• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବ୍ୟାଗରେ ମଦବୋତଲ ଧରି ଯାଉଛି ଛୋଟ ପିଲା

  • ସୁନ୍ଦରଗଡ ଜିଲ୍ଲା କୋଇଡା ଅଞ୍ଚଳର ଘଟଣା

କୋଇଡା : ଭୋକ ପାଇଁ ହଜିଯାଉଛି ଶୈଶବ । ଯେଉଁ ବୟସରେ କାନ୍ଧରେ ବହି ବସ୍ତାନୀ ରହିବା କଥା, ସେହି ବୟସରେ କାନ୍ଧରେ ମଦ ବୋତଲ ‍ବୋହୁଛି ଏକ ଛୋଟ ପିଲା । ସୁନ୍ଦରଗଡ ଜିଲ୍ଲାର ଖଣିଖାଦାନ ଭରା କୋଇଡା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । ଜଣେ ଛୋଟ ପିଲା କାନ୍ଧରେ ଏକ ବ୍ୟାଗରେ ମଦ ବୋତଲ ଧରି ଯାଉଥିବା ଭିଡିଓ ଭାଇରାଲ ହୋଇଛି । କୌଣସି ମଦ ବେପାରୀ କୁନି ପିଲାଟିକୁ ଏପରି କାମରେ ଲଗାଇଥିବା ଅନୁମାନ କରାଯାଉଛି, ଯାହା କି ସମ୍ପୂର୍ଣ୍ଣ ଭାବେ ବେଆଇନ୍ ।

ଭୋକର ଜ୍ୱାଳା ସହି ନପାରି ଜଣେ ଶିଶୁ ବାହାଘର ଭୋଜିରେ ପଡିଥିବା ଅଇଁଠା ପତ୍ର ଚାଟୁଥିବା ଘଟଣା ମନରୁ ଲିଭି ନଥିବା ବେଳେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଆଉ ଏକ ଏପରି ଚିତ୍ର ଦେଖିବାକୁ ମିଳୁଛି । ପାଠ ପଢ଼ିବା, ତଥା ଖେଳ କୁଦ ବୟସରେ ମଦ ବୋହୁଛି କୁନି ପିଲା । ନିଲାମ ପ୍ରକ୍ରିୟା ପରେ କୋଇଡା ଅଞ୍ଚଳରେ ନୂଆ ଖୋଲିଛି ସରକାରୀ ବିଦେଶୀ ଠିପି ବନ୍ଦ ମଦ ଦୋକାନ । ଆଉ ଏଠି ନିରୀହ ଆଦିବାସୀ ଶିଶୁଙ୍କୁ ରଖାଇଯାଇ ମଦ ନେବା ଆଣିବା କାର୍ଯ୍ୟରେ ଲିପ୍ତ ରଖା ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଭିଡ଼ିଓ ଭାଇରାଲ୍ ହେବା ପରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସ୍ଥାନୀୟ ସାମ୍ବାଦିକ ମଦ ଦୋକାନକୁ ଯାଇଥିଲେ । ତେବେ ସେଠାରେ ଦେଖିବାକୁ ମିଳିଲା ଭିନ୍ନ ଦୃଶ୍ୟ । ଦୋକାନ ଭିତରେ ଜଣେ ଅବକାରୀ ଅଧିକାରୀ ବସିଥିବା ଦେଖିବାକୁ ପାଇଥିଲେ ସାମ୍ବାଦିକ । କୁନି ପିଲା ମଦ ବୋହିବା କଥା ପଚାରିବାରୁ ଅସଭ୍ୟ ଭାଷାରେ ଦେଇଥିଲେ ମଦ ଦୋକାନର କର୍ମଚାରୀ । ତେବେ ଏସବୁ ଘଟୁଥିଲା ଅବକାରୀ ଅଧିକାରୀଙ୍କ ସମ୍ମୁଖରେ । ଆଉ ଅଧିକାରୀ ଜଣକ ଚୁପଚାପ୍ ବସି ଦେଖୁଥିଲେ ସମ୍ପୂର୍ଣ୍ଣ ଘଟଣା । ପରେ ଓଲଟି ମଦବେପାରୀ ଜଣକ ସାମ୍ବାଦିକଙ୍କ ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଅଭିଯୋଗ ପରେ କୋଇଡା ଥାନା ଅଧିକାରୀ ସାମ୍ବାଦିକଙ୍କୁ ଥାନାକୁ ଡାକିଥିଲେ । ସାମ୍ବାଦିକଙ୍କ କିଛି ଭୁଲ୍ ନଥିବା ଜାଣିବା ପରେ ତାଙ୍କୁ ବୁଝାଇ ଘରକୁ ପଠାଇଥିଲେ ।

ସେପଟେ ଭିଡ଼ିଓ ସମ୍ପର୍କରେ ଜାଣିବା ପାଇଁ ଘଟଣା ଦିନ ଉପସ୍ଥିତ ଥିବା ବଣାଇ ଅବକାରୀ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା । ହେଲେ ଦୁଇ ମାସ ପୂର୍ବରୁ ସେ ଅନ୍ୟତ୍ର ବଦଳି ହେଇ ଯାଇଥିବା କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଦୁଇ ମାସ ପୂର୍ବେ ବଦଳି ହୋଇଥିବା ଅବକାରୀ ଅଧିକାରୀ ଡ୍ରେସକୋଡରେ କିପରି ଆସି ମଦ ଦୋକାନରେ ବସିଥିଲେ ? 

ଏପଟେ ବିଡିଓ କହିଛନ୍ତି, ପିଲାଟିର କ’ଣ ସମସ୍ୟା ରହିଛି, ତା’ଉପରେ ଧ୍ୟାନ ଦିଆଯିବ । ଏସହ ତଦନ୍ତ ପରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।