• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର, (ରିପୋର୍ଟ- ବିଜୟ ବରୁଆ, ଦୀପକ ମହାନ୍ତ, ଜଗଦୀଶ  ଦାସ): କୋଭିଡ୍‌ର ନୂଆ ପ୍ରଜାତି ଓମିକ୍ରନ୍‌କୁ ଚେକ୍ ଦେବା ଲାଗି ସରକାରୀ ପ୍ରସ୍ତୁତି । ଆକ୍ରାନ୍ତଙ୍କ ଜିନମ୍ ସିକ୍ୱେନ୍ସିଂ ସହ କୋଭିଡ୍ ନିୟମ ଉଲ୍ଲଘଂନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । ସେପଟେ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ସ୍ଥିତି ବେହାଲ । ଆବାସିକ ବିଦ୍ୟାଳୟଗୁଡିକରେ ବଢିଚାଲିଛି ସଂକ୍ରମଣ । ଏହାକୁ ପ୍ରତିହତ କରିବା ଲାଗି ଏକମାତ୍ର ଉପାୟ କୋଭିଡ୍ ଗାଇଡ୍ ଲାଇନ୍‌ର ସଠିକ୍ ଅନୁପାଳନ ।

ସତରେ ଡରାଇଲାଣି ତୃତୀୟ ଲହର ଆଶଙ୍କା । ଓମିକ୍ରନ ଭାରିଏଣ୍ଟ ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ । ଡେଲ୍‌ଟା ଭାରିଏଣ୍ଟ ଠାରୁ ବି ଅଧିକ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ । ଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ ବି ସହଜରେ ସଂକ୍ରମିତ କରିପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ । ଯାହାକୁ ଦୃଷ୍ଟିରେ ରଖି ଜାତୀୟ ସ୍ୱାସ୍ଥ୍ୟ ମିଶନ ସଚିବ ସବୁ ରାଜ୍ୟ ଲାଗି ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ଯେଉଁଥିରେ ବିଦେଶୀ ଯାତ୍ରୀଙ୍କ ଉପରେ କଡ଼ାକଡି ନଜର ରଖିବାକୁ ଉଲ୍ଲେଖ ରହିଛି । ସେହିପରି ରାଜ୍ୟ ମୁଖ୍ୟ ଶାସନ ସଚିବ ଗତକାଲି ସବୁ ଜିଲ୍ଲାପାଳ, ଏସ୍‌ପି ଓ ସିଡିଏମ୍ଓଙ୍କ ସହ ଭିଡିଓ କନ୍‌ଫରେନସିଂ ଜରିଆରେ ବୈଠକ କରି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଖୋଲିଥିବାରୁ ସଂକ୍ରମଣ ଅଧିକ ଘାତକ ହୋଇପାରେ ବୋଲି ସରକାର ଆଶଙ୍କା କରିଛନ୍ତି । ଏଥିଲାଗି ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବର୍ତ୍ତମାନ କୋଭିଡ ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି । ବିଶେଷକରି ଆବାସିକ ବିଦ୍ୟାଳୟ ଓ ହଷ୍ଟେଲ ଗୁଡିକରେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ବୁର୍ଲା ଭିମସାର, ସୁନ୍ଦରଗଡ଼ର ସେଣ୍ଟ ମେରୀ ବାଳିକା ହାଇସ୍କୁଲ୍ ଓ କରଞ୍ଜିଆର ଚମକପୁର ସରକାରୀ ଆବାସିକ ବାଳିକା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀ କରୋନା ସଂକ୍ରମିତ ହେଲେଣି । ରାଜ୍ୟରେ ମୋଟ୍ କ୍ୟାମ୍ପସ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୧୫୦ । ପଜିଟିଭ ଚିହ୍ନଟ ହେବା ପରେ କ୍ୟାମ୍ପସ୍‌ରେ ମୁଖ୍ୟ ଫାଟକକୁ ବନ୍ଦ କରିଦିଆଯାଇଛି । ସେହିପରି ଅଭିଭାବକମାନଙ୍କୁ ଭେଟିବା ଲାଗି ବାରଣ କରାଯାଉଛି ।

୧୮ ବର୍ଷରୁ କମ୍  ବୟସ୍କ, ତୃତୀୟ ଲହରରେ ସବୁଠାରୁ ବେଶୀ ପ୍ରଭାବିତ ହେବାର ଆଶଙ୍କା ରହିଛି । କାରଣ ଏମାନଙ୍କର ଟିକାକରଣ ଏଯାଏଁ ଆରମ୍ଭ ହୋଇନାହିଁ । ଏଭଳି ସ୍ଥିତିରେ ସ୍କୁଲ୍ ଶିକ୍ଷାଦାନ ସଂକ୍ରମଣ ହାରକୁ ବଢାଉଛି । ସେପଟେ ସାମାନ୍ୟ ଢିଲାପଣ ସଂକ୍ରମଣକୁ ନିମନ୍ତ୍ରଣ କରିପାରେ ବୋଲି ବିଭାଗ କହୁଛି । ଓମିକ୍ରନ ଭାରିଏଣ୍ଟ ସଂକ୍ରମଣ ରୋକିବାକୁ କୋଭିଡ ଟେଷ୍ଟ ସମୟରେ ଜିନମ ସିକ୍ୱେନ୍ସିଂ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।