Advertisment

ଟ୍ରାନଜିଟ୍ ରୁଟ୍ ଥିବା ଓଡ଼ିଶା ଏବେ ପାଲଟିଯାଇଛି କି ନିଶା ବେପାରର ହବ୍ ?

ନିଶାର ନିଆଁଧୂଆଁରେ ସତେ ଯେମିତି ଆକ୍ତାମାକ୍ତା ରାଜଧାନୀ। କାରଣ ଅଫିମ କାହିଁକି, ପୁଳା ପୁଳା ବ୍ରାଉନସୁଗାର ଜବତ ହେଉଛି ଭୁବନେଶ୍ୱର ସମେତ ଉପକଣ୍ଠରୁ। ଖୋର୍ଦ୍ଧା ପାଖରୁ ଗତକାଲି ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ସହ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍।

author-image
Chandan Shishu
ଟ୍ରାନଜିଟ୍ ରୁଟ୍ ଥିବା ଓଡ଼ିଶା ଏବେ ପାଲଟିଯାଇଛି କି ନିଶା ବେପାରର ହବ୍ ?

Brown Sugar Seized

ଭୁବନେଶ୍ୱର: ନିଶା କାରବାରର ଭୂଃସ୍ୱର୍ଗ ପାଲଟିଛି କି ଭୁବନେଶ୍ୱର? ଦିନେ ଟ୍ରାନଜିଟ୍ ରୁଟ୍ ଥିବା ଓଡ଼ିଶା ଏବେ ପାଲଟିଯାଇଛି କି ନିଶା ବେପାରର ହବ୍ ? ଭୁବନେଶ୍ୱର ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ହାତରେ ଲାଗିଛି ୨୦ କେଜିର ୨୬ ଲକ୍ଷ ଟଙ୍କାର ଅଫିମ। ଆଉ ଗିରଫ ହୋଇଛନ୍ତି ଉତ୍ତରପ୍ରଦେଶର ଏହି ୩ ନିଶା ବେପାରୀ। ଝାଡ଼ଖଣ୍ଡ ଭାୟା ଓଡ଼ିଶା ଦେଇ ଉତ୍ତରପ୍ରଦେଶ ବରେଲିକୁ ଚାଲାଣବେଳେ ନାର୍କୋଟିକ୍ସ ବ୍ୟୁରୋ ଜବତ କରିଛି ଭୁବନେଶ୍ୱର ଉପକଣ୍ଠ ଗୋହିରା ଛକରୁ। ଯାହାର କେଜି ପ୍ରତି ଦର ୧ ଲକ୍ଷ ୨୫ ହଜାରରୁ ଅଧିକ। ଅର୍ଥାତ ଭୁବନେଶ୍ୱର କେବଳ ଗଂଜେଇ କି ବ୍ରାଉନସୁଗାର ନୁହେଁ, ଅଫିମ ଭଳି ଦାମୀ ନିଶାର ଟ୍ରାନଜିଟ୍ ରୁଟ୍ ବି ସାଜିଛି। 

Advertisment

ନିଶାର ନିଆଁଧୂଆଁରେ ସତେ ଯେମିତି ଆକ୍ତାମାକ୍ତା ରାଜଧାନୀ। କାରଣ ଅଫିମ କାହିଁକି, ପୁଳା ପୁଳା ବ୍ରାଉନସୁଗାର ଜବତ ହେଉଛି ଭୁବନେଶ୍ୱର ସମେତ ଉପକଣ୍ଠରୁ। ଖୋର୍ଦ୍ଧା ପାଖରୁ ଗତକାଲି ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ସହ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ଏମାନେ କଟକ, ଭଦ୍ରକ ଏବଂ ଖୋର୍ଦ୍ଧା ଜିଲ୍ଲାର। ଏମାନଙ୍କଠୁ ମାରଣାସ୍ତ୍ର ବି ମିଳିଛି। ସେହିପରି ଶହୀଦନଗର ଶାନ୍ତିପଲ୍ଲୀରୁ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ଏଥିରେ ସଂପୃକ୍ତ ଅଭିଯୋଗରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି।

ସାଲିଆସାହି ଇଲାକାରେ ହାଣ୍ଡିରେ ଲିଟର ଲିଟର ଚାଉଳି ମଦ ପ୍ରସ୍ତୁତ ହେଉଥିବାବେଳେ ଏସବୁକୁ ନଷ୍ଟ କରିଛି ଅବକାରୀ ବିଭାଗ। ତାସହ ୬ ହଜାର ଲିଟର୍ ଚାଉଳି ଏବଂ ୫ ଶହ ଲିଟର୍ ଦେଶୀ ମଦ ଜବତ କରି ୮ ଜଣଙ୍କୁ ଗିରଫ କରିଛି। ତାମଧ୍ୟରେ ଅଛନ୍ତି ୬ ମହିଳା। ଗତ ୧୧ ତାରିଖରେ ୯୫ ଗ୍ରାମର ଧଳାଜହର ସହ ସାଲିଆସାହିରୁ ନର୍ମଦା ସାହୁ ନାମକ ଜଣେ ମହିଳା ମଧ୍ୟ ଧରାପଡ଼ିଥିଲେ। ଅର୍ଥାତ ମହିଳାଙ୍କ ହାତରେ ଚାଲିଛି ନିଶା ବେପାରର ନେଟୱର୍କ।

Advertisment

କମିଶନରେଟ୍ ପୋଲିସର ତଥ୍ୟ କହୁଛି, ଗତ ୫ ମାସରେ ଟ୍ବିନସିଟିରେ ପ୍ରାୟ ୭ କୋଟିର ବ୍ରାଉନ ସୁଗାର ଧରାହେଲାଣି। ୩୫ରୁ ଅଧିକ ଗିରଫ ବି ହୋଇଛନ୍ତି। ତାମଧ୍ୟରୁ ଭୁବନେଶ୍ୱରରେ ଅଢ଼େଇ କେଜିରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି। କେବଳ ଭୁବନେଶ୍ୱର କାହିଁକି, ରାଜ୍ୟବ୍ୟାପୀ ଅଭିନବ ଉପାୟରେ ଚାଲିଛି ନିଶା କାରବାର। ସମ୍ବଲପୁର, ବୌଦ୍ଧ ଓ ସୋନପୁରରେ ଗଞ୍ଜେଇ ଚାଲାଣ ପାଇଁ ବାଇକ୍ ଚୋରୀ ଘଟଣା ଆଜି ସାମ୍ନାକୁ ଆସିଛି। 

କ୍ରାଇମବ୍ରାଞ୍ଚ STF କହୁଛି, ଏଭଳି ବିଭିନ୍ନ ଢଙ୍ଗରେ ନିଶା ବେପାର ଚାଲୁଥିବାବେଳେ ୨୦୨୦ରୁ ଆଜିଯାଏଁ ରାଜ୍ୟବ୍ୟାପୀ ୩୬ କେଜିରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି। ୭୪ କ୍ୱିଇଣ୍ଟାଲ ଗଂଜେଇ ଧରିବା ସହ ଶହେ ଜଣଙ୍କୁ ଗିରଫ ବି କରାଯାଇଛି। କୁହାଯାଉଛି, ବାଂଲାଦେଶ ଭାୟା କୋଲକାତା ଦେଇ ଓଡ଼ିଶାକୁ ଲମ୍ବିଛି ନିଶା ବେପାରର ନେଟୱର୍କ। ଆଉ ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର ଜଳେଶ୍ୱର। ସେଠାରୁ ମାଲ୍ ପହଞ୍ଚିବା ପରେ କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ପାଲଟିଛି ନିଶା ବେପାରର ନୂଆ ଠିକଣା।

ରିପୋର୍ଟ: ସଞ୍ଜୟ ଜେନା, ଅତୁଲ୍ୟ ବାଉତ, ଅର୍ଚନା ଶତପଥୀ, ଆଲୋକ ମହାନ୍ତି

Brown Sugar Seized Odisha News
Advertisment
Advertisment