• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଲେଶ୍ୱର: ରହସ୍ୟମୟୀ ଯୁବତୀର ରୋମାଞ୍ଚିତ ନାଟକ । ପ୍ରତିରକ୍ଷା କ୍ଷେତ୍ରର ଗୁପ୍ତ ତଥ୍ୟ ହାତେଇବାକୁ ନାନା ଫନ୍ଦି ଫିକର । ସୋସିଆଲ୍ ମିଡିଆରେ ଷଡ଼ଯନ୍ତ୍ରର ମାୟାଜାଲ ବିଛାଇ ଥିବା ରହସ୍ୟମୟୀ ଲେଡି କାହାକୁ Hi ଲେଖି ଯୋଡ଼ି ଦେଇଥିଲା ସମ୍ପର୍କ, ତ ଆଉ କାହାକୁ ଶିକାର କରୁଥିଲେ LOVE YOU କହି । ରିମାଣ୍ଡରେ ଥିବା ୫ ଅଭିଯୁକ୍ତଙ୍କଠାରୁ କ୍ରାଇମବ୍ରାଞ୍ଚ ହାତେଇଛି ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ । କାରଣ ଇୟେ ସେହି ମାୟାବିନୀ, ଯାହାର ମାୟାରେ ବାୟା ହୋଇଥିଲେ ITRର ୫ ତଥ୍ୟ ପ୍ରଘଟକାରୀ ।

କିଏ ବିବାହ ମୋହରେ ତ ଆଉ କିଏ ଟଙ୍କା ଲୋଭରେ ଫସିଯାଇଥିଲେ ତଥ୍ୟ ଲିକ୍ର ଚକ୍ରବ୍ୟୁହରେ । ଦିନେ କି ଅଧେ ନୁହେଁ, ୨୦୨୦ ଫେବ୍ରୁୟାରୀରୁ ଯୁବତୀ ଜଣକ ଭିନ୍ନ ଭିନ୍ନ ପରିଚୟ ଓ ଠିକଣା ଦେଇ ରଚିଥିଲା ଷଡ଼ଯନ୍ତ୍ର । ୫ ଅଭିଯୁକ୍ତଙ୍କ ମଧ୍ୟରୁ କାହାକୁ ପୋର୍ଟବ୍ଲେୟାରର ନର୍ସ ବୋଲି ପରିଚୟ ଦେଇଥିଲା ତ ଆଉ କାହାକୁ କହିଥିଲା ଚଣ୍ଡିଗଡ଼ର ଡିଫେନ୍ସ ଷ୍ଟାଫ୍ । ଏପରିକି ବ୍ରିଟେନ ଲିଭରପୁଲ ଏବଂ ରାଜସ୍ଥାନ ଠିକଣା ବି ଦେଇଥିଲା । ଆଉ ବିଶ୍ୱାସ ଜନ୍ମାଇବା ପାଇଁ ଇଂଲିଶ ଓ ହିନ୍ଦୀରେ କରିଚାଲିଥିଲା ଚାଟିଂ ଆଉ ଭିଡ଼ିଓ କଲିଂ ।

ତାହାରି ଭିତରେ ସଂପୃକ୍ତ ଯୁବତୀର ରୂପ ଲାବଣ୍ୟ ଦେଖି ଚାନ୍ଦିପୁରର ଏହି ୫ ଅଭିଯୁକ୍ତ ଗୁପ୍ତ ତଥ୍ୟ ଟେକି ଦେଇଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି । ଅର୍ଥାତ ITR ତଥ୍ୟ ପ୍ରଘଟ ମାମଲାରେ ଯେଉଁ ହନିଟ୍ରାପ୍ କଥା କୁହାଯାଉଥିଲା, ତାହା ଏବେ ସତ ହେବାକୁ ଯାଉଛି । ତେବେ ଦେଢ଼ ବର୍ଷ ଧରି ଏଭଳି ଦେଶଦ୍ରୋହୀ ଷଡ଼ଯନ୍ତ୍ର ଜାରି ରହିଥିଲେ ବି କେହି କେମିତି ସୁରାଗ୍ ପାଇଲେନି ? କେମିତି ଏହି ରହସ୍ୟମୟୀ ଯୁବତୀଙ୍କୁ ଠାବ କରାଯିବ ? ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।

ରିମାଣ୍ଡରେ ଥିବା ୫ ଅଭିଯୁକ୍ତ ଡ୍ରାଇଭର ସଚିନ୍ କୁମାର ଛତ୍ତା, ଠିକା AC ଅପରେଟର୍ ବସନ୍ତ ବେହେରା ଓ ଶେଖ୍ ମୁଶାଫିର, ମେନ୍‌ଗେଟ୍‌ କିପର୍ ତାପସ ନାୟକ ଓ ଡିଜି ଅପରେଟର୍ ହେମନ୍ତ କୁମାର ମିସ୍ତ୍ରୀ ଇତିମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଗାଳି ସାରିଛନ୍ତି କ୍ରାଇମବ୍ରାଞ୍ଚ ଆଗରେ । ମିଳିଥିବା ତଥ୍ୟର ସମ୍ବେଦନଶୀଳତାକୁ ଦେଖି ଘଟଣା ଉପରେ NIA ସହ ଏୟାରଫୋର୍ସ ଟିମ୍ ବି ଫୋକସ୍ ରଖିଛନ୍ତି । ତେବେ ଏହି ଲେଡି ଲିଙ୍କରେ କ୍ଷେପଣାସ୍ତ୍ର ଘାଟିରୁ କି କି ତଥ୍ୟ ଲିକ୍ ହୋଇଛି ? ITRରେ ପରୀକ୍ଷଣ ହୋଇଥିବା ଯୁଦ୍ଧାସ୍ତ୍ର ଓ ମିଜାଇଲ୍ ସମ୍ପର୍କିତ ଗୁପ୍ତ ତଥ୍ୟ ପ୍ରଘଟ ହୋଇଛି କି ? ଏହି ଯୁବତୀ ମାଧ୍ୟମରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ରଚିଛି କି ଷଡ଼ଯନ୍ତ୍ର ? ଏସବୁର ରହସ୍ୟ ଖୋଲିବାକୁ ଅର୍ଥ କାରବାରର ଦୁବାଇ ଲିଙ୍କ୍, ବ୍ରିଟେନ୍‌ରୁ ଆସିଥିବା ଫୋନ୍ କଲ୍‌ର ଯାଞ୍ଚ ସହ ନମ୍ବରକୁ ଠାବ ପାଇଁ କ୍ରାଇମବ୍ରାଞ୍ଚ ଲାଗିପଡ଼ିଛି ।

ଏସବୁ ଭିତରେ ଗତ ୧୯ରୁ ୭ ଦିନିଆ ରିମାଣ୍ଡରେ ଥିବା ୫ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିବା ପରେ ପୁଣି ଥରେ କ୍ରାଇମବ୍ରାଞ୍ଚ ରିମାଣ୍ଡ ନେଇପାରେ ବୋଲି କୁହାଯାଉଛି ।