Advertisment

ଏଇଠି ଚୋରା ଗାଡ଼ିକୁ କଟର୍‌ରେ କଟାଯାଉଛି, ଯଦି ଆପଣଙ୍କ ଗାଡ଼ି....

ସହର ମଧ୍ୟରେ ଚାଲିଥିଲା ଚୋରା ଗାଡ଼ିକୁ ଖଣ୍ଡ ଖଣ୍ଡ କରି କାଟି ପକାଉଥିଲେ କବାଡ଼ିଆ, ପୋଲିସ ପାଖରେ ଖବର ନଥିଲା...ଏବେ ଜଣାପଡ଼ିବା ପରେ ରେଡ୍‌ ମାରିଲା ଟାଉନ୍‌ ପୋଲିସ୍‌

author-image
Sarbeswar
jajpur

jajpur

ଯାଜପୁର(ସଂଜୀବ ନାୟକ): ଯାଜପୁର ପୋଲିସ ହାତରେ ଧରା ପଡିଛନ୍ତି ଗାଡି ଚୋରି ଗ୍ୟାଙ୍ଗ । ଆଉ ଏମାନେ ଯେଉଁ କାଣ୍ଡ କରୁଥିଲେ ତାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। ଏହି ଗ୍ୟାଙ୍ଗ୍‌ ଦୁଇ ଚକିଆଠାରୁ ଆରମ୍ଭ କରି ୪ ଚକିଆ ଯାନ ଚୋରିରେ ସମ୍ପୃକ୍ତ ରହିଥିବା ସହ କବାଡିଆ ଦୋକାନ କରି ଗ୍ୟାସ କଟରରେ ଚୋରା ଗାଡ଼ିକୁ ଖଣ୍ଡ ଖଣ୍ଡ କରି ଗାଡି ପାର୍ଟସକୁ ବିକ୍ରି କରି ଆସୁଥିଲେ ।

Advertisment

ଆଉ ଏହି କାମ ଖୋଦ୍‌ ଯାଜପୁର ଟାଉନ୍‌ ସହର ଭିତରେ ହିଁ ହେଉଥିଲା। ଯାଜପୁର ଥାନା ଅର୍ନ୍ତଗତ ଶୀତଳେଶ୍ୱର ରାଧା କବାଡିଆ କେନ୍ଦ୍ରରେ ଏପରି କାମ ଏବେ ନୁହେଁ ବରଂ ବହୁ ପୂର୍ବରୁ ହେଉଥିବା ନେଇ ଅଭିଯୋଗ ବି ହୋଇଛି। ଖବର ପାଇ ଯାଜପୁର ପୋଲିସ ଚଢାଉ କରି ୧୦ଟି ୪ ଚକିଆ ଗାଡିର ପାର୍ଟସ ଜବତ କରିବା ସହ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଆଉ ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲା ବାହାରୁ ଚୋରି ହୋଇଥିବା ଗାଡି ମାଲିକଙ୍କ ଏବେ ଯାଜପୁର ଥାନାକୁ ସୁଅ ଛୁଟିଛି ।

Advertisment

ଯାଜପୁର ସହରରେ ଚାଲିଛି ବେଆଇନ ଷ୍କାର୍ପ ବ୍ୟବସାୟ । ଏହି କବାଡି ଦୋକାନ ଆଳରେ ଚାଲିଥିଲା ଚୋରି ଅଟୋ ବୋଲେରୋ, କାର ଓ ବାଇକ ଆଦିର କଟିଙ୍ଗ କରି ମାଲେ ମାଲ ହେଉଛନ୍ତି ଚୋର ଓ କବାଡ଼ିବାଲା । ଯାଜପୁର ଥାନା ଅର୍ନ୍ତଗତ ଶୀତଳେଶ୍ୱର ଗ୍ରାମରେ ଚାଲିଥିଲା ଏଭଳି ଚୋରା ଗାଡିର କଟିଙ୍ଗ । ଆଉ ଅଭିଯୋଗ ପରେ ଯାଜପୁର ପୋଲିସ ଚଢାଉ କରି ଷ୍କାର୍ପ ବ୍ୟବସାୟୀ ରାଧା ବେହେରା, ଗାଡି ଚୋରି କରୁଥିବା ମାନସ ପାଲ ଓ କଟିଙ୍ଗ କରୁଥିବା ସେକ ଇସଲାମ କଟରକୁ ଗିରଫ କରିଥିବା ଯାଜପୁର ଏସଡିପିଓ ସୂଚନା ଦେଇଛନ୍ତି ।

ନକଲି ଚାବି ମାଧ୍ୟମରେ ଏମାନେ ନେଟୱାର୍କ ବିଛାଇ ନୂଆ ଗାଡିକୁ ଚୋରି କରିବା ପରେ ତୁରନ୍ତ ଗ୍ୟାସରେ କାଟି ଖଣ୍ଡ ଖଣ୍ଡ କରି ଗାଡିର ଇଞ୍ଜିନ ଓ ପାର୍ଟସ ଅଲଗା କରିଦେଉଥିଲେ । ଗତ ଜୁଲାଇରୁ ନଭେମ୍ବର ମାସ ଭିତରେ ଏମାନେ ଯାଜପୁର ସମେତ କଟକ ଓ କେନ୍ଦ୍ରାପଡାର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ୧୦ ଟି ଗାଡିକୁ କାଟିଥିବା ମାନିଛନ୍ତି । ପୁର୍ବରୁ ଏହିଭଳି କେତେ ଗାଡି କଟାଯାଇଛି? ଏମାନଙ୍କ ସହ ଅନ୍ୟ କିଏ ସମ୍ପୃକ୍ତ ତାହାର ତଦନ୍ତ ହେବ ବୋଲି କହିଛନ୍ତି ଯାଜପୁର ଏସଡିପିଓ । ସେପଟେ ଚୋରି ଗାଡି କୁ ଠାବ ଲାଗି ବିଭିନ୍ନ ଆଡୁ ଗାଡି ମାଲିକଙ୍କ ସୁଅ ଛୁଟିଛି ।

ପୋଲିସର ସୂଚନା ଅନୁସାରେ ଗତ ଜୁଲାଇ ମାସରେ ଯାଜପୁର ଥାନା ଅଂଚଳରୁ ଗୋଟିଏ ବୋଲେରୋ ଚୋରି ଅଭିଯୋଗର ତଦନ୍ତ ବେଳେ ଜଣା ପଡିଥିଲା ଯେ, କଟକ ଜଗତପୁର ଅଂଚଳରୁ ଟାଟା ଏସସି ଗାଡ଼ି ଚୋରି ହୋଇ ଯାଜପୁର ଆସିଛି । ଗାଡିର ଜିପିଏସ ଯାଂଚରୁ ଜଣାପଡିଥିଲା ତାହା ଶୀତଳେଶ୍ୱର କବାଡିଖାନା ନିକଟରେ ରହିଛି । ଚଢାଉ ବେଳେ ଟାଟା ଏସିକୁ ଜବତ କରାଯାଇଥିବା ବେଳେ ଅନେକ ଗାଡିର କଟା ପାର୍ଟସ ମିଳିଛି । ଏହି ଖବର ପାଇବା ପରେ ଚୋରି ହୋଇଥିବା ଗାଡି ମାଲିକଙ୍କ ଥାନାକୁ ସୁଅ ଛୁଟିଛି । ନିଜ ଗାଡିର ଟୁକୁରା ଟୁକୁରା ପାର୍ଟସ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଗାଡି ମାଲିକ । ଏହି ଗ୍ୟାଙ୍ଗରେ ସାମିଲ ସମସ୍ତ ଅଭିଯୁକ୍ତଙ୍କୁ ଧରି ଉଚିତ ଦଣ୍ଡ ଦେବାକୁ ଦାବି କରିଛନ୍ତି ଗାଡି ମାଲିକ । ତେବେ ସହର ଭିତରେ ଏପରି ବେଆଇନ କାମ ଚାଲୁଥିବା ପରେ ବି କେମିତି ଏତେଦିନ ପର୍ଯ୍ୟନ୍ତ ପୋଲିସ ଜାଣିପାରିଲାନାହିଁ ତାହା ତଦନ୍ତ ସାପେକ୍ଷ।

Odisha Police Jajpur
Advertisment
Advertisment