• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନବରଙ୍ଗପୁର(ନବଘନ ବିଷୋୟୀ) : ଦାଦନ ରୋକିବାକୁ ଇଂଜିନିୟରରୁ ଉଦ୍ୟୋଗୀ ସାଜିଲେ । ମହତ ଉଦ୍ଦେଶ୍ୟ ନେଇ ନାମିଦାମୀ ଷ୍ଟିଲ ପ୍ଲାଣ୍ଟ କମ୍ପାନିରେ ବାର୍ଷିକ ୨୨ ଲକ୍ଷ ଟଙ୍କାର ପ୍ୟାକେଜ ଛାଡ଼ିଦେଲେ । ମେକାନିକାଲ ଇଞ୍ଜିନିୟରିଂ ପାଠ ପଢି ଅନ୍ୟ ମାନଙ୍କ ପାଖରେ ଖଟିବା ଅପେକ୍ଷା ନିଜ ଗୋଡ଼ରେ ନିଜେ ଠିଆ ହୋଇ ଅନ୍ୟମାନଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ଗାଁକୁ ଫେରିଲେ ରଜନୀକାନ୍ତ ରଥ । ଆଉ ଗାଁକୁ ଫେରିବା ପରେ ଶିଳ୍ପବିହୀନ ନବରଙ୍ଗପୁର ଜିଲ୍ଲା ତଥା ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ଲୁହା କଣ୍ଟା ତିଆରି କାରଖାନା ପ୍ରତିଷ୍ଠା କରିଛନ୍ତି ।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡାଗ୍ରାମର ଅବସର ପ୍ରାପ୍ତ କ୍ଲର୍କ ବିପ୍ରଚରଣ ମିଶ୍ର ଓ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଅମିତା କୁମାରୀ ମହାପାତ୍ରଙ୍କ ପୁଅ ରଜନୀକାନ୍ତ ରଥ । ସ୍ୱାବଲମ୍ବୀ ହେବା ସହ ଜିଲ୍ଲାରେ ଦାଦନ ରୋକିବା ଲକ୍ଷ୍ୟ ତାଙ୍କୁ ଗାଁକୁ ଟାଣି ଆଣିଛି । ୧୯୯୭ ମସିହାରେ ଗୁଜୁରାଟର ବିଜୟା ପମ୍ପ କମ୍ପାନୀରେ ଇଂଜିନିୟର ଚାକିରୀ ଜୀବନ ଆରମ୍ଭ କରିଥିଲେ । ପ୍ରାୟ ୨୪ ବର୍ଷ ଓଡିଶା ବାହାରେ ବିଭିନ୍ନ କମ୍ପାନୀରେ ଚାକିରି କଲା ପରେ ଏବେ ସେ ଗାଁ ମୁହାଁ ହୋଇଛନ୍ତି । ନିଜ ଅଂଚଳର ଲୋକେ ପରିବାର ସଦସ୍ୟଙ୍କୁ ଛାଡି ଦାଦନ ଖଟିବାକୁ ଯାଇ ହଇରାଣ ହେଉଥିବା ସହ ଅପମାନିତ ହେଉଥିବା ତାଙ୍କୁ ସହ୍ୟ ହେଲାନି ।

ନବରଙ୍ଗପୁର ଜିଲ୍ଲାରେ ଏକ ଲୁହା କଣ୍ଟା କାରଖାନା ସ୍ଥାପନ କରି ୧୧ ଜଣ ବ୍ୟକ୍ତିଙ୍କୁ ରୋଜଗାର ଦେଇପାରିଛନ୍ତି । ରଜନୀକାନ୍ତ ‘ରୁଦ୍ର ଇଣ୍ଟରପ୍ରାଇଜେସ୍’ନାଁରେ ଲୁହାକଣ୍ଟା ଉଦ୍ୟୋଗ ପ୍ରତିଷ୍ଠା କରିଛନ୍ତି  । ପ୍ରତିଦିନ ୧୨୦୦ କିଲୋ ଲୁହାକଣ୍ଟା ଉତ୍ପାଦନ କରୁଥିବା ବେଳେ ଆଗକୁ ପ୍ରତିଦିନ ଏକ ଟନ ଲୁହାକଣ୍ଟା କରିବାକୁ ଲକ୍ଷ୍ୟ ରଖିଛନ୍ତି । ତାଙ୍କ କାରଖାନାରୁ ବର୍ତ୍ତମାନ ଏକ ଇଞ୍ଚରୁ ୫ ଇଞ୍ଚ ପର୍ଯ୍ୟନ୍ତ ଲୁହାକଣ୍ଟା ଉତ୍ପାଦନ କରୁଛନ୍ତି । ଗତ ଜୁନ ମାସରୁ ସେ ତାଙ୍କ କାରଖାନା ଆରମ୍ଭ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ସେ ସ୍ଥାନୀୟ ୧୧ ଜଣଙ୍କୁ ନିଯୁକ୍ତି ଦେଇଥିବା ବେଳେ ବିହାର ରାଜ୍ୟ ଜଣେ ଅପରେଟରଙ୍କୁ ଆଣି ସ୍ଥାନୀୟ ଲୋକଙ୍କୁ ଟ୍ରେନିଙ୍ଗ ଦେଉଛନ୍ତି । ଆଗାମୀ ଦିନରେ ଉତ୍ପାଦର ମାର୍କେଟିଂ ଲାଗି ଅଧିକ ଯୁବକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି । ବଜାରର ଚାହିଦା ବଢିଲେ ଉତ୍ପାଦନ ବଢିବ ଏବଂ ଲାଭଂଶ ପରିମାଣ ବୃଦ୍ଧିପାଇବ ବୋଲି କହିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମଥର ପାଇଁ ଲୁହାକଣ୍ଟା ଉଦ୍ୟୋଗ ପ୍ରତିଷ୍ଠା ହୋଇ ଥିବାରୁ କମ ମୂଲ୍ୟରେ ହୋଲସେଲରଙ୍କୁ ଯୋଗାଇ ଦିଆଯିବ ।

ସେହିପରି ବର୍ତ୍ତମାନ ଆଖପାଖ ଜିଲ୍ଲାର ଦୋକାନୀମାନେ ଲୁହାକଣ୍ଟା ପାଇଁ ଛତିଶଗଡ ଉପରେ ନିର୍ଭର କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଉତ୍ପାଦିତ ହେଲେ ଖାଉଟି କମ ମୂଲ୍ୟରେ ସମସ୍ତ ସାମଗ୍ରୀ ପାଇପାରିବେ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏଥିସହ ଆଗକୁ ଅନ୍ୟ ପ୍ରକଳ୍ପ ଗୁଡିକ ସ୍ଥାପନ କରି ନିଜେ ଲାଭବାନ ହେବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇ ଦାଦନ ଯିବା ରୋକି ପାରିବାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି ।

ତେବେ ଲୁହାକଣ୍ଟା ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଜିଲ୍ଲା ଶିଳ୍ପକେନ୍ଦ୍ରର ବିଭାଗ ପକ୍ଷରୁ ସବସିଡିରେ ପ୍ରଦାନ କରାଯାଇଛି । ଶିଳ୍ପବିକାଶ ଅଧିକାରୀ ଜୟନ୍ତ କୁମାର ନାୟକ କହିଛନ୍ତି ଆଗାମୀ ଦିନରେ ଉଦ୍ୟୋଗକୁ ଚିରସ୍ଥାୟୀ କରିବା ଏବଂ ଏହାର ସୁପରିଚାଳନା ପାଇଁ ଉଦ୍ୟୋଗୀଙ୍କ ଉତ୍ପାଦର ବଜାରୀକରଣ ପାଇ ଜିଲ୍ଲାପ୍ରଶାସନ ପକ୍ଷରୁ ଉଦ୍ୟମ କରାଯିବ l