• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସ୍ୱାମୀକୁ ଛାଡ଼ି ମୋତେ ବାହା ହେବାକୁ ପ୍ରସ୍ତାବ ଦେଲି ।
     

  • ମୁଣ୍ଡରେ ସିନ୍ଦୂର ଦେଲି । ରାଜି ନହେବାରୁ ଜୀବନ ନେଲି ।

  • ଅଭିଯୁକ୍ତ ଜଗନ୍ନାଥ ପ୍ରଧାନର ଚାଞ୍ଚଲ୍ୟକର ବୟାନ ।

ଭୁବନେଶ୍ୱର: ସ୍ୱାମୀକୁ ଛାଡ଼ି ମୋତେ ବାହା ହେବାକୁ ପ୍ରସ୍ତାବ ଦେଲି । ମୁଣ୍ଡରେ ସିନ୍ଦୂର ଦେଲି । ରାଜି ନହେବାରୁ ଜୀବନ ନେଲି । ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟା ମାମଲାରେ ପୋଲିସ ଆଗରେ ଏଭଳି ଚାଞ୍ଚଲ୍ୟକର ବୟାନ ରଖିଛି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ପୋଲିସ ଆଗରେ ସେ ସ୍ୱୀକାର କରିଛି, ଘଟଣା ଦିନ ପ୍ରିୟଙ୍କାଙ୍କ ସ୍ୱାମୀ ରାକେଶ ସାହୁ ଘରୁ ବାହାରିଯିବା ପରେ, ସେ ସେଠାକୁ ୨ଟି ଛୁରି, କୋଲ୍ଡ ଡ୍ରିଙ୍କ୍ସ, ଚକୋଲେଟ୍, ବିଷ ଓ ସିନ୍ଦୂର ଧରି ଯାଇଥିଲା ।

ପ୍ରିୟଙ୍କାଙ୍କୁ ବାଧ୍ୟ କରିଥିଲା, ତା ସହ ବାହା ହୋଇଯିବା ପାଇଁ । ହେଲେ ସେ ରାଜି ନହେବାରୁ ପ୍ରବଳ ଯୁକ୍ତିତର୍କ ଓ ପାଟିତୁଣ୍ଡ ପରେ, ଜଗନ୍ନାଥ ତାଙ୍କୁ ତଣ୍ଟିକାଟି ହତ୍ୟା କରିବା ସହ, ନିଜେ ଜୀବନ ହାରିବା ପାଇଁ କୋଲ୍ଡ ଡ୍ରିଙ୍କ୍ସରେ ବିଷ ମିଶାଇ ପିଇ ଦେଇଥିଲା ।

ଅଭିଯୁକ୍ତ ଜଗନ୍ନାଥର ପ୍ଲାନ୍ ଥିଲା ପ୍ରିୟଙ୍କା ଓ ତାଙ୍କ ୩ ବର୍ଷର ପୁଅକୁ ମାରିବା ଓ ନିଜେ ମରିବା । ହେଲେ ଠିକ୍ ସମୟରେ ଦେବଦୂତ ସାଜି ପହଞ୍ଚିଯାଇଥିଲେ ଘର ମାଲିକ । ଦହିବରା ବଞ୍ଚାଇଦେଇଥିଲା କୁନି ପୁଅର ଜୀବନ । ଜଗନ୍ନାଥ ମାନିଛି, ସେଦିନ ସେ ପ୍ରିୟଙ୍କାଙ୍କ ଘରେ ପହଞ୍ଚିବା ବେଳେ ତାଙ୍କ ପୁଅ ବି ସେଠାରେ ଥିଲା । ହେଲେ ଯୁକ୍ତିତର୍କ ବେଳେ ଘର ମାଲିକ କବାଟ ବାଡ଼େଇବାରୁ ବାଥରୁମ୍‌ରେ ଲୁଚି ଯାଇଥିଲା ଜଗନ୍ନାଥ । ଘରମାଲିକ ପ୍ରିୟଙ୍କାଙ୍କୁ ଦହିବରା ଦେଇଥିଲେ ଓ ସାଥିରେ ପୁଅକୁ ଉପର ମହଲାକୁ ଖେଳିବା ପାଇଁ ନେଇଯାଇଥିଲେ । ଫଳରେ ଘାତକ କବଳରୁ ଅଳ୍ପକେ ବର୍ତ୍ତି ଯାଇଥିଲା କଅଁଳା ଶିଶୁ ।

ଗତ ଜୁଲାଇ ୫ ତାରିଖରେ ଘଟଣାସ୍ଥଳରୁ ହାତକଟା ଅବସ୍ଥାରେ ଉଦ୍ଧାର ଅଭିଯୁକ୍ତ ଜଗନ୍ନାଥ ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ, ତାକୁ ଗିରଫ କରି ଏୟାର୍ଫିଲ୍ଡ ଥାନାରେ ଜେରା କରାଯାଇଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । ସାଇବର୍ ଏକ୍ସପର୍ଟ ସହାୟତାରେ ଉଭୟଙ୍କ ହ୍ବାଟ୍ସଆପ୍ ଓ ସୋସିଆଲ୍ ମିଡିଆ ଆକାଉଣ୍ଟ ମଧ୍ୟ ଛାନଭିନ କରାଯାଇଛି । ସେଦିନ ଜଗନ୍ନାଥ, ପ୍ରିୟଙ୍କା ଓ ତାଙ୍କ ପୁଅ ଏକ ସେଲ୍ଫି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ସେପଟେ ଜଗନ୍ନାଥ ଏକତରଫା ପ୍ରେମ କରୁଥିଲେ ବୋଲି ମୃତ ପ୍ରିୟଙ୍କାଙ୍କ ବାପା ମାଆ ଅଭିଯୋଗ କରିଥିବା ବେଳେ, ଜଗନ୍ନାଥଙ୍କ ମାଆ ଏହାକୁ ଖଣ୍ଡନ କରିଛନ୍ତି ।