• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର (ଆଲୋକ ମହାନ୍ତି ) : ନାଁ ରାମଚନ୍ଦ୍ର ଜେନା । ବାପାଙ୍କ ନାଁ କେତେବେଳ ଖଗେଶ୍ୱର ଜେନା ତ କେତେବେଳ ବୈଷ୍ଣବ ଜେନା ପୁଣି ଆଉ କେତେବେଳେ ନାରାୟଣ ଜେନା । ଟଙ୍କା ଲୋଭରେ ବଦଳାଇ ଦେଲେ ବାପାଙ୍କ ନାଁ । ତହସିଲଦାରଙ୍କ ତିନି ଜଣ ବାପା । ଆମେ ନୁହେଁ, ତାଙ୍କ ପାନ୍ କାର୍ଡ଼ ହିଁ ଏହା ଦର୍ଶାଉଛି । ଟଙ୍କା ଲୋଭରେ ସତରେ ଖୁବ୍ ତଳକୁ ଖସିଗଲେ ସରକାରୀ ବାବୁ । ନିମାପଡାରେ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ରାମଚନ୍ଦ୍ର ଜେନାଙ୍କ ଏହି କଳା କାରନାମା ଏବେ ଧରାପଡିଯାଇଛି । ଭିଜିଲାନ୍ସ ରେଡ୍ ସମୟରେ ତାଙ୍କ ନାଆଁରେ ଥିବା ଏହି ୫ଟି ପାନ୍ କାର୍ଡ ଜବତ ହୋଇଛି ।

ଖୋଲୁଛି ବଡ଼ ବାବୁଙ୍କ ଦୁର୍ନୀତିର ପେଡ଼ି । ଟିକସ ଫାଙ୍କିବା ପାଇଁ ସେ ଏପରି କରିଥିବାର ଭିଜିଲାନ୍ସ ବିଭାଗର ଅଫିସରମାନେ ସନ୍ଦେହ କରୁଛନ୍ତି । ସେ ପାଞ୍ଚଟି କାର୍ଡ଼ ବ୍ୟବହାର କରୁଥିଲେ, କିନ୍ତୁ ଧରାପଡ଼ୁ ନଥିଲେ । ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ତଥା ଅନାୟସରେ କଳା ଟଙ୍କା କାରବାର କରିବା ପାଇଁ ୫ଟି ପାନକାର୍ଡ଼ ତିଆରି କରିଥିଲେ ବୋଲି କୁହାଯାଉଛି । ୫ଟି ପାନ୍ କାର୍ଡର ନମ୍ୱର ଅଲଗା ଅଲଗା ରହିଛି । ୩ଟି ପାନ୍ କାର୍ଡରେ ବାପାଙ୍କ ନାମ ଖଗେଶ୍ୱର ଜେନା ଲେଖାଥିବା ବେଳେ ଗୋଟିକରେ ବାପାଙ୍କ ନାମ ବୈଷ୍ଣବ ଜେନା ଓ ଆଉ ଗୋଟିକରେ ନାରାୟଣ ଜେନା ଲେଖାଯାଇଛି ।

ସରକାରଙ୍କର ଜଣେ ଅଫିସର ହୋଇ ମଧ୍ୟ ଦୁର୍ନୀତି କରିବା ପାଇଁ ଏତେ ତଳକୁ ଖସିଯାଇଥିବା ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି । ୫ଟି ଯାକ ପାନ୍ କାର୍ଡରେ ତାଙ୍କର ଜନ୍ମ ତାରଖ ଭିନ୍ନ ଭିନ୍ନ ଭିନ୍ନ ରହିଛି । ପ୍ରତି ପାନ୍ କାର୍ଡ଼ରେ ଭିନ୍ନ ଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟ୍ ଲିଙ୍କ୍ ହୋଇଛି । ଭିଜିଲାନ୍ସ କର୍ମଚାରୀମାନେ ଏ ନେଇ ଅଧିକ ଯାଞ୍ଚ କରୁଛନ୍ତି । ଯେଉଁ ପାନ୍ କାର୍ଡରେ ସେ ଖଗେଶ୍ୱର ଜେନାଙ୍କ ପୁଅ ବୋଲି ଦର୍ଶାଇଛନ୍ତି, ସେହି ୩ଟି ପାନ୍ କାର୍ଡରେ ତାଙ୍କର ଜନ୍ମ ବର୍ଷ ୧୯୭୦ ରହିଛି । କିନ୍ତୁ ଜନ୍ମ ତାରିଖ ୧୯୭୦ ଏପ୍ରିଲ ୭, ଏପ୍ରିଲ ୨୭ ଓ ସେପ୍ଟେମ୍ୱର ୨୭ ରହିଛି ।

ରାମଚନ୍ଦ୍ର ଜେନା, ପିତା- ବୈଷ୍ଣବ ଜେନା ଲେଖାଥିବା କାର୍ଡରେ ଜନ୍ମ ତାରିଖ ୧୯୭୧ ଏପ୍ରିଲ ୯ ତାରିଖ ଲେଖାଯାଇଛି । ଯେଉଁଥିରେ ନାରାୟଣ ଜେନା ବାପା ବୋଲି ଳେଖାଯାଇଛି, ସେହି କାର୍ଡରେ ଜନ୍ମ ତାରିଖ ୧୯୭୨ ଏପ୍ରିଲ ୧୯ ତାରିଖ ବୋଲି ଲେଖାଯାଇଛି । ଜଣଙ୍କର ଜନ୍ମ ତାରିଖ ଅଲଗା ଅଲଗା ରହିଛି, ତାହା ପୁଣି ସରକାରୀ ଭାବେ ।

ଜଣଙ୍କର ୫ଟି ପାନ୍ କାର୍ଡ ଜବତ ହେବା ଭିଜିଲାନ୍ସ ବିଭାଗ ଇତିହାସରେ ପ୍ରଥମ ଘଟଣା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହିତ ଏହି କାର୍ଡ ଜାଲିଆତି ଘଟଣାର ମଧ୍ୟ ଭିଜିଲାନ୍ସ ତଦନ୍ତ କରିବ। ଦରକାର ପଡିଲେ କାର୍ଡ ଜାଲିଆତି ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସ ଅନ୍ୟ ଏଜେନ୍ସୀର ସହାୟତା ମଧ୍ୟ ନେଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି ।

ପାନ୍ କାର୍ଡ଼ ସବୁ କେଉଁ କେଉଁ ମସିହାରେ ବାହାର କରାଯାଇଛି, ତାହା ମଧ୍ୟ ତଦନ୍ତ ପରେ ଜଣାପଡିବ । ହେଲେ ଦୁର୍ନୀତି କରିବା ପାଇଁ ଏପରି କରାଯାଇଥାଇ ପାରେ । ସାଧାରଣତଃ ଜଣକ ନାଁରେ ଏକାଧିକ ପାନ୍ କାର୍ଡ କରାଯାଇପାରିବ ନାହିଁ । ବର୍ତ୍ତମାନ ସରକାର ନକଲି ପାନ୍ କାର୍ଡ଼ଧାରୀଙ୍କୁ ଧରିବା ପାଇଁ ଆଧାର ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ କରିଛନ୍ତି । ଫଳରେ ଡୁପ୍ଲିକେଟ୍ ପାନ୍ କାର୍ଡ କରିବା ସମ୍ଭବ ନୁହଁ । ହେଲେ ଏହା କେମିତି ସମ୍ଭବ ହୋଇଛି, ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅର୍ଥନୀତି ବିଶେଷଜ୍ଞଙ୍କ କହିବା କଥା, ଟିକସ ଫାଙ୍କିବା ତଥା ଚୋରି କରିବା ପାଇଁ ପାଞ୍ଚଟି ପାନ୍ କାର୍ଡ କରାଯାଇଛି । କଳାଟଙ୍କା ଆଣି ବିଭିନ୍ନ ପାନ୍ କାର୍ଡ଼ ସାହାଯ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ନିବେଶ କରି ଥାଇପାରନ୍ତି । ଆୟକର ବିଭାଗ ମଧ୍ୟ ଏହାର ତଦନ୍ତ କରିପାରେ । ବ୍ୟବସ୍ଥାରେ କେଉଁଠି ରହିଛି ଫାଙ୍କ, ଯାହାଦ୍ୱାରା କି ଚତୁର ଲୋକମାନେ ଏମିତି କରିବାକୁ ସକ୍ଷମ ହେଉଛନ୍ତି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଅଫିସର ଜଣକ ପୂର୍ବରୁ ଦୁଇଥର ଭିଜିଲାନ୍ସ ଜାଲରେ ଫସିଛନ୍ତି । ସରକାରୀ ବ୍ୟବସ୍ଥାରେ ତହସିଲଦାର ଗୋଟିଏ କି ପୋଷ୍ଟ ବା ଗୁରୁତ୍ୱପୂର୍ଣ୍ଣ ପଦବୀ । ଜମିଜମା ସଂକ୍ରାନ୍ତରେ ସେ ହିଁ ନିଷ୍ପତ୍ତି ନେଇଥାଆନ୍ତି । ତାଙ୍କ ବିରୋଧରେ ଦୁଇଟି ଭିଜିଲାନ୍ସ କେସ୍ ଥିଲେ ବି ତାଙ୍କୁ କେମିତି ଏହି ଗୁରୁଦାୟିତ୍ୱ ଦିଆଯାଇଛି । ତାହା ପୁଣି ଜଣେ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ । ଲୋକଙ୍କ ମନରେ ଗୋଟିଏ କଥା ଉଙ୍କିମାରୁଛି, ଏଠି ମାପକାଠି ଦକ୍ଷତା, ସ୍ୱଚ୍ଛତା ନା ଘନିଷ୍ଠତା । ଆୟ ବହିର୍ଭୂତ ସମ୍ପତ୍ତିର ହିସାବ କରାଯିବା ପରେ ପୁଣି ଅନେକ କଥା ପଦାକୁ ଆସିବ ।