Advertisment

କେତେ ସୁରକ୍ଷିତ ଆମ କ୍ଷେପଣାସ୍ତ୍ର ଘାଟି ?

ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ୫ ଜଣ ଜେଲ୍ ଯିବା ପରେ ଏବେ ପ୍ରଶ୍ନ କେତେ ସୁରକ୍ଷିତ ଏ କ୍ଷେପଣାସ୍ତ୍ର ଘାଟି। ଖାଲି ଏଇଠୁ ତଥ୍ୟ ଲିକ୍ ହୋଇଛି ନା ପଡ଼ୋଶୀ ଜିଲ୍ଲାର ହ୍ୱିଲର ଦ୍ୱୀପରେ ବି ଏଭଳି ଚାଲୁଛି।

author-image
Sarbeswar
ITR

ITR

ବାଲେଶ୍ୱର: ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ୫ ଜଣ ଜେଲ୍ ଯିବା ପରେ ଏବେ ପ୍ରଶ୍ନ କେତେ ସୁରକ୍ଷିତ ଏ କ୍ଷେପଣାସ୍ତ୍ର ଘାଟି। ଖାଲି ଏଇଠୁ ତଥ୍ୟ ଲିକ୍ ହୋଇଛି ନା ପଡ଼ୋଶୀ ଜିଲ୍ଲାର ହ୍ୱିଲର ଦ୍ୱୀପରେ ବି ଏଭଳି ଚାଲୁଛି। ଯେହେତୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ହଜାର ହଜାର ସଂଖ୍ୟାକ ବାଂଲାଦେଶୀ ଶରଣାର୍ଥୀ ଓ ଅନୁପ୍ରବେଶକାରୀଙ୍କ ଅନାୟସ ଆତଯାତ ଚାଲିଛି, ତେଣୁ ଏଭଳି ଶଙ୍କା ସୃଷ୍ଟି ହେବା ସ୍ୱାଭାବିକ କଥା। ସେପଟେ ଆଇଟିଆର ତଥ୍ୟ ଲିକ୍ ମାମଲାର ତନାଘନା ଉଭୟ କ୍ରାଇମବ୍ରାଞ୍ଚ ଓ ଏନଆଇଏ ଚଳାଇଛନ୍ତି ତଦନ୍ତ।

Advertisment

ITRରୁ କି କି ଗୋପନ ତଥ୍ୟ ଲିକ୍ କରିଛନ୍ତି ୫ ଅଭିଯୁକ୍ତ ? କେମିତି ଦେଉଥିଲେ ? କାହାକୁ ଦେଉଥିଲେ ? ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ମହିଳା ଏଜେଣ୍ଟଙ୍କ ହନିଟ୍ରାପରେ ଫସି କଣ ସବୁ କରିଛନ୍ତି ପ୍ରଘଟ ? ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ଆସି ଗୋଟିଏ ପଟେ କ୍ରାଇମବ୍ରାଞ୍ଚର ଚାରି ଜଣିଆ ଟିମ୍ ଏ ସବୁର ତନାଘନା ଚଳାଇଥିବାବେଳେ ଅନ୍ୟପଟେ ଜାତୀୟ ତଦନ୍ତକାରୀ ସଂସ୍ଥା NIAର ଦୁଇ ଜଣ ଅଧିକାରୀ ବି ସବୁ ଦିଗରୁ ଛାନବିନ୍ ଜାରି ରଖିଛନ୍ତି। ଏମିତିକି ଏନଆଇଏ ଅଧିକାରୀ ଆଜି ଆଇଟିଆରର କିଛି ବରିଷ୍ଠ ଅଧିକାରୀଙ୍କ ସହ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ ବି କରିଛନ୍ତି।

Advertisment

ତେଣେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଭାର ହାତକୁ ନେଉ ନେଉ, ପ୍ରଥମେ ଉଭୟ ଠିକା ଓ ସ୍ଥାୟୀ କର୍ମଚାରୀଙ୍କ ବିଦେଶୀ ଲିଙ୍କ୍ ଖୋଜିବା ଆରମ୍ଭ କରିଦେଇଛି। ତାସହ ପ୍ରତିରକ୍ଷା ସମ୍ବନ୍ଧୀୟ ଗୁପ୍ତ ତଥ୍ୟ ଲିକ୍ର ମୂଳ ଯାଏଁ ଯିବାକୁ ଚେଷ୍ଟା ଚଳାଇଛି। ସେପଟେ ଏଭଳି ଦେଶଦ୍ରୋହୀ କାର୍ଯ୍ୟରେ କେବଳ ଏଇ ୫ ତଳିଆ କର୍ମଚାରୀ ଅଛନ୍ତି, ନା ବଡ଼ ମାଛ ବି ସାମିଲ ? ତାକୁ ଚଳାଇଛି ଘଣ୍ଟାଚକଟା। ଯେହେତୁ ଗତକାଲି ଗିରଫ ହୋଇଥିବା ସଚିନ୍ କୁମାର ନାମକ ଡ୍ରାଇଭର କିଛି ବର୍ଷ ତଳେ ଆଟିଆରର ବରିଷ୍ଠ ଅଧିକାରୀଙ୍କ ଗାଡ଼ି ଚଳାଉଥିଲେ ତେଣୁ ଅଫିସର ଓ ବୈଜ୍ଞାନିକଙ୍କ ଆତଯାତ ସମ୍ପର୍କରେ ତାଙ୍କ ପାଖରେ ବିସ୍ତୃତ ତଥ୍ୟ ଥିବ ନିଶ୍ଚୟ, ତେଣୁ ସେ ଏବେ ସବୁଠାରୁ ଅଧିକ ସ୍କାନରରରେ ରହିଛି। ତେବେ ତଦନ୍ତ ଚାଲିଥିଲେ ବି ଦେଶର ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ, ସେ ନେଇ ଏବେ ଅଧିକ କିଛି ତଥ୍ୟ ଦେଇ ହେବନି ବୋଲି ସଫା ସଫା ଶୁଣାଇଥିଲେ କ୍ରାଇମବ୍ରାଞ୍ଚ ଆଡିସନାଲ ଏସପି।

ଆଇଟିଆରରୁ ତଥ୍ୟ ଲିକ୍ ଏବଂ ଏଥିରେ ଖୋଦ୍ ପ୍ରତିରକ୍ଷା ବିଭାଗର ଜଣେ କର୍ମଚାରୀଙ୍କ ସହ ୪ ଠିକା କର୍ମଚାରୀଙ୍କ ସଂପୃକ୍ତି ସନ୍ଦେହରେ ଗିରଫ ପରେ ଏବେ ପ୍ରଶ୍ନ-କେତେ ସୁରକ୍ଷିତ ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ? ତାସହ ଶତ୍ରୁଙ୍କ ପାଇଁ କେତେ ଅଭେଦ୍ୟ ପଡ଼ୋଶୀ ଭଦ୍ରକ ଧାମରାରେ ଥିବା ଅବଦୁଲ୍ କାଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ? ଧାମରା ବି ବିପଦମୁକ୍ତ ତ ? କାରଣ ଏସବୁର ଚାରି ପାଖରେ ଅହରହ ବୁଲୁଛନ୍ତି ମାଳ ମାଳ ବାଂଲାଦେଶୀ ଅନୁପ୍ରବେଶକାରୀ। ମତ୍ସଜୀବୀଙ୍କ ମୁଖା ପିନ୍ଧି ଏମାନଙ୍କର ରହିଛି ଅବାଧ ଅନୁପ୍ରବେଶ ସ୍ଥାନୀୟ ଶରଣାର୍ଥୀଙ୍କ ସହଯୋଗରେ ଅନାୟସରେ ଏମାନଙ୍କର ନିୟମିତ ଚାଲିଛି ଆତଯାତ। ବାଲେଶ୍ୱର, ଭଦ୍ରକ ସହ କେନ୍ଦ୍ରାପଡ଼ା ଓ ପୁରୀ ପର୍ଯ୍ୟନ୍ତ ସମୁଦ୍ର ବେଳାଭୂମୀକୁ ବାଂଲାଦେଶୀ ଅନୁପ୍ରବେଶ କାରୀମାନେ ଏକ ପ୍ରକାର ସ୍ଥାୟୀ ଠିକଣା ବନେଇ ସାରିଲେଣି। ଯେହେତୁ ଚାନ୍ଦିପୁର ଓ ହ୍ୱିଲର ଦ୍ୱୀପଠାରୁ ବାଂଲାଦେଶର ଦୂରତ୍ୱ ଜଳପଥରେ ବହୁତ୍ କମ୍ ଏବଂ ସମୁଦ୍ରରେ ହିଁ ଏମାନଙ୍କ ଅବାଧ ଚଳପ୍ରଚଳ ରହିଛି। ତେଣୁ ଅନୁପ୍ରବେଶକାରୀଙ୍କ ମାଧ୍ୟମରେ ଅନାୟସରେ ଗୁପ୍ତ ତଥ୍ୟ ଶତ୍ରୁ ପକ୍ଷର ହାତକୁ ଚାଲିଯିବାରେ କିଛି ବି ଅସୁବିଧା ନାହିଁ ବୋଲି କହିଛନ୍ତି ପୂର୍ବତନ ପୋଲିସ ଅଧିକାରୀ ଓ ବୁଦ୍ଧିଜୀବୀ।

Odisha Balasore Bhadrak
Advertisment
Advertisment