୍ପୋଟେଡ୍ ଫର୍ଣ୍ଣିଚର ସୋରୁମ ସହ ୬କୋଟିର ଆୟବହିର୍ଭୁତ ସମ୍ପତ୍ତି ଠାବ କରିଥିଲା। ସପ୍ତାହେ ତଳେ ନଭେମ୍ବର ୨ରେ ଭିଜିଲାନ୍ସ ହାବୁଡ଼ରେ ପଡିଥିଲେ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା। ତାଙ୍କଠୁ ନଗଦ ସାଢ଼େ ୪ଲକ୍ଷ ଟଙ୍କା ସହ ଜବତ ହୋଇଥିଲା ୫ଟି ପାନକାର୍ଡ।

Odisha Vigilance Crime
Advertisment
Advertisment