Advertisment

ଘରେ ସ୍ୱାମୀ-ସ୍ତ୍ରୀ ଥିଲେ; ସ୍ୱାମୀ ପୋଡ଼ିଗଲା, ହେଲେ ସ୍ତ୍ରୀ କେମିତି ଜାଣିପାରିଲା ନାହିଁ ?: ସୌମ୍ୟଙ୍କ ଭାଇ

ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେର ଭିତରେ ଥିବାବେଳେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ଖୁଲାସା ହେଉଛି।

author-image
Rajalaxmi Sahoo
ଘରେ ସ୍ୱାମୀ-ସ୍ତ୍ରୀ ଥିଲେ; ସ୍ୱାମୀ ପୋଡ଼ିଗଲା, ହେଲେ ସ୍ତ୍ରୀ କେମିତି ଜାଣିପାରିଲା ନାହିଁ ?: ସୌମ୍ୟଙ୍କ ଭାଇ

Soumya Ranjan Mohapatra

ପାରଳାଖେମୁଣ୍ଡି: ‘ଗୋଟିଏ ଯାଗାରେ ସ୍ୱାମୀ-ସ୍ତ୍ରୀ ୨ଜଣ ଥିଲେ। ସ୍ୱାମୀ ପୋଡ଼ିଗଲା, ହେଲେ ସ୍ତ୍ରୀ କେମିତି ଜାଣିପାରିଲା ନାହିଁ ? ଡାଏରୀ, ହାତଲେଖା ଚିଠି ଗୋଟିଏ ପରେ ଗୋଟିଏ ଯେଉଁଭଳି ସାମ୍ନାକୁ ଆସୁଛି, ଏଥିରୁ ଜଣାପଡ଼ୁଛି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା।’ ଆଜି ଗଣମାଧ୍ୟମ ସମ୍ମୁଖରେ ଏଭଳି କିଛି ପ୍ରତିକ୍ରିୟା ରଖି କହିଛନ୍ତି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ବଡ଼ ଭାଇ। ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେର ଭିତରେ ଥିବାବେଳେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ଖୁଲାସା ହେଉଛି।

Advertisment

ଗତକାଲି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା ପରେ ଗଜପତି ପୋଲିସ ଡିଏଫ୍ଓଙ୍କୁ ଏକ ପ୍ରକାର କ୍ଲିନ୍ ଚିଟ୍ ଦେଇଥିଲେ। ସେପଟେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି ସୌମ୍ୟଙ୍କ ପରିବାର ଲୋକ। ସୌମ୍ୟଙ୍କ ବଡ଼ ଭାଇ କହିଛନ୍ତି, ‘ତଦନ୍ତ ପ୍ରକ୍ରିୟା ଯେଉଁଭଳି ଭାବରେ କରାଯାଉଛି, ଏହା ଉପରେ ଆମେ ସନ୍ଦେହ ପ୍ରକଟ କରୁଛୁ। ଗୋଟିଏ ଯାଗାରେ ସ୍ୱାମୀ-ସ୍ତ୍ରୀ ୨ଜଣ ଥିଲେ। ସ୍ୱାମୀ ପୋଡ଼ିଗଲା, ହେଲେ ସ୍ତ୍ରୀ କେମିତି ଜାଣିପାରିଲା ନାହିଁ ? ପ୍ରଥମରୁ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଘରର ଚାବି ପକାଇ ଚାବି ସେମାନେ ରଖିଲେ। ପୁଣି ୪ ଦିନ ପରେ ଘରର ଚାବି ଖୋଲିଲେ ଓ କହିଲେ ଏଠି କିଛି ହୋଇନାହିଁ। ପୁଣି ୨ ଦିନ ପରେ ଚାବି ପକାଇ, ଚାବି ଖୋଲିଲେ ଓ କହିଲେ ଏଇଠି ହୋଇଛି। ଏହାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ପାରଳାଖେମୁଣ୍ଡିରେ ଜଣେ ଡାକ୍ତର ଚିକିତ୍ସା କରିଥିବା ବେଳେ ଆଉ ଜଣେ ଡାକ୍ତର ରେଫର୍‌ କରିଛନ୍ତି। ଜଣେ ଲେଖିଛନ୍ତି MKCG ମେଡିକାଲ୍‌ ବ୍ରହ୍ମପୁର ଓ ଆଉ ଜଣେ କଟକ SCB ମେଡିକାଲ୍‌ ଲେଖିଛନ୍ତି। ଗୋଟିଏ ଡାକ୍ତରଙ୍କ ନାଁ ଲେଖା ହୋଇଛି, ପୁଣି ତାଙ୍କ ନାଁ କଟା ଯାଇ ଆଉ ଜଣେ ଡାକ୍ତରଙ୍କ ନାଁ ଲେଖା ଯାଇଛି। ସେହିପରି ଡାଏରୀ, ହାତଲେଖା ଚିଠି ଗୋଟିଏ ପରେ ଗୋଟିଏ ଯେଉଁଭଳି ସାମ୍ନାକୁ ଆସୁଛି, ଏଥିରୁ ଜଣାପଡ଼ୁଛି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ଆହୁରି ତଦନ୍ତ କଲେ ନିଶ୍ଚିତ ଭାବେ ସତ୍ୟ ସାମ୍ନାକୁ ଆସିବ।’

ସୌମ୍ୟଙ୍କ ମା’ କହିଛନ୍ତି, ‘ଯିଏ ଦୋଷୀ ସେ ନିହାତି ଦଣ୍ଡ ପାଇବା କଥା, ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଦୋଷୀକୁ ଦଣ୍ଡ ମିଳୁ, ଗିରଫ କରାଯାଉ ଓ ମୋତେ ନ୍ୟାୟ ମିଳୁ।’

Advertisment

ଅନ୍ୟପକ୍ଷେ, ଗଜପତି ପୋଲିସ ବାଲେଶ୍ୱର ଓ ବଲାଙ୍ଗିର ଯାଇ ଅଧିକ ତଦନ୍ତ କରିବ। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଢୁଥିବା ଏଲ୍‌ଆଇ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ଓ ବାଲେଶ୍ୱର ଖଇରା ବେଗୁନିଆରେ ଥିବା ସୌମ୍ୟରଞ୍ଜନଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ସେପଟେ ସୌମ୍ୟଙ୍କ ପରିବାର ପକ୍ଷରୁ ନିୟୋଜିତ ହୋଇଥିବା ଓକିଲ ପୋଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସୌମ୍ୟରଞ୍ଜନଙ୍କ ଘରକୁ ଡିଏଫଓ ଯିବା କେହି ଦେଖିନଥିବା ପୋଲିସ କହୁ ଥିବାବେଳେ ଓକିଲ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେହିପରି କଲ୍ ରେକର୍ଡ ଯାଞ୍ଚ ଓ ସୌମ୍ୟ ପୋଡ଼ିଯିବା ଘଟଣା ସ୍ଥଳକୁ ନେଇ ସେ ପୋଲିସ ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ତଦନ୍ତକାରୀ ଅଧିକାରୀ ପାରଳାଖେମୁଣ୍ଡି IIC ବିବେକାନନ୍ଦ ସ୍ୱାଇଁ କହିଛନ୍ତି, ଅଭିଯୋଗ ଆସିଥିବା ବ୍ୟାଚେଲର ପାର୍ଟି ତଦନ୍ତ ପାଇଁ ଯିବ ୫ ଜଣିଆ ଟିମ୍ ବଲାଙ୍ଗିର ଯିବ। ତଦନ୍ତ ଶେଷ ହେଲେ ନିଶ୍ଚିତ ନ୍ୟାୟ ମିଳିବ। ଯାହା ନାଁରେ ଅଭିଯୋଗ ଅଛି ସମସ୍ତଙ୍କ କଲ୍ ରେକର୍ଡ ଯାଞ୍ଚ ହେଉଛି ବୋଲି ପାରଳାଖେମୁଣ୍ଡି IIC ସୂଚନା ଦେଇଛନ୍ତି।   

Paralakhemundi ACF Death Acf Soumya Ranjan Mohapatra Soumya Ranjan Mohapatra
Advertisment
Advertisment