• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ କେବଳ କେରଳରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିପାଇଁ ଏହାର ଆଖପାଖ ରାଜ୍ୟ ବି ଆତଙ୍କିତ । ହଠାତ୍ କେରଳରେ ଏତେ ମାତ୍ରାରେ ସଂକ୍ରମଣ ବଢ଼ିଲା କାହିଁକି ? କେହି କେହି ଏହାକୁ ତୃତୀୟ ଲହର ଆଖ୍ୟା ଦେଉଥିବା ବେଳେ ଅନେକ କହୁଛନ୍ତି ଏହା ଜନସାଧାରଣଙ୍କ ଅସାବଧାନତାର ପରିଣାମ ।

ତେବେ କେରଳରେ କରୋନା ସଂକ୍ରମଣ ବଢୁଥିବା ଯୋଗୁଁ କେନ୍ଦ୍ର ସରକାର ବି ଖପ୍ପା । ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଉନଥିବାରୁ ଏଭଳି ସ୍ଥିତି ଉପୁଜିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ଗୁରୁତ୍ୱ ସହ ନିଆଯାଉ ନାହିଁ ବୋଲି ସଂକ୍ରମଣ ବଢ଼ୁଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହଯାଇଛି । ଏବେ କେରଳରେ କରୋନା ସଂକ୍ରମଣରେ ରୋକ ଲଗାଇବାକୁ ହେଲେ ଲକ୍‌ଡାଉନ୍‌ ନିହାତି ଜରୁରି ବୋଲି କହିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ “ସ୍ମାର୍ଟ ଏବଂ ସ୍ଟାର୍ଟେଜିକ” ଲକଡାଉନର ନିହାତି ଆବଶ୍ୟକ ।

କେରଳରେ ବଢୁଥିବା ଏହି ସଂକ୍ରମଣ ଏବେ ସାରା ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି । ଦେଶର କରୋନା ପଜିଟିଭ ରିପୋର୍ଟ୍ ଅନୁଯାୟୀ କେରଳ ପ୍ରତିଦିନ ଶୀର୍ଷରେ ରହୁଛି । ରାଜ୍ୟର ୮୫ ପ୍ରତିଶତ ଲୋକ ବର୍ତ୍ତମାନ ହୋମ୍ କ୍ୱାରେଣ୍ଟାଇନରେ ରହୁଥିବା ବେଳେ ବଢୁଥିବା ସଂକ୍ରମଣ ପ୍ରତି ଉଚିତ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । କୋଭିଡ ନିୟମାବଳୀ ମାନୁନଥିବାରୁ ଦୈନନ୍ଦିନ ପଜିଟିଭ ସଂଖ୍ୟା ବଢୁଛି ବୋଲି ଅନୁମାନ କରାଯାଉଛି । ଏହାର ପ୍ରଭାବ ଏବେ ପଡୋଶୀ ରାଜ୍ୟ ଉପରେ ପଡ଼ୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

ମାଇକ୍ରୋ କଣ୍ଟେନମେଣ୍ଟ ଜୋନର ଗୁରୁତ୍ୱକୁ ଦର୍ଶାଇବା ସହ କେନ୍ଦ୍ର ସରକାର କେରଳକୁ କେବଳ ଜିଲ୍ଲା ସ୍ତର ନୁହେଁ ବରଂ ପଡୋଶୀ ରାଜ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ କହିଛନ୍ତି । ଘରେ ସୁସ୍ଥ ଥିବା ରୋଗୀମାନେ କୋଭିଡ ନିୟମକୁ ଠିକ୍ ଭାବରେ ପାଳନ ନକରୁଥିବାରୁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ହେଉଛି ବୋଲି କୁହାଯାଉଛି । ଉପକୂଳବର୍ତ୍ତୀ ରାଜ୍ୟ କେରଳ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳି ହୋଇଥିବାରୁ ତୁରନ୍ତ କଣ୍ଟେନମେଣ୍ଟ ଜୋନ ବ୍ୟବସ୍ଥା କରି କଠୋର ପଦକ୍ଷେପ ନେବାକୁ କୁହାଯାଉଛି । ଏହାସହ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

କେରଳର ସାପ୍ତାହିକ ପଜିଟିଭିଟି ହାର ୧୪ରୁ ୧୯ ପ୍ରତିଶତରେ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୦ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇସାରିଲେଣି । ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ୨୦ ହଜାର ଛୁଇଁ ସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ କେରଳରେ ୩୦ ହଜାରରୁ ଅଧିକ ପଜିଟିଭ ମାମଲା ଚିହ୍ନଟ ହୋଇଥିବା ବେଳେ ଦେଶର ମୋଟ୍‌ ପଜିଟିଭ ସଂଖ୍ୟା ୪୧,୯୬୫ ରହିଛି । ଏକ ମାସରୁ ଅଧିକ ସମୟ ଧରି ରାଜ୍ୟରେ ୧୦,୦୦୦ ରୁ ଅଧିକ ନୂତନ କେଶ ରିପୋର୍ଟ ହୋଇଥିବାରୁ ଏହାର ପ୍ରଭାବ ଅନ୍ୟ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳୁଛି । କର୍ଣ୍ଣାଟକ ସରକାର କେରଳରୁ ଆସୁଥିବା ଲୋକଙ୍କ ପାଇ ସାତ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ଘୋଷଣା କରିସାରିଛନ୍ତି ।