• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାଜ୍ୟରେ ଖସୁଛି ଦୈନିକ କୋଭିଡ୍ ସଂକ୍ରମଣ ।

  • ହେଲେ କମିବାର ନାଁ ଧରୁନି ୧୮ ବର୍ଷରୁ କମ୍ ବୟସ୍କ ବର୍ଗଙ୍କ ପଜିଟିଭ୍ ସଂଖ୍ୟା ।

  • ଆଜି ମୋଟ୍ ୯୯୩ ପଜିଟିଭ୍‌ଙ୍କ ମଧ୍ୟରୁ ଏହି ବର୍ଗରୁ ୧୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ଖସୁଛି ଦୈନିକ କୋଭିଡ୍ ସଂକ୍ରମଣ ହେଲେ କମିବାର ନାଁ ଧରୁନି ୧୮ ବର୍ଷରୁ କମ୍ ବୟସ୍କ ବର୍ଗଙ୍କ ପଜିଟିଭ୍ ସଂଖ୍ୟା । ଅଗଷ୍ଟ ୧୫ ତାରିଖରେ ୧୩୮ ଜଣ, ୧୬ରେ ୧୦୪, ୧୭ରେ ୯୬, ଆଉ ଆଜି ମୋଟ୍ ୯୯୩ ପଜିଟିଭ୍‌ଙ୍କ ମଧ୍ୟରୁ ଏହି ବର୍ଗରୁ ୧୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ପ୍ରତିଶତ ହେଉଛନ୍ତି ଶିଶୁ ଓ କିଶୋର ।

ତେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟର ଶିଶୁ ସଂକ୍ରମଣ ଜାତୀୟ ହାର ଭିତରେ ରହିଛି । କେନ୍ଦ୍ର ଆକଳନ ଅନୁସାରେ ଯେତିକି ପିଲା ସଂକ୍ରମିତ ହେବେ, ସେମାନଙ୍କ ଭିତରୁ ୫ରୁ ୬% ଡାକ୍ତରଖାନା ଯିବେ । ସେପଟେ ଡିଏମ୍ଇଟି ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟର କରୋନା ଗ୍ରାଫରେ ସୁଧାର ଆସିଛି ସତ, ହେଲେ ଦ୍ୱିତୀୟ ଲହର ସମ୍ପୂର୍ଣ୍ଣ ଯାଇନି । ସଂକ୍ରମଣ ରୋକିବାକୁ ସରକାର ଟିକାକରଣ ଚାଲୁ ରଖିଛନ୍ତି । ବେଡ୍ ବଢ଼ାଇଛନ୍ତି । ଲୋକଙ୍କୁ ବି ସଚେତନ କରୁଛନ୍ତି । ବାପା, ମାଆ, ପଡ଼ୋଶୀ ଓ ଶିକ୍ଷକମାନେ ଯତ୍ନଶୀଳ ରହିଲେ, ଶିଶୁ ସୁରକ୍ଷିତ ରହିପାରିବେ ।

ଏପଟେ ଶିଶୁ ରୋଗ ବିଶେଷଜ୍ଞଙ୍କ ମତ, ୧୮ ବର୍ଷ ବୟସ ତଳକୁ ଟିକା ଦିଆଯାଇ ନଥିବାରୁ ପିଲାମାନେ ସଂକ୍ରମିତ ହେଉଛନ୍ତି । ତେବେ ଆଶ୍ୱସ୍ତିର ବିଷୟ ହେଲା, ୭୦ରୁ ୮୦ ପ୍ରତିଶତ ସଂକ୍ରମିତ ଶିଶୁଙ୍କଠାରେ ସାମାନ୍ୟତମ ଲକ୍ଷଣ ଦେଖାଯାଉଛି । ମାତ୍ର ୧୦ ପ୍ରତିଶତ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । କେବଳ ୧ରୁ ୨ ପ୍ରତିଶତ କରୋନା ପଜିଟିଭ ପିଲାଙ୍କ ଲାଗି ଆଇସିୟୁୁ ଦରକାର ପଡ଼ୁଛି । ଡେଲ୍‌ଟା ଭାରିଆଣ୍ଟ ଯୋଗୁ ଏବେ କିଛି ସଂକ୍ରମିତ ଶିଶୁଙ୍କ ଠାରେ ତରଳ ଝାଡ଼ା ଲକ୍ଷଣ ଦେଖାଦେଉଛି । ତେବେ କିଛି ବଡ଼ ପିଲା କୋଭିଡ୍‌ରୁ ଭଲ ହେବାର ୨ରୁ ୬ ସପ୍ତାହ ମଧ୍ୟରେ ମଲ୍‌ଟି ସିଷ୍ଟମ ଇନ୍‌ଫ୍ଲାମେଟୋରି ସିଣ୍ଡ୍ରୋମ୍‌ର ଶିକାର ହେଉଛନ୍ତି ।  ଏହା ସେମାନଙ୍କୁ ଗୁରୁତର କରୁଛି । ଏଭଳି କ୍ଷେତ୍ରରେ ଶିଶୁଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡ଼ୁଛି । ତେଣୁ କୌଣସି ପିଲାର ଜ୍ୱର ୪ରୁ ୫ ଦିନ ଲାଗି ରହିଲେ ବା ଧଇଁସଇଁ ଲାଗିଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଏସବୁ ଭିତରେ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟର କୋଭିଡ୍ ଟିକାକରଣ ୨ କୋଟି ଡୋଜ୍ ଅତିକ୍ରମ କରିଛି । ଆଜି ସୁଦ୍ଧା ରାଜ୍ୟରେ ୨ କୋଟି ୨୧ ହଜାର ଡୋଜ୍ ଟିକା ଦିଆସରିଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଧାର୍ଯ୍ୟ ଟିକାକରଣ ଲକ୍ଷ୍ୟର ୪୯% ପ୍ରଥମ ଡୋଜ୍ ଓ ୧୫% ଦ୍ୱିତୀୟ ଡୋଜ୍ ନେଇଛନ୍ତି । ସେପଟେ ସେପ୍ଟମ୍ବର ସୁଦ୍ଧା ପିଲାମାନଙ୍କ ଲାଗି କୋଭିଡ୍ ଟିକା ଉପଲବ୍ଧ ହେବ ବୋଲି କହିଛନ୍ତି ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜି- NIVର ନିର୍ଦ୍ଦେଶିକା ପ୍ରିୟା ଆବ୍ରାହମ୍ । ୨ରୁ ୧୮ ବର୍ଷ ବୟସଙ୍କ ଲାଗି କୋଭାକ୍ସିନ୍ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟରୟ ପରୀକ୍ଷଣ ଚାଲିଛି । ଖୁବ୍ ଶୀଘ୍ର ତାର ଫଳାଫଳ ଆସିବା ସହି ଟିକା ଆସିବ ବୋଲି ସେ କହିଛନ୍ତି ।