Advertisment

ଓମିକ୍ରନ୍ ପାଇଁ କେତେ ପ୍ରଭାବୀ କରୋନା ଟିକା?

ଗୋଟିଏ ପଟେ କୋଭିଡର ନୂଆ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ଏହା ଉପରେ ଟିକାର ପ୍ରଭାବ କଣ ରହିବ ସେ ନେଇ ଗବେଷଣା ଚାଲିଛି।  ଅତ୍ୟନ୍ତ ସଂକ୍ରାମକ ଥିବା ଓମିକ୍ରନ୍ ଭ୍ୟାରିଆଣ୍ଟକୁ ନେଇ ସତର୍କ କରାଇଛି ଟିକା ନିର୍ମାତା ମର୍ଡେନା।

author-image
Chandan Shishu
Covid Vaccine

Covid Vaccine

ନୂଆଦିଲ୍ଲୀ: ଭାରତରେ ପଶିସାରିଲାଣି କି କରୋନାର ପ୍ରଜାତି ଓମିକ୍ରନ୍? ବିଶ୍ୱର ୧୪ରୁ ଅଧିକ ଦେଶରେ ଏହି ଭାରିଆଣ୍ଟ୍ ଚିହ୍ନଟ ହୋଇଥିବା ବେଳେ, ଭାରତରେ ବି ଏହାକୁ ନେଇ ଦେଖାଦେଇଛି କୋକୁଆ ଭୟ। ବିଦେଶରୁ ବିଶେଷ କରି ଦକ୍ଷିଣ ଆଫ୍ରିକା ଭଳି ବିପଦ ସଙ୍କୁୁଳ ଦେଶରୁ କିଛି ଦିନ ଭିତରେ ବହୁ ଯାତ୍ରୀ ଆସିଥିବାରୁ ଆଶଙ୍କା ବଢ଼ିଛି। କୁହାଯାଉଛି, ମୁମ୍ବାଇକୁ ଗତ ୧୫ ଦିନ ଭିତରେ ପ୍ରାୟ ୧ ହଜାରରୁ ଅଧିକ ଯାତ୍ରୀ ଆଫ୍ରିକୀୟ ଦେଶରୁ ଆସିଛନ୍ତି  କିନ୍ତୁ ମୁମ୍ବାଇ ଏୟାରପୋର୍ଟ ପକ୍ଷରୁ ଏ ପର୍ଯ୍ୟନ୍ତ ମାତ୍ର ୪୬୬ ଜଣଙ୍କ ତାଲିକା ମୁମ୍ବାଇ ମହାନଗର ନିଗମକୁ ଦିଆଯାଇଛି।

Advertisment

ସେମାନଙ୍କ ମଧ୍ୟରୁ ୧୦୦ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ, କୋଭିଡ୍ ସଂକ୍ରମଣ ସମ୍ପର୍କରେ ଜଣାପଡିନାହିଁ। ଯଦି ସେମାନଙ୍କ ମଧ୍ୟରୁ କେହି କୋଭିଡ୍ ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କୁ କ୍ୱାରେଣ୍ଟିନରେ ରଖାଯିବା ସହ ଜିନମ୍ ସିକ୍ୱେନସିଂ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି।  ସେପଟେ ଓମିକ୍ରନ୍ ସଂକ୍ରମଣକୁ ନଜରରେ ରଖି ସେଭେନ୍ ହିଲ୍ସ ହସ୍ପିଟାଲ ସହ ୫ଟି ମେଡିକାଲକୁ ପ୍ରସ୍ତୁତ ରଖାଯାଇଛି। ସେପଟେ କର୍ଣ୍ଣାଟକରେ ବି ୨ଜଣ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ଜଣେ ଡେଲଟାଠୁ ଭିନ୍ନ ଭାରିଆଣ୍ଟ୍‌ରେ ସଂକ୍ରମିତ ହୋଇଛନ୍ତି ବୋଲି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ତେବେ ଏହା ଓମିକ୍ରନ୍ କି ନାହିଁ ସ୍ପଷ୍ଟ ହୋଇନି।

ଏପଟେ ଓମିକ୍ରନ ଭାରିଆଣ୍ଟକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସ୍ୱାସ୍ଥ୍ୟ ସଚିବଙ୍କ ସହ ଭର୍ଚୁଆଲ୍ ବୈଠକ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ ଭାରିଆଣ୍ଟର ଭୂତାଣୁ କାହା ପାଖରେ ଚିହ୍ନଟ ହୋଇନାହିଁ। ତେବେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଲୋକଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। କର୍ଣ୍ଣାଟକ ଓ ମହାରାଷ୍ଟ୍ର ଉପରେ ଅଧିକ ଫୋକସ କରିଛନ୍ତି କେନ୍ଦ୍ର ସରକାର। 

Advertisment

ଏହି ଦୁଇ ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାରୁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି। ରାପିଡ୍ ଆଣ୍ଟିଜେନ ଟେଷ୍ଟ ଓ ଆରଟିପିସିଆର ଟେଷ୍ଟ ଦ୍ୱାରା ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇପାରୁଥିବାରୁ, ତ୍ୱରିତ ଟ୍ରେସିଂ ଉପରେ ଗୁରୁତ୍ୱ ଦିଆଯାଉଛି। ସେପଟେ ଚିହ୍ନଟ ସନ୍ଦିଗ୍ଧଙ୍କର ଜିନମ୍ ସିକ୍ୱେନସିଂ କରାଯାଉଛି। ଏଯାବତ୍ ଦେଶରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇ ନଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରାଜ୍ୟସଭାରେ ସୂଚନା ଦେଇଛନ୍ତି।

ଗୋଟିଏ ପଟେ କୋଭିଡର ନୂଆ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ଏହା ଉପରେ ଟିକାର ପ୍ରଭାବ କଣ ରହିବ ସେ ନେଇ ଗବେଷଣା ଚାଲିଛି।  ଅତ୍ୟନ୍ତ ସଂକ୍ରାମକ ଥିବା ଓମିକ୍ରନ୍ ଭ୍ୟାରିଆଣ୍ଟକୁ ନେଇ ସତର୍କ କରାଇଛି ଟିକା ନିର୍ମାତା ମର୍ଡେନା। ଡେଲଟା ଭ୍ୟାରିଆଣ୍ଟ ପରି ଓମିକ୍ରନ୍ ଭ୍ୟାରିଆଣ୍ଟ ବିରୋଧରେ ମର୍ଡେନା ଟିକା ସେତେ ଫଳପ୍ରଦ ହୋଇ ନପାରେ ବୋଲି ସେ ଚେତାଇ ଦେଇଛନ୍ତି। 

ଓମିକ୍ରନକୁ ମୁକାବିଲା କରିପାରିବ କି କୋଭିଡ୍ ଟିକା? ଓମିକ୍ରନ୍ ପାଇଁ ପୁଣି ଏକ ନୂଆ ଟିକା ବିକଶିତ ହେବା ଦରକାର କି? ଟିକା ନିର୍ମାତା ଫାଇଜର ପକ୍ଷରୁ ନୂଆ ଭ୍ୟାରିଆଣ୍ଟକୁ ନେଇ ଗବେଷଣା ଚାଲିଥିବା ଏହାର ସିଇଓ ଅଲବର୍ଟ ବୋର୍ଲା ସୂଚନା ଦେଇଛନ୍ତି। ଦ୍ରୁତ ସଂକ୍ରମଣ ଯୋଗୁଁ ପୁଣି ଥରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଭୟ ରହିଛି। ଏବେ ପ୍ରଚଳିତ ଫାଇଜର ଟିକା ସେତେ ମାତ୍ରାରେ ଫଳପ୍ରଦ ହୋଇ ନପାରେ ବୋଲି ସେ ଆଶଙ୍କା କରିଛନ୍ତି। ଏଥିପାଇଁ ନୂତନ ଟିକା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ଅଲବର୍ଟ ଚେତାଇ ଦେଇଛନ୍ତି। ଅନ୍ୟପକ୍ଷରେ ଫାଇଜର ପକ୍ଷରୁ ନିକଟରେ ପ୍ରସ୍ତୁତ ହୋଇଥିବା ଆଣ୍ଟି ଭାଇରାଲ ବଟିକା, ଓମିକ୍ରନ୍ ସହ ଅନ୍ୟ ଭ୍ୟାରିଆଣ୍ଟକୁ ଚ୍ୟାଲେଂଜ କରିପାରିବ ବୋଲି ସେ ଦୃଢୋକ୍ତି କରିଛନ୍ତି।

ସେପଟେ ଓମିକ୍ରନ୍ ଭ୍ୟାରିଆଣ୍ଟର ମୁକାବିଲା ପାଇଁ ମଡେର୍ଣ୍ଣା ପକ୍ଷରୁ ବୁଷ୍ଟର ଡୋଜ ପ୍ରସ୍ତୁତ କରାଯାଉଛି। ଡେଲଟା ଭ୍ୟାରିଆଣ୍ଟ ପରି ଓମିକ୍ରନ୍ ଭ୍ୟାରିଆଣ୍ଟ ବିରୋଧରେ ମଡେର୍ଣ୍ଣା ଟିକା ଫଳପ୍ରଦ ହୋଇ ନପାରେ ବୋଲି କଂପାନୀ ପକ୍ଷରୁ ଆଶଙ୍କା କରାଯାଉଛି। ଓମିକ୍ରନ୍ ଭ୍ୟାରିଆଣ୍ଟକୁ ନେଇ ଜନସନ୍ ଆଣ୍ଡ୍ ଜନସନ୍ ବି ଅଧିକ ଗବେଷଣା ଚଳାଇଛି। ଆଷ୍ଟ୍ରାଜେନେକା ନିର୍ମିତ କୋଭିସିଲ୍ଡ୍ର ଆଣ୍ଟିବଡି କକଟେଲ ଥେରାପି ନୂଆ ଭ୍ୟାରିଆଣ୍ଟ ବିରୋଧରେ ଫଳପ୍ରଦ ହୋଇପାରେ ବୋଲି ଆଶା କରାଯାଉଛି। ସ୍ପୁଟିନିକ୍ ଭି ପକ୍ଷରୁ ନୂଆ ଭ୍ୟାରିଆଣ୍ଟର ମୁକାବିଲା ପାଇଁ ବୁଷ୍ଟର ଡୋଜ୍ ପ୍ରସ୍ତୁତି ଚାଲିଛି। ମାତ୍ର ୪୫ ଦିନ ଭିତରେ ନୂତନ ଟିକା ପ୍ରସ୍ତୁତ ସହ ଆସନ୍ତାବର୍ଷ ଫେବୃୟାରୀ ୨୦ ସୁଦ୍ଧା ବୁଷ୍ଟର ଡୋଜ୍ ବଜାରରେ ଉପଲବ୍ଧ ହୋଇପାରିବ ବୋଲି ବୋଲି ରୁଷିଆନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ପକ୍ଷରୁ କୁହାଯାଇଛି।

ସେପଟେ ଆଉ ଏକ ଆଶ୍ୱସ୍ତିର କଥା ହେଉଛି ଯେ, ଓମିକ୍ରନ୍ ସଂକ୍ରମିତଙ୍କ ଠାରେ ଡେଲଟା ଠାରୁ ଭିନ୍ନ ଏବଂ ଅପେକ୍ଷାକୃତ କମ୍ ଜଟିଳ ଲକ୍ଷଣ ପ୍ରକାଶ ପାଉଛି।  ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିକିତ୍ସା କରିଥିବା ଦକ୍ଷିଣ ଆଫ୍ରିକାର ଡାକ୍ତର କହିଛନ୍ତି ଯେ, ଡେଲଟା ଆକ୍ରାନ୍ତଙ୍କ ଠାରେ ବର୍ଦ୍ଧିତ ପଲ୍ସ ରେଟ୍, ରକ୍ତରେ ଅକ୍ସିଜେନ୍ ମାତ୍ରା ହ୍ରାସ ପାଇବା, ସ୍ୱାଦ ଓ ଗନ୍ଧ ବାରିବା କ୍ଷମତା ହରାଇବା ଭଳି ଲକ୍ଷଣ ଦେଖାଯାଉଥିଲା ହେଲେ ଓମିକ୍ରନ୍ ଆକ୍ରାନ୍ତଙ୍କ ଠାରେ କେବଳ ହାଲିଆପଣ, ମୁଣ୍ଡ ବିନ୍ଧା, ଶରୀର ଦରଜ ଏବଂ କ୍ୱଚିତ୍ କାଶ ଓ ତଣ୍ଟି ଦରଜ ଆଦି ଲକ୍ଷଣ ଦେଖିବାକୁ ମିଳୁଛି।

COVID19 Omicron New Covid Variant
Advertisment
Advertisment