• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚିନ୍ତା ବଢ଼ାଇଲାଣି ଓମିକ୍ରନ୍‌ ଭ୍ୟାରିଏଣ୍ଟ । ଦିଲ୍ଲୀ, ମହାରାଷ୍ଟ୍ର ପରେ ଆଜି ଗୋଟିଏ ଦିନରେ ରାଜସ୍ଥାନରୁ ବି ଚିହ୍ନଟ ହୋଇଛନ୍ତି ଓମିକ୍ରନ୍‌ ଆକ୍ରାନ୍ତ । ରାଜସ୍ଥାନର ଜୟପୁର ଅଞ୍ଚଳରେ ଏକକାଳିନ ୯ ଓମିକ୍ରନ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୯ ଓମିକ୍ରନ ଆକ୍ରାନ୍ତ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ଓମିକ୍ରନ ଚିହ୍ନଟ ପରିବାରର ଦ. ଆଫ୍ରିକା ଟ୍ରାଭେଲ ହିଷ୍ଟ୍ରି ରହିଲଥିବା ସୂଚନା ମିଳିଛି । ଦେଶରେ ଏଯାବତ୍‌ ୨୧ ଜଣ ଓମିକ୍ରନ ଭ୍ୟାରିଏଣ୍ଟ ଆକ୍ରାନ୍ତ ଚିହ୍ନଟ ହେଲେଣି । ଆଜି ଏହା ପୂର୍ବରୁ ମହାରାଷ୍ଟ୍ରରେ ମଧ୍ୟ ଏକକାଳିନ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର କହିଛନ୍ତି, ଜାତୀୟ ହାର ତୁଳନାରେ ଓଡ଼ିଶାର କୋଭିଡ୍ ସ୍ଥିତି ବେଶ ଭଲ ରହିଛି ।

ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡ଼ିଚାଲିଛି କରୋନାର ଓମିକ୍ରନ୍ ଭ୍ୟାରିଏଣ୍ଟ । ଆଜି ଦିଲ୍ଲୀରେ ଦେଶର ପଞ୍ଚମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ମହାରାଷ୍ଟ୍ରରେ ଆଉ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଦିଲ୍ଲୀରେ ଚିହ୍ନଟ ଆକ୍ରାନ୍ତ ଜଣଙ୍କ କିଛି ଦିନ ପୂର୍ବରୁ ତାଞ୍ଜାନିଆରୁ ଫେରିଥିଲେ । ଏବେ ତାଙ୍କୁ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପୂର୍ବରୁ କର୍ଣ୍ଣାଟକ ବେଙ୍ଗଳୁରୁରୁ ୨ ଜଣ ଏବଂ ଗୁଜରାଟର ଜାମନଗର ଓ ମହାରାଷ୍ଟ୍ରର ଡୋମ୍ବିଭାଲିରୁ ଜଣେ ଲେଖାଏଁ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଓମିକ୍ରନ୍ ସଂକ୍ରମିତ ଆଫ୍ରିକୀୟ ଦେଶରୁ ବିହାରକୁ ଫେରିଥିବା ୫ ଜଣ, ସିଙ୍ଗାପୁରରୁ ତାମିଲନାଡ଼ୁ ଫେରିଥିବା ୪ ଜଣ ମଧ୍ୟ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ବଢ଼ିିଛି ।

ଅନ୍ୟପଟେ ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଯଦିଓ ଓମିକ୍ରନ୍ ଦ୍ରୁତ ବେଗରେ ସଂକ୍ରମିତ ହେଉଛି, ଏହାଦ୍ୱାରା କିନ୍ତୁ ଏପର୍ଯ୍ୟନ୍ତ ରୋଗୀ ଗୁରୁତର ହୋଇନାହାନ୍ତି । ଏହାସତ୍ତ୍ୱେ ଓମିକ୍ରନ ରିସ୍କ ଦେଶରୁ ଆସୁଥିବା ଯାତ୍ରୀଙ୍କର ନିୟମିତ ଯାଞ୍ଚ ହେଉଛି । ସେମାନଙ୍କୁ ଚିହ୍ନଟ କରି ସଙ୍ଗରୋଧରେ ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ଦେଶରୁ ଆସି ଗାଁ ଗଣ୍ଡାରେ ପହଞ୍ଚୁଥିବା ଲୋକଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରାଯାଇଛି । ଏପଟେ ରାଜ୍ୟର ୬ ଜିଲ୍ଲାରେ କରୋନା କେସ୍ ବୃଦ୍ଧି ଓ ଟେଷ୍ଟିଂ କମିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଇଥିବା ଚିଠି ସଂପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଜାତୀୟହାର ତୁଳନାରେ ଓଡ଼ିଶାରେ କୋଭିଡ୍ ସ୍ଥିତି ଭଲ ଅଛି । ବର୍ଷା କାରଣରୁ ଟେଷ୍ଟିଂ ସାମାନ୍ୟ କମିଛି । ତେବେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ କରାଯାଉଛି ।