• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ମାଡ଼ିଲାଣି, କରୋନା ଭୟ । ରାଜଧାନୀର ଏକ ସ୍କୁଲରେ ପଶିଲା କରୋନା । ସୁନ୍ଦରଗଡ଼, ଯାଜପୁର, ଭଦ୍ରକ ପରେ ଏବେ ଭୁବନେଶ୍ୱରର ଦୁଇଟି ସ୍କୁଲରୁ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ । ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲର ୨ ଛାତ୍ର କରୋନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ କରୋନା ଅକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଅନ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଭୟ ପଶିଛି ।

ଗତକାଲି ସ୍କୁଲର ୩୭୨ ଜଣ ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେଥିରୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଛି । ସେହିଭଳି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୦ରୁ ଅଧିକ ଶିକ୍ଷକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶିକ୍ଷକଙ୍କ ପାଖରେ କରୋନା ଲକ୍ଷଣ ଦେଖା ଦେବା ପରେ ଟେଷ୍ଟ କରାଯାଇଥିଲା । ପଜିଟିଭ୍ ଚିହ୍ନଟ ହେବା ପରେ ଦଶମ ବ୍ୟତୀତ ଅନ୍ୟ ଶ୍ରେଣୀର ଅଫଲାଇନ୍ କ୍ଲାସ୍‌କୁ ବନ୍ଦ କରି ଅନଲାଇନ୍ କରାଯାଉଛି ।

ଅନ୍ୟପଟେ ଆଜି କରୋନାର ଓମିକ୍ରନ ଭ୍ୟାରିଏଣ୍ଟ ନେଇ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଆଲୋଚନା ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ବର୍ତ୍ତମାନ ସୁଦ୍ଧା ୧୧୩୪ ଏୟାର ପୋର୍ଟାଲ ସୁବିଧାରେ ପଞ୍ଜୀକରଣ କରିଥିବା ସୂଚନା ମିଳିଛି । ବିଦେଶ ଫେରନ୍ତାଙ୍କ ମଧ୍ୟରୁ ଯାଜପୁର ଓ ସୁନ୍ଦରଗଡ଼ରୁ ୪ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ପଜିଟିଜ ଚିହ୍ନଟ ୪ଟି ସାମ୍ପଲ୍‌କୁ ଜିନମ ସିକ୍ୱେନ୍ସିଂ  ପାଇଁ ପଠାଯାଇଛି । ଏଥିସହ କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟକୁ ୫ ସୂତ୍ରୀ ପରାମର୍ଶ ମଧ୍ୟ ଦିଆଯାଇଛି ।

ସେହିଭଳି ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୧୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । କ୍ୱାରେଣ୍ଟିନ୍‌ରୁ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୮୦ ରହିଛି । ୧୮ ବର୍ଷରୁ କମ୍ ବର୍ଗର ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ୯୫୫କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮,୪୨୮କୁ ବୃଦ୍ଧି ।