• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭୁବନେଶ୍ୱର : ରାଜ୍ୟରେ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣାରେ ଲାଗୁନି ବ୍ରେକ୍। ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବି ଜାତୀୟ ହାରଠୁ ଅଧିକ। ଓଡ଼ିଶାରେ ଏବେ ଦୈନିକ ପ୍ରାୟ ୨୭ଟି ଦୁର୍ଘଟଣା ଘଟୁଛି ଓ ୧୩ ଜଣ ପ୍ରାଣ ହରାଉଛନ୍ତି । ଜାତୀୟ ହେଉକି ରାଜ୍ୟ ରାଜପଥ, ବିଭିନ୍ନ ସ୍ଥାନରେ ଚିହ୍ନଟ ୩୩୫ ବ୍ଲାକ୍ ସ୍ପଟ୍‌ରେ ମର୍ମନ୍ତୁଦ ଦୁର୍ଘଟଣା ଏଡ଼ାଇବାକୁ ଚାଲିଛି ଷ୍ଟ୍ରାଟେଜି । ୧୦୦ଟି ବ୍ଲାକ୍ ସ୍ପଟ୍‌ରେ ସଡ଼କ ସୁରକ୍ଷା ଅନୁଷ୍ଠାନ-ସେଭ୍ ଲାଇଫ୍ ଫାଉଣ୍ଡେସନ୍ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର। ପ୍ରୋଜେ ରକ୍ଷକ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟବ୍ୟାପୀ ୩୦ ହଜାର ଫାଷ୍ଟ୍‌ ରେସ୍ପଣ୍ଡର ବା ରକ୍ଷକଙ୍କୁ ଦିଆଯାଉଛି ତାଲିମ୍।

ସେପଟେ ଖୋର୍ଦ୍ଧା ବାଲୁଗାଁ ନିକଟରେ ଆଜି ରାସ୍ତା ଦୁର୍ଘଟଣାରେ ମୃତ ୩ଜଣଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ୨ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ବାଲୁଗାଁ ବେଲପଡ଼ା ଛକ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଯାଇଛି ୩ ଜୀବନ। ୯ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକମାନେ ରଂଗେଇଲୁଣ୍ଡାର। ସେମାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହ ଆହତମାନଙ୍କୁ ସଠିକ୍ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

କାହିଁକି ବଢୁଛି ରାସ୍ତା ଦୁର୍ଘଟଣା:

ତେବେ ନିଇତି କେଉଁଠୁ ନା କେଉଁଠୁ ଏଭଳି ଦୁଃଖଦ ଖବରମାନ ଆସୁଛି। ତେବେ ଏଠି ପ୍ରଶ୍ନ ଉଠେ ଯେ କାହିଁକି ବଢୁଛି ରାସ୍ତା ଦୁର୍ଘଟଣା? ତଥ୍ୟ ଅନୁସାରେ ଓଡ଼ିଶା ଦେଇ ଯାଇଥିବା ଜାତୀୟ ରାଜପଥ ସହ ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ରହିଛି ୩୩୫ଟି ବ୍ଲାକ୍ ସ୍ପଟ୍। ସେଥିମଧ୍ୟରୁ କେବଳ ୧୨୦ଟି ଅଛି ଜାତୀୟ ରାଜପଥରେ। ଏଥିସହ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ-NCRBର ଆକ୍ସିଡେଣ୍ଟାଲ ଡେଥ୍ସ ଆଣ୍ଡ୍‌ ସୁଇସାଇଡ୍ସ ଇନ୍ ଇଣ୍ଡିଆ ରିପୋର୍ଟ କହୁଛି, ୨୦୧୯ ମସିହାରେ ଓଡ଼ିଶାରେ ୧୧ ହଜାର ୬୪ଟି ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୫୩୩୩ ଜୀବନ ଯାଇଛି।

ଅର୍ଥାତ୍ ଦୈନିକ ୩୦ଟି ଦୁର୍ଘଟଣା ଘଟୁଛି ଓ ୧୪ ଜଣ ପ୍ରାଣ ହରାଉଛନ୍ତି। ତେବେ କୋଭିଡ୍ କଟକଣା ଯୋଗୁଁ ୨୦୨୦ରେ କିନ୍ତୁ ଏହି ସଂଖ୍ୟା କମିଥିଲା। ସେ ବର୍ଷ ୯ ହଜାର ୮୧୭ଟି ଦୁର୍ଘଟଣାରେ ୪ ହଜାର ୭୩୮ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଚିନ୍ତାର ବିଷୟ ହେଲା ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁ ହାରରେ ଜାତୀୟ ହାରଠାରୁ ଢେର୍ ଉପରେ ରହିଛି ଓଡ଼ିଶା। ଦୁର୍ଘଟଣାରେ ଜାତୀୟ ହାର ୩୩ ପ୍ରତିଶତ ଥିବାବେଳେ ରାଜ୍ୟରେ ରହିଛି ୪୮ ପ୍ରତିଶତ। ରାଜ୍ୟରେ ରାସ୍ତା ଦୁର୍ଘଟଣାର ଏଭଳି ବିଷମ ସ୍ଥିତିକୁ ଏଡ଼ାଇବାକୁ ୧୦୦ଟି ବ୍ଲାକ୍ ସ୍ପଟ୍‌ରେ ସଡ଼କ ସୁରକ୍ଷା ଅନୁଷ୍ଠାନ-ସେଭ୍ ଲାଇଫ୍ ଫାଉଣ୍ଡେସନ୍ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର, ଯାହାକି ବଡ଼ ଆଶ୍ୱସ୍ତି ଆଣିବ ବୋଲି ରାଜ୍ୟ ପରିବହନ କମିଶନର ଅରୁଣ ବୋଥ୍ରା ମତ ପ୍ରକାଶ କରିଛନ୍ତି।

ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁ ଏଡ଼ାଇବାକୁ ସବୁଠୁ ବଡ଼ ବାଟ ଆହତଙ୍କୁ ତତ୍କାଳ ଚିକିତ୍ସା। ତେଣୁ ଏଠି ପ୍ରଶ୍ନ ଉଠେ ଯେ ମର୍ମନ୍ତୁଦ ଦୁର୍ଘଟଣାରେ ଆହତଙ୍କୁ ଦରକାର କେଉଁ ପ୍ରକାର ଫାଷ୍ଟଏଡ୍? ଡାକ୍ତରଖାନା ପହଞ୍ଚାଇବା ପୂର୍ବରୁ ସେମାନଙ୍କୁ ଆବଶ୍ୟକ କି ପ୍ରକାର ପ୍ରାକ୍ ଚିକିତ୍ସା? ଭୁବନେଶ୍ୱର-୧ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦିଆଯାଇଛି ଏଭଳି ଟ୍ରେନିଂ।

ଉଭୟ ଜାତୀୟ ଓ ରାଜ୍ୟ ରାଜପଥରେ ଦୁର୍ଘଟଣାପ୍ରବଣ ଅଞ୍ଚଳ ବା ବ୍ଲାକ୍ ସ୍ପଟ୍‌ରେ ମୃତ୍ୟୁ ରୋକିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୋଜେ ରକ୍ଷକ କାର୍ଯ୍ୟକ୍ରମ। ନଭେମ୍ବର ୧୦ରୁ ଆରମ୍ଭ ଏହି କାର୍ଯ୍ୟକ୍ରମ ଜରିଆରେ ଆଗାମୀ ୩୦ ସପ୍ତାହ ମଧ୍ୟରେ ୩୦ ଜିଲ୍ଲାରେ ୩୦୦ ମାଷ୍ଟର ଟ୍ରେନର ଓ ରାଜପଥ କଡ଼ରେ ବ୍ୟବସାୟ କରୁଥିବା ୩୦ ହଜାର ଫାଷ୍ଟ୍‌ ରେସ୍ପଣ୍ଡର ବା ରକ୍ଷକଙ୍କୁ ତାଲିମ ଦିଆଯିବ।