• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମନୀଷ ମାମଲା ଖୋଳତାଡ଼ରୁ ଖୋଲିଲା ସାଉଥସିଟି ବାରର ଗୁମର ।

  • ରଙ୍ଗୀନ ହେଉଥିଲା ସାରା ରାତି, ଉଡୁଥିଲା ବିଡା ବିଡା ଟଙ୍କା ।

  • ପ୍ରଚ୍ଛଦପଟ୍ଟରେ ରହି ବାର ଚଳାଉଥିଲେ ପୋଲିସ୍ କନଷ୍ଟେବଲ ପ୍ରସନ୍ନ ।

ମନୀଷ ଅନୁରାଗ ହତ୍ୟା ମାମଲାର ଖୋଳତାଡ଼ ବେଳେ ଖୋଲିଛି ସାଉଥ ସିଟି ବାରର ଅସଲ ରୂପ । ଆଇନ୍ କାନୁନ୍‌ର ଧଜିଆ ଉଡ଼ାଇ ବାର ଚଳାଉଥିଲେ ଜଣେ ପୋଲିସ୍ କନେଷ୍ଟବଳ। ବିନା ଲାଇସେନ୍ସ ଓ କୋଭିଡ୍ ଆଇନ୍‌ର ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ କେମିତି ବାର୍ ଗାର୍ଲଙ୍କ ଡ୍ୟାନ୍ସରେ ରଙ୍ଗିନ ହେଉଥିଲା ରାତି, ଉଡ଼ୁଥିଲା ବଣ୍ଡଲ ବଣ୍ଡଲ ଟଙ୍କା, ସେ ଚିତ୍ର ପଦାକୁ ଆସିଛି । ଅସଲି ଟଙ୍କା ବାରରେ ଉଡାଇବା ପାଇଁ ଗ୍ରାହକଙ୍କୁ ମିଳୁଥିଲା ନକଲି ନୋଟ୍ । ତେବେ ମନୀଷ ମାମଲାକୁ ନେଇ ପୋଲିସ ବାର୍ ସିଲ୍ କରିବା ସହ କନେଷ୍ଟବଳ ପ୍ରସନ୍ନ ବେହେରାକୁ ଅଟକ ରଖିଛି । ତାଙ୍କୁ ଚାକିରୀରୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ତମାଣ୍ଡୋ ଥାନା ଅଧିକାରୀଙ୍କୁ ଡିସିପିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି ।

ତେବେ ଆଜି ବାରରେ ଚଢ଼ାଉ ବେଳେ ସେଠାରେ ଯାହା ଦେଖିବାକୁ ମିଳିଲା, ଆଖି ପୁରା ତରାଟି ହୋଇଗଲା । ଚାରିଆଡ଼େ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଥିଲା ପୁଳାପୁଳା ଟଙ୍କା । ବାର ଗାର୍ଲ ଡ୍ୟାନ୍ସ ଗ୍ୟାଲେରି ହେଉ କି ରିସେପ୍ସନ ଟେବୁଲ । ସବୁଠି ବଣ୍ଡଲ ବଣ୍ଡଲ ଟଙ୍କା । ଚାରି ଆଡ଼େ ଗଦା ହୋଇ ପଡ଼ିଥିଲା ଦଶ ଓ ୫୦ ଟଙ୍କିଆ ନୋଟ । ଏହି ବାର୍‌ରେ ହିଁ କଟିଥିଲା ମନୀଷ ଅନୁରାଗଙ୍କ ଶେଷ ରାତି ।

ଏଠାରେ ବିଲ୍ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ସହ ଝଗଡ଼ା ଓ ପରେ ବାହାରେ ମନୀଷଙ୍କୁ ହତ୍ୟା କରାଯାଇଥିଲା । ମନୀଷ ମୃତ୍ୟୁର ଗୁମର ସାଉଥ ସିଟି ବାର୍‌ରେ ଲୁଚିଥିବା ଅଭିଯୋଗ ପରେ ପୋଲିସ ଚଢ଼ାଉ କରିଥିଲା । ଆଉ ଚଢାଉ ବେଳେ ମିଳିଥିବା ଏଭଳି ଚିତ୍ର ସମସ୍ତଙ୍କୁ ତାଜୁବ୍ କରିଛି । ବିନା ଲାଇସେନ୍ସ ଓ କୋଭିଡ୍ କଟକଣା ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର ଚଳାଇବା ଅଭିଯୋଗରେ ପୋଲିସ ସାଉଥ ସିଟି ବାର୍‌କୁ ସିଲ୍ କରିଛି ।

ସାଉଥ ସିଟି ବାର୍‌କୁ ଚଳାଉଥିଲେ ଜଣେ ପୋଲିସ କନେଷ୍ଟବଳ । ପ୍ରଦ୍ୟୁମ୍ନ ଜେନା ନାମକ ବ୍ୟକ୍ତିଙ୍କଠାରୁ ବାରକୁ ଲିଜ୍‌ରେ ଆଣି ଅପରେଟ୍ କରୁଥିଲେ କନେଷ୍ଟବଳ ସଂଘର ସଂପାଦକ ପ୍ରସନ୍ନ ବେହେରା । ତମାଣ୍ଡୋ ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଥିବା ଏହି ବାର୍‌ରେ ଏତେ କାଣ୍ଡକାରଖାନା ଚାଲିଥିଲେ ବି ପୋଲିସ ଜାଣି ପାରିନଥିଲା ? ନା ଜାଣି ଶୁଣି ଆଖି ବୁଜି ଦେଇଥିଲା ? ଏହାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ବିନା ଲାଇସେନ୍ସରେ ବାର ଚଳାଇବା, କୋଭିଡ୍ କଟକଣା ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର ଖୋଲିବା ଅଭିଯୋଗରେ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ସସ୍‌ପେଣ୍ଡ କରିବା ସହ ଅଟକ ରଖିଛି ପୋଲିସ ।

ସେହିପରି ବାର ମାଲିକ ପ୍ରଦ୍ୟୁମ୍ନ ଜେନା ଅଟକ ଥିବା ବେଳେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ତମାଣ୍ଡୋ ଥାନା ଆଇଆଇସି ପ୍ରମୋଦ ପଟ୍ଟନାୟକଙ୍କୁ ଡିସିପିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ସୁଚନାଯୋଗ୍ୟ, ଗତ ୯ ତାରିଖରେ ମନୀଷ ଅନୁରାଗଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିସାରିଛି ।


(ରିପୋର୍ଟର- ଆଲୋକ ମହାନ୍ତି)