• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ପୁଣି ଥରେ ଦେଶବାସୀଙ୍କୁ ସତର୍କ କରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୮୩ତମ ରେଡିଓ ଭିତ୍ତିକ କାର୍ଯ୍ୟକ୍ରମ ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ସଂପୂର୍ଣ୍ଣ ଯାଇନି । ତେଣୁ ସମସ୍ତେ ସତର୍କ ରହିବା ଆବଶ୍ୟକ । ଏହା ସମସ୍ତଙ୍କ ଦାୟିତ୍ୱ । ବର୍ତ୍ତମାନ ସାରା ଦେଶରେ ପାଳନ ହେଉଥିବା ଆଜାଦି କା ଅମୃତ ମହୋତ୍ସବର ଉଦ୍ଦେଶ୍ୟ ଯୁବପୀଢିଙ୍କ ମଧ୍ୟରେ ପ୍ରତିଫଳନ ହୋଇଥିବା ମୋଦି କହିଛନ୍ତି । ପ୍ରକୃତିର ସଂରକ୍ଷଣ ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ମନ୍ କି ବାତରେ ଆହ୍ୱାନ ଦେଇଛନ୍ତି ମୋଦି । ଡିସେମ୍ବରରେ ଦେଶ ନୌସେନା ଦିବସ ଏବଂ ଆର୍ମଡ ଫୋର୍ସ ଫ୍ଲାଗ ଡେ ପାଳନ କରିବାକୁ ଥିବେ ବେଳେ ଏହି ଅବସରରେ ବୀର ଯବାନଙ୍କୁ ମନେ ପକାଇଛନ୍ତି ମୋଦି ।

ତେବେ ଗତକାଲି, କୋଭିଡ୍‌ ନୂଆ ଭାରିଏଣ୍ଟ୍‌ ଚିହ୍ନଟ ପରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦିଗରୁ ସମୀକ୍ଷା କରିଥିଲେ । ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା ବେଳେ ଗୁରୁମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ । ସବୁ ବିଦେଶାଗତଙ୍କ ପ୍ରତି ତୀକ୍ଷ୍ନ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷକରି କରୋନା ବହୁଳ ଦେଶମାନଙ୍କରୁ ଆସୁଥିବା ଲୋକଙ୍କ ପ୍ରତି ନଜର ରଖିବାକୁ କଡ଼ା ନିର୍ଦ୍ଦେଶ ରହିଛି । ପ୍ରୋଟୋକଲ୍‌ ଅନୁଯାୟୀ ସେମାନଙ୍କ ଟେଷ୍ଟିଂ ଓ କ୍ୱାରେଣ୍ଟିନ ପାଇଁ ନିର୍ଦ୍ଦେଶ ରହିଛି ।

ନୂଆ ଭାରିଏଣ୍ଟ୍‌ ପାଇଁ ଲୋକଙ୍କୁ ଅଧିକ ସତର୍କ କରାଇବାକୁ ପରାମର୍ଶ ଦେଇଛନ୍ତି ମୋଦି । ଏହା ସହିତ କୋଭିଡ୍‌ ନିୟମ କଡ଼ାକଡ଼ି ମାନିବା ସହ ମାସ୍କ ପିନ୍ଧିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ବିଦେଶଯାତ୍ରା ନେଇ କୋହଳ କଟକଣା ସଂପର୍କରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିନମ୍ ସିକ୍ୟୁଏନ୍‌ସିଂକୁ ଅଧିକ ବ୍ୟାପକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ନୂଆ ଭାରିଏଣ୍ଟର ପ୍ରକୃତିଗତ ପରିବର୍ତ୍ତନ ଉପରେ ମଧ୍ୟ ନଜର ରଖାଯାଇଛି ବୋଲି କହିଥିଲେ ମୋଦି । ICMR ମହାମାରୀ ଓ ସଂକ୍ରାମକ ରୋଗ ବିଭାଗ ମୁଖ୍ୟ ସମୀରନ୍‌ ପଣ୍ଡାଙ୍କ ମନ୍ତବ୍ୟ ଦେଇଛନ୍ତି ଯେ, ନୂଆ ଭାରିଏଣ୍ଟର ପ୍ରକୃତିଗତ ପରିବର୍ତ୍ତନ ଉପରେ ଆମେ ନଜର ରଖିଛୁ । ଭାରିଏଣ୍ଟରେ ଅନେକ ପାର୍ଥକ୍ୟ ଦେଖାଯାଇଛି, ଅଧିକ ସଂକ୍ରାମକ ହେବା ଆଶଙ୍କା ମଧ୍ୟ ରହିଛି । କିନ୍ତୁ ଏହାର ସଂକ୍ରମଣ ଧାରା ଅଧିକ ତୀବ୍ର କି ନାହିଁ, ତାହାର ତର୍ଜମା ଚାଲିଛି । ଏହା ଅଧିକ ସଂକ୍ରାମକ ଓ ଗୋଷ୍ଠୀ ସଂକ୍ରମଣକାରୀ କି ନାହିଁ ତାହା ଉପରେ ମଧ୍ୟ ନଜର ରଖାଯାଇଛି । ଆମେ ଉଭୟ ଲ୍ୟାବ୍ ଓ ଲୋକମାନଙ୍କୁ ନେଇ ପରୀକ୍ଷା ନିରୀକ୍ଷା ଚଳାଇଛୁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଚିନ୍ତାଜନକ କହିସାରିଛି। ଏନେଇ ଆମେ ପରୀକ୍ଷା ଜାରି ରଖିଛୁ। ଏହା ତୀବ୍ର ସଂକ୍ରାମକ ଓ ଘାତକ କି ନୁହେଁ ଜାଣିବାକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।