/odishatv-khabar/media/post_attachments/uploadimage/library/16_9/16_9_0/IMAGE_1626537377.jpg)
Corona Third Wave
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ବିପଦ ଟଳିବା ପୂର୍ବରୁ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବଢ଼ିଲାଣି ଚିନ୍ତା। ଆଗାମୀ ୧୦୦ରୁ ୧୨୫ ଦିନ ସଜାଗ୍ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ ପରେ ରାଜ୍ୟରେ ବଢ଼ିଛି ତତ୍ପରତା। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଗୋଟିଏ ଲହର ୩ରୁ ୪ ମାସ ଯାଏଁ ରହୁଛି। ତେଣୁ ତାକୁ ଦୃଷ୍ଟିରେ ରଖି ସବୁ ପ୍ରକାର ପ୍ରସ୍ତୁତି କରାଯାଉଛି। ସେପଟେ ବ୍ରେକ୍ ଥ୍ରୁ ଇନଫେକସନ୍ ବା ଟିକା ନେବାପରେ ବି ରାଜ୍ୟରେ ୧୮ ହଜାର ୮୦୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ଆଶ୍ୱସ୍ତିର ବିଷୟ ହେଲା ଟିକା ନେବା ପରେ କରୋନାରେ ଆକ୍ରାନ୍ତ ହେଲେ ରୋଗୀ ଗୁରୁତର ହେଉନାହାନ୍ତି।
କୋଭିଡ୍ ଟିକା ନେବା ପରେ ରାଜ୍ୟରେ କେତେଜଣ ସଂକ୍ରମିତ ହୋଇଛନ୍ତି? ପ୍ରଥମ ଡୋଜ୍ ନେବା ପରେ କେତେ ଓ ଦ୍ୱିତୀୟ ଡୋଜ୍ ପରେ କେତେ, ସେ ସଂପର୍କରେ ତର୍ଜମା କରୁଛି ସ୍ୱାସ୍ଥ୍ୟ ବିଭାଗ ଟିମ୍। ସେପଟେ ଟିକା ନେବାପରେ ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନେ ଗୁରୁତର ହେଉନାହାନ୍ତି କିନ୍ତୁ ଅନ୍ୟମାନଙ୍କୁ ସଂକ୍ରମିତ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିବା ପରେ ଏବେ ବ୍ରେକ୍ ଥ୍ରୁ ଇନଫେକସନକୁ ନେଇ ଚିନ୍ତା ବଢ଼ିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁୟାୟୀ, ଟିକା ନେବା ପରେ ୧୮ ହଜାର ୮୦୫ ଜଣ ସଂକ୍ରମିତ ହୋଇଛନ୍ତି।
ତାମଧ୍ୟରୁ ପ୍ରଥମ ଡୋଜ୍ ପରେ ୧୦ ହଜାର ୪୦୯ ଓ ଦ୍ୱିତୀୟ ଡୋଜ୍ ନେବା ପରେ ୮ ହଜାର ୩୯୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦ୍ୱିତୀୟ ଡୋଜ୍ ନେବାର ୧୪ ଦିନ ପରେ ୫ ହଜାର ୩୯ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପ୍ରଥମ ଡୋଜ୍ ନେବା ପରେ ଭୁବନେଶ୍ୱରରେ ୧୮୯୦ ଜଣ, ଢେଙ୍କାନାଳ ଜିଲ୍ଲାରେ ୧୧୫୪, ଖୋର୍ଦ୍ଧାରେ ୧୧୪୯ ଓ ମୟୂରଭଂଜରେ ୧୧୦୦ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଉଭୟ ଡୋଜ୍ ନେବା ପରେ ଭୁବନେଶ୍ୱରରେ ୨ ହଜାର ୫୨୭, ମୟୁରଭଂଜରେ ୭୭୫ ଓ ସମ୍ବଲପୁର ୫୪୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି ସୁଦ୍ଧା ୧ କୋଟି ୪୨ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଗଲାଣି। ତେବେ ଟିକା ନେବା ପରେ ଆକ୍ରାନ୍ତ ହେଲେ କେହି ଗୁରୁତର ହେଉନଥିବା ଜଣାପଡ଼ିଛି।
Also Read
ସେପଟେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବଢୁଛି ଚିନ୍ତା। କାରଣ ଏବେ ବି କରୋନା ପଜିଟିଭ୍ ସଂଖ୍ୟା ଆଖିଦୃଶିଆ ଭାବେ କମୁନାହିଁ। ଗଲା ୨୪ ଘଣ୍ଟାରେ ଦେଶରେ ୩୮ ହଜାର ପଜିଟିଭ୍ କେସ୍ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ହଜାର ୧୮୨ ଜଣ। ସେପଟେ କରୋନା ସଂକ୍ରମଣ ବିରୋଧରେ ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ରୋଗ ପ୍ରତିରୋଧକତା ହାସଲ ହୋଇପାରି ନାହିଁ। ତେଣୁ ଆଗାମୀ ୧୦୦ରୁ ୧୨୫ ଦିନ ଦେଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସତର୍କ କରିଦିଆଯାଇଛି।
ସେପଟେ କରୋନାର ଲହର ଆସିଲେ ତାର ପ୍ରଭାବ ୩ରୁ ୪ ମାସ ଯାଏଁ ରହୁଛି। ତାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପ୍ରସ୍ତୁତି କରୁଥିବା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
କରୋନାର ତୃତୀୟ ଲହରରେ ଶିଶୁ ଓ କିଶୋରମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ସବୁ ବର୍ଗର ଲୋକଙ୍କୁ କିଭଳି ଶୀଘ୍ର ଟୀକାକରଣ କରାଯିବ ତା ଉପରେ ଗୁରୁତ୍ୱ ଦିଆଯାଉଛି। ଗତକାଲି ପ୍ରଧାନମନ୍ତ୍ରୀ ମୋଦି ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ମଧ୍ୟ ଟେଷ୍ଟ, ଟ୍ରିଟ୍, ଟ୍ରାକ୍ ସହିତ ଟୀକାକୁ ମିଶାଇ ଫୋର୍ ଟିର ମନ୍ତ୍ର ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)