• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବେଜିଂ ସମେତ ୧୫ଟି ସହରରେ ଦ୍ରୁତ ସଂକ୍ରମଣ

  • କଟକଣା ବୃଦ୍ଧି, ବିମାନ ଉଡ଼ାଣ ବନ୍ଦ

  • ସଂକ୍ରମଣ ପାଇଁ ଚିନ୍ତାରେ ସରକାର

ବେଜିଂ : ଚୀନରେ ଆତଙ୍କ ଖେଳାଇଛି ଡେଲଟା ଭାରିଏଣ୍ଟ୍ । ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ଚୀନର ରାଜଧାନୀ ବେଜିଂ ସମେତ ୧୫ଟି ସହରରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଡିସେମ୍ବର ୨୦୧୯ରେ ଉହାନରେ ଭାଇରସ୍ ପ୍ରକୋପ ପରେ ସରକାରୀ ମିଡିଆ ଏହାକୁ ସବୁଠାରୁ ବ୍ୟାପକ ରୋଗ ସଂକ୍ରମଣ ବୋଲି କହିଛି । 'ଗ୍ଲୋବାଲ ଟାଇମ୍ସ' ରିପୋର୍ଟ ଅନୁସାରେ କୋଭିଡ -୧୯ ମାମଲାରେ ନୂତନ ସଂକ୍ରମଣ ପୂର୍ବ ଚୀନର ଜିଆଙ୍ଗସୁ ପ୍ରଦେଶର ରାଜଧାନୀ ନାନଜିଙ୍ଗର ଏକ ବିମାନବନ୍ଦରରୁ ଆରମ୍ଭ ହୋଇଛି । ଏବଂ ସଂକ୍ରମଣ ବର୍ତ୍ତମାନ ସୁଦ୍ଧା ଅନ୍ୟ ପାଞ୍ଚଟି ପ୍ରଦେଶ ତଥା ବେଜିଂକୁ ବ୍ୟାପି ସାରିଛି ।

ନାନଜିଙ୍ଗ ସହରର ପ୍ରାୟ ବିମାନ ବନ୍ଦରରେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ସମସ୍ତ ବିମାନ ଉଡ଼ାଣକୁ ସାମୟିକ ସମୟ ପାଇଁ ସ୍ଥଗିତ ରଖାଯାଇଛି । ଚୀନର ୧୫ଟି ସହରରେ ବର୍ତ୍ତମାନ ଦ୍ରୁତଗତିରେ କରୋନାର ଡେଲଟା ଭାରିଏଣ୍ଟ୍ ବ୍ୟାପୁଥିବା ସୂଚନା ମିଳିଛି । ଡେଲଟା ଭାରିଏଣ୍ଟ୍ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା । ଚୀନର ବିଭିନ୍ନ ପ୍ରାନ୍ତରେ ଦ୍ରୁତ ଗତିରେ ବ୍ୟାପିବାର ସମ୍ଭାବନା ଥିବାରୁ ସରକାରଙ୍କ ଚିନ୍ତା ବଢି ଯାଇଛି ।

୧୭୫ ଦିନ ବ୍ୟବଧାନ ପରେ ଅଚାନକ୍ ସଂକ୍ରମଣ ବୃଦ୍ଧି ପାଇଛି । ପ୍ରାୟ ୨.୨କୋଟି ଜନସଂଖ୍ୟା ବିଶିଷ୍ଟ ସହରର ସ୍ଥାନୀୟ ସରକାର ଜୁଲାଇ ୧ରେ ହେବାକୁ ଥିବା କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିପିସି)ର ଶତବାର୍ଷିକୀ ଉତ୍ସବ ଆୟୋଜନ ପାଇଁ ଅନେକ ମାସ ଧରି କଟକଣା କଡ଼ାକଡ଼ି କରାଯାଇଥିଲା । ହେଲେ ବର୍ତ୍ତମାନ ପୁଣି ବଢ଼ିଚାଲିଛି କରୋନା ସଂକ୍ରମଣ । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ଅନେକ ବରିଷ୍ଠ ନେତା ଏଠାରେ ରୁହନ୍ତି ।

ସୂଚନାଯୋଗ୍ୟ ତୁଳନାତ୍ମକ ଭାବେ ଡେଲଟାର ସଂକ୍ରମଣ କ୍ଷମତା ଖୁବ ଅଧିକ । ଭାରତରେ କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାର କାରଣ ଡେଲଟା ଭାରିଏଣ୍ଟ୍ । National Centre for Disease Controlର ସୂଚନା ଅନୁସାରେ ଡେଲଟା ଭାରିଏଣ୍ଟ ଆଲଫା ଭାରିଏଣ୍ଟ (B.1.117) ତୁଳନାରେ ୪୦ରୁ ୫୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରିପାରେ । ଆଉ ଏଥିପାଇଁ ମାତ୍ର ୧୦ ଦିନରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ବୃଦ୍ଧି ପାଇ ୨୦ ପ୍ରତିଶତ କିମ୍ବା ତା’ ଠାରୁ ମଧ୍ୟ ଅଧିକ ରେକର୍ଡ କରାଯାଇଥିଲା । ତେବେ ମୃତକଙ୍କ ସଂଖ୍ୟା ପାଇଁ ଡେଲଟା ଭାରିଏଣ୍ଟକୁ ଦାୟୀ କରାଯାଇ ନାହିଁ । ଡେଲଟା ଭାରିଏଣ୍ଟ୍ ଦ୍ରୁତ ଗତିରେ ବ୍ୟାପିଥାଏ, ତେଣୁ ସଂକ୍ରମଣର ସଂଖ୍ୟା ଅଧିକ ବୋଲି କୁହାଯାଇଥିଲା ।