Advertisment

ବୁଷ୍ଟର୍ ଡୋଜ୍ ଏକ ସ୍କାଣ୍ଡାଲ, ତୁରନ୍ତ ବନ୍ଦ କରାଯାଉ: WHO

ଚୀନ୍, ବ୍ରିଟେନ୍, ରୁଷ, ଫ୍ରାନ୍ସ, ବ୍ରାଜିଲ ଓ ଜର୍ମାନୀରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଲାଣି। ସତରେ କଣ ଏବେ ବୁଷ୍ଟର୍ ଡୋଜର ଆବଶ୍ୟକତା ନାହିଁ? ସାରା ବିଶ୍ୱକୁ ଆନ୍ଦୋଳିତ କରୁଛି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ।

author-image
Chandan Shishu
ଅଦ୍ୟତନ ହୋଇଛି
WHO Chief

WHO Chief

ନୂଆଦିଲ୍ଲୀ: ବୁଷ୍ଟର୍ ଡୋଜ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କଡ଼ା ଭର୍ତ୍ସନା। କୋଭିଡ ଟିକାର ଦ୍ୱିତୀୟ ଡୋଜ୍ ନେବା କିଛି ମାସ ପରେ ଶରୀରରେ ଆଣ୍ଟିବଡି ପୁଣି କମିଯାଉଥିବା ଜଣାପଡ଼ିବା ପରେ, ତୃତୀୟ ଡୋଜ୍ ଦେବା ଆରମ୍ଭ କଲେଣି କିଛି ଦେଶ। ଭାରତ ଭଳି ଆଉ କିଛି ଦେଶ ଏଦିଗରେ ଅନୁଧ୍ୟାନ କରୁଛନ୍ତି। ତେବେ ଏହି ବୁଷ୍ଟର୍ ଡୋଜ୍‌କୁ ଏକ ସ୍କାଣ୍ଡାଲ୍ ବୋଲି କହିଛନ୍ତି ଡବ୍ଲୁଏଚ୍ଓ ମୁଖ୍ୟ ଟେଡ୍ରସ୍ ଆଧାନମ୍ । ଏହା ଏବେ ହିଁ ବନ୍ଦ ହେବା ଦରକାର ବୋଲି ସେ ସାରା ବିଶ୍ୱକୁ ନିବେଦନ କରିଛନ୍ତି।

Advertisment

ତେବେ ସେ କାହିଁକି ବୁଷ୍ଟର୍ ଡୋଜକୁ ସ୍କାଣ୍ଡାଲ୍ ବୋଲି କହିଲେ? କାହିଁକି କହିଲେ ଏହା ବନ୍ଦ ହେବା ଦରକାର?  ଡବ୍ଲୁଏଚ୍ଓ ମୁଖ୍ୟଙ୍କ କହିବା କଥା, ବହୁ ପଛୁଆ ଦେଶରେ ସ୍ୱାସ୍ଥ୍ୟକର୍ମୀ, ବୟୋବୃଦ୍ଧ ଓ ଅନ୍ୟ ହାଇ-ରିସ୍କ ଗ୍ରୁପ୍ ଏବେବି କରୋନା ଟିକା ଅପେକ୍ଷାରେ ଅଛନ୍ତି। ସେମାନଙ୍କୁ ପ୍ରଥମ ଡୋଜ୍ ବି ଦିଆଯାଇନାହିଁ। ଏଭଳି ସ୍ଥିତିରେ ସୁସ୍ଥ ବ୍ୟକ୍ତି ଓ ପିଲାମାନଙ୍କୁ କୋଭିଡ ଟିକା ଦେବାର କୌଣସି ଅର୍ଥ ନାହିଁ। ଗରିବ ଦେଶରେ ପ୍ରତିଦିନ ଯେତିକି ପ୍ରଥମ ଡୋଜ୍ ଟିକା ଦିଆଯାଉଛି, ବିଶ୍ୱସ୍ତରରେ ତାଠୁ ୬ ଗୁଣ ଅଧିକ ବୁଷ୍ଟର୍ ଡୋଜ୍ ଦିଆଯାଉଛି। ତେଣୁ ଏହା ଏକ ସ୍କାଣ୍ଡାଲ୍ ଏବଂ ଏହା ଶୀଘ୍ର ବନ୍ଦ ହେବା ଦରକାର ବୋଲି ସେ ଜୋର୍ ଦେଇ କହିଛନ୍ତି।

ଗତ ଅଗଷ୍ଟରେ ଡବ୍ଲୁଏଚ୍ଓ ମହାନିର୍ଦ୍ଦେଶକ ଆଧାନମ୍ ବିଶ୍ୱସ୍ତରରେ ବୁଷ୍ଟର୍ ଡୋଜ୍ ଦେବା ଉପରେ ସାମୟିକ ରୋକ୍ ଲଗାଇଥିଲେ। ଏହା ଚଳିତ ବର୍ଷ ଶେଷ ଯାଏଁ ଲାଗୁ ହୋଇଥିଲା। ତେବେ ଏହି ପ୍ରତିବନ୍ଧକକୁ ବେଖାତିର କରି ଇସ୍ରାଏଲ୍, ଜର୍ମାନୀ, କାନାଡ଼ା ଓ ଆମେରିକା ଭଳି ଦେଶମାନେ ବୁଷ୍ଟର୍ ଡୋଜ୍ ଦେବା ଆରମ୍ଭ କରିସାରିଲେଣି। ବୁଷ୍ଟର୍ ଡୋଜ୍ ଦେବା ପାଇଁ ଟିକା ମହଜୁଦ କରିରଖିବା କାର୍ଯ୍ୟକଳାପକୁ କଡ଼ା ନିନ୍ଦା କରିଛନ୍ତି। ଆଧାନମ୍  କହିଛନ୍ତି, ଅଧିକାଂଶ ଜନସଂଖ୍ୟାକୁ ଟିକା ଦେଇସାରିଥିବା ଦେଶ ଆହୁରି ଅଧିକ ଟିକା ଗଚ୍ଛିତ କରି ରଖୁଛନ୍ତି, ଅଥଚ ଗରିବ ଦେଶ ପ୍ରଥମ ଡୋଜ୍ ପାଇବାକୁ ସଂଘର୍ଷ କରୁଛନ୍ତି। ଏଭଳି ଅସନ୍ତୁଳନ କେବଳ ଗରିବ ଦେଶ ନୁହେଁ, ବିକଶିତ ଦେଶଗୁଡ଼ିକ ପ୍ରତି ମଧ୍ୟ ବିପଦ ଆଣିପାରେ। ସାଧାରଣ ସୁସ୍ଥ ଲୋକଙ୍କୁ ବୁଷ୍ଟର୍ ଡୋଜ୍ ଦେଲେ ବି, ଯଦି କୌଣସି ବି କରୋନା ପ୍ରବଣ ଅଞ୍ଚଳରେ ଲୋକମାନେ ଆଦୌ ଟିକା ଦେଇନଥିବେ ତେବେ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ପୁଣି ଚାପ ବଢ଼ିପାରେ ବୋଲି ସେ ଆଶଙ୍କା କରିଛନ୍ତି।

Advertisment

ସତରେ କଣ ଏବେ ବୁଷ୍ଟର୍ ଡୋଜର ଆବଶ୍ୟକତା ନାହିଁ? ସାରା ବିଶ୍ୱକୁ ଆନ୍ଦୋଳିତ କରୁଛି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। କାରଣ ଚୀନ୍, ବ୍ରିଟେନ୍, ରୁଷ, ଫ୍ରାନ୍ସ, ବ୍ରାଜିଲ ଓ ଜର୍ମାନୀରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଲାଣି। ବେଜିଂରେ ବିଭିନ୍ନ କଟକଣା ଲଗାଇଲେଣି ଜିନପିଙ୍ଗ ସରକାର। ଏବେ ବିଭିନ୍ନ ଦେଶ ବିଦେଶୀଙ୍କ ପାଇଁ ଯାତ୍ରା କଟକଣା ଧୀରେଧୀରେ ହଟାଉଥିବା ବେଳେ, ପୂରା ବିଶ୍ୱରେ ପୁଣି ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ତେବେ ଏଭଳି ସ୍ଥିତିରେ ଦେଶମାନେ ନିଜ ଲୋକଙ୍କ କଥା ଚିନ୍ତା କରି ବୁଷ୍ଟର୍ ଡୋଜ୍ ଦେବେ, ନା ପଛୁଆ ଦେଶ କଥା ଚିନ୍ତା କରି ଡବ୍ଲୁଏଚ୍ଓ କଥା ଶୁଣିବେ, ତାହା ବିରାଟ ଦ୍ୱନ୍ଦ୍ୱ ଉପୁଜାଇଛି।

COVID19 India WHO
Advertisment
Advertisment