ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ଦୃଶ୍ୟପଟ୍ଟରେ ଘଟିବକି ପରିବର୍ତ୍ତନ? ମତାନ୍ତର-ମନାନ୍ତର ଭୁଲି ପୁଣି ହାତ ମିଳାଇବେ କି ବିଜେପି-ଶିବସେନା? ଯଦି ଦୁଇ ପୁରୁଣା ସହଯୋଗୀ ପାଦରେ ପାଦ ମିଳାଇ ଚାଲିବାକୁ ନିଷ୍ପତ୍ତି ନିଅନ୍ତି ତେବେ କଣ ହେବ ସମୀକରଣ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୈଠକ ପରେ ଜୋର ଧରିଛି କଳ୍ପନାଜଳ୍ପନା। ଆଉ ନିଆଁକୁ ହାଓ୍ୱା ଦେଇଛି ଶିବସେନାର ଟାଣୁଆ ନେତା ସଂଜୟ ରାଉତଙ୍କ ମନ୍ତବ୍ୟ। ଶିବସେନା-ବିଜେପି, ଇଣ୍ଡିଆ-ପାକିସ୍ତାନ ନୁହଁନ୍ତି ବୋଲି ସଂଜୟ କହିବା ମହାରାଷ୍ଟ୍ରରେ ଆସନ୍ନ ପରିବର୍ତ୍ତନ ଆଡକୁ ଇଙ୍ଗିତ କରୁଛି।
ଜୁନ୍ ୮ରେ ମୋଦି-ଉଦ୍ଧବ ବୈଠକ ପରେ ପରେ ଶିବସେନା ନେତା ସଂଜୟ ରାଉତ ଓ ବିଜେପି ନେତା ଆଶିଷ ସେଲାର ଭେଟଘାଟ ଉଭୟ ବୈଠକକୁ ନେଇ ମହାରାଷ୍ଟ୍ର ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା କୁହାଯାଉଛି। ମତାନ୍ତର ଭୁଲି ପୁଣି ହାତମିଳାଇବାକୁ ଯାଉଛନ୍ତି ଦୁଇ ପୁରୁଣା ସହଯୋଗୀ। ତେଣେ ବିଜେପି-ଶିବସେନା ଭାରତ ପାକିସ୍ତାନ ନୁହଁନ୍ତି ବୋଲି ସଂଜୟ ରାଉତ କହିବା ସହ, ଅଭିନେତା ଆମୀର ଖାନ ଓ ପତ୍ନୀ କିରଣ ରାଓଙ୍କ ସଂପର୍କକୁ ନେଇ ରୋଚକ ମନ୍ତବ୍ୟ ଦେଇଛନ୍ତି। ଆମୀର ଓ କିରଣ ଛାଡ଼ପତ୍ର ଦେବାକୁ ଘୋଷଣା କରିଥିଲେ ମଧ୍ୟ ସେମାନେ ପରସ୍ପରର ବନ୍ଧୁ ହୋଇ ରହିବେ ବୋଲି କହିଛନ୍ତି। ସଞ୍ଜୟଙ୍କ ଏଭଳି ତୁଳନାତ୍ମକ ଉଦାହରଣ ବିଜେପି ଓ ଶିବସେନା ସଂପର୍କକୁ ନେଇ ଅନେକ କିଛି କହୁଥିବା ରାଜନୈତିକ ବିଶ୍ଳେଷକ ମତ ଦେଇଛନ୍ତି।
ଏଣେ ଯଦି ଶିବସେନା-ବିଜେପି ମଧ୍ୟରେ ବୁଝାମଣା ହୋଇଯାଏ, ତେବେ କଣ ହେବ ପାଓ୍ୱାର ସେୟାରିଂ ଫର୍ମୁଲା? କୁହାଯାଉଛି ଉଦ୍ଧବ ହିଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ବିଜେପିରୁ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହେବେ। ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫର୍ଣ୍ଣାଭିସ୍ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗ ଦେବେ। ସେହିପରି ଶିବସେନା ମଧ୍ୟ କ୍ୟାବିନେଟରେ ସାମିଲ ହେବ। ସେ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ କ୍ୟାବିନେଟ୍ ସଂପ୍ରସାରଣରେ ବିଳମ୍ବ କରୁଥିବା ଚର୍ଚ୍ଚା ଜୋର ଧରିଛି। ତେବେ ମହାରାଷ୍ଟ୍ର ବିଜେପି ନେତାମାନେ ଏଭଳି ସମ୍ଭାବନା ଏଡ଼ାଇ ଦେଇଛନ୍ତି।
ବିଜେପିର ଶିବସେନାଠାରୁ ଦୁଇ ଗୁଣାରୁ ଅଧିକ ବିଧାୟକ ଥିବାରୁ ଦଳ ମୁଖ୍ୟମନ୍ତ୍ରୀ ପଦ ଛାଡିବ ନାହିଁ ବୋଲି ନେତାଏ ସ୍ପଷ୍ଟ କରି ଦେଇଛନ୍ତି। ଖୋଦ୍ ଦେବେନ୍ଦ୍ର ଫର୍ଣ୍ଣାଭିସ୍ ମଧ୍ୟ ଏଭଳି ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ତେବେ ଦଳ ଯାହା ନିଷ୍ପତ୍ତି ନେବେ ସେଥିରେ ସେ ଏକମତ ବୋଲି କହିଛନ୍ତି ଫର୍ଣ୍ଣାଭିସ୍। ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଅସୁଲି ଗେଟ୍ ହେଉ, କି ମନ୍ତ୍ରିମଣ୍ଡଳରେ ସାମିଲ ଅନ୍ୟ ଏନସିପି ନେତାଙ୍କ ଦୁର୍ନୀତି ପ୍ରସଙ୍ଗ ସ୍ୱଚ୍ଛନ୍ଦରେ କାମ କରିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏଣେ ଏନସିପି ମୁଖିଆ ଶରଦ୍ ପାଓ୍ୱାର ବି କେନ୍ଦ୍ରରେ ଏନଡ଼ିଏ ବିରୋଧୀ ମେଣ୍ଟ ଗଠନର ପୁରୋଧା ସାଜିଛନ୍ତି। ତାସାଙ୍ଗକୁ ଆସନ୍ତାବର୍ଷ ବର୍ଷ ଆରମ୍ଭରେ ହେବ ମୁମ୍ବାଇ ଓ ଥାନେ ପୌର ନିର୍ବାଚନ। ବିଜେପି ସହ ମେଣ୍ଟ ନକଲେ ଶିବସେନାକୁ ସିଧାସଳଖ ନିଜ ପୁରୁଣା ସହଯୋଗୀର ସାମ୍ନା କରିବାକୁ ପଡିବ। ତେଣୁ ଶିବସେନା ପୁଣି ଏନଡ଼ିଏ ପରିବାରକୁ ଫେରିବା ଲାଗି ଉତ୍ସୁକ ଥିବା କୁହାଯାଉଛି।