• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସଫଳ ଚାଷୀ ଜଗଦୀଶ

  • ଓଡ଼ିଶାରେ କଲେ ଫାଇଟର କୁକୁଡ଼ା ଚାଷ

  • ଗୋଟାକ କୁକୁଡ଼ାର ମୂଲ୍ୟ ୬ରୁ ୧୦ ହଜାର

  • ଶିକ୍ଷିତ ବେକାରୀଙ୍କ ପାଇଁ ସାଜିଛନ୍ତି ଉଦାହରଣ

ଆନନ୍ଦପୁର(ମୁନା ସିଂ) : ପେଶାରେ ଜଣେ ବେସରକାରୀ ସଂସ୍ଥାର କର୍ମଚାରୀ, ହେଲେ ନିଶା ଚାଷ ପ୍ରଣାଳୀରେ କିଛି ନୂଆ କରି ଦେଖାଇବା। ଇଣ୍ଟରନେଟରେ ଚାଷ ପାଇଁ ନୂଆ କୌଶଳ ଖୋଜୁ ଖୋଜୁ ଦେଖିଥିଲେ ତାମିଲନାଡୁର ଦାମୀ ଫାଇଟର କୁକୁଡ଼ା । ଫାଇଟର କୁକୁଡ଼ା ସମ୍ପର୍କରେ ଜାଣିବା ପରେ ବିଳମ୍ବ ନକରି ଆରମ୍ଭ କଲେ କୁକୁଡ଼ା ଚାଷ, ଯାହା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । କୁକୁଡ଼ା ଚାଷ ସହ ଛେଳି ଚାଷ କରି ସେ ଆଜି ଶିକ୍ଷିତ ବେକାରୀଙ୍କ ପାଇଁ ସାଜିଛନ୍ତି ଉଦାହରଣ।

ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଆଦିବାସୀ ଅଧ୍ୟୁଷିତ ଗାଁ ମାଣିଗିରି । ଗାଁର ଶେଷ ମୁଣ୍ଡରେ ଜଗଦୀଶ ବାସ୍କେଙ୍କ ଘର । ଜଗଦୀଶ ପେଶାରେ ଗୋଟିଏ ବେସରକାରୀ ସଂସ୍ଥାରେ କର୍ମଚାରୀ ଭାବେ କାମ କରୁଛନ୍ତି । ଆଉ ୫ବର୍ଷ ପରେ ସେ ଅବସର ଗ୍ରହଣ କରିବେ। ତେବେ ତା ପୂର୍ବରୁ ଇଣ୍ଟରନେଟ ଦେଖି ଆରମ୍ଭ କରିଛନ୍ତି ତାମିଲନାଡୁର ଫାଇଟର କୁକୁଡ଼ା ଚାଷ । ଫାଇଟର ବ୍ରିଡ଼ ସହିତ ହୋସଲି ଆଉ ଜଙ୍ଗଲୀ କୁକୁଡ଼ା ମଧ୍ୟ ଚାଷ କରୁଛନ୍ତି । ଏହି କୁକୁଡ଼ା ଗୋଟା ୬ ହଜାରରୁ ନେଇ ୧୦ହଜାର ଟଙ୍କା ବିକ୍ରି ହେଉଥିବା ବେଳେ ଝାରଖଣ୍ଡ ଓ ବିହାର ଆଦି ରାଜ୍ୟରୁ ଗରାଖ ଆସି ଏହାକୁ କିଣି ନେଇଥାନ୍ତି । କେବଳ କୁକୁଡ଼ା ନୁହଁ ୨୦ଟି ଛେଳିରୁ ଛେଳି ଚାଷ ଆରମ୍ଭ କରିଥିଲେ, ଯାହା ଏବେ ୫୦ ଛେଳିରେ ପହଞ୍ଚିଲାଣି । ପରିବା ଓ ଧାନ ଚାଷ ସହିତ ଏହି କୁକୁଡ଼ା ଓ ଛେଳି ଚାଷ କରି ସେ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ କିଛି ପରିବାରକୁ ରୋଜଗାର ମଧ୍ୟ ଦେଇପାରିଛନ୍ତି ।

ବର୍ତ୍ତମାନ ସମୟରେ କୋଭିଡ ନିୟମ କଡ଼ାକଡ଼ି ଥିବାରୁ ବାହାର ରାଜ୍ୟରୁ ଗରାଖ ଆସି ପାରି ନାହାନ୍ତି ଓ କୁକୁଡ଼ା ବେପାର କିଛିଟା ମାନ୍ଦାରେ ଚାଲିଛି । ତଥାପି ଜଗଦୀଶ ଭବିଷ୍ୟତରେ ଏହି ଚାଷକୁ ନେଇ ଅନେକ ସ୍ୱପ୍ନ ଦେଖିଛନ୍ତି । ଆଜି କାଲିର ଶିକ୍ଷିତ ବେକାରୀ ଯୁବକ ମାନେ ଏଇ ଭଳି କିଛି ନୂଆ ପଦ୍ଧତିରେ କିଛି କରିପାରିଲେ ବେକାରୀ ସମସ୍ୟାରେ ସୁଧାର ଆସିବା ସହିତ ସେମାନଙ୍କ ଭବିଷ୍ୟତ ଉଜ୍ଜଳମୟ ହୋଇପାରନ୍ତା । ଜଗଦୀଶ ନିଜର ପରିଶ୍ରମ ଓ ଅଧ୍ୟବସାୟ ଯୋଗୁଁ ଅନ୍ୟ ମାନଙ୍କ ନିମନ୍ତେ ଉଦାହରଣ ସାଜିଛନ୍ତି।