ଆମେ ପ୍ରାୟତଃ ଏପରି ଲୋକଙ୍କୁ ଭେଟିଥାଉ, ଯେଉଁମାନେ ବାପାଙ୍କ ମୃତ୍ୟୁ ପରେ ପଶ୍ଚାତାପ କରନ୍ତି। ସେମାନେ ନିଜକୁ ନିଜେ କୁହନ୍ତି ମୁଁ ମୋର ସମସ୍ୟା ପାଇଁ ସବୁବେଳେ ବାପାଙ୍କୁ ଦାୟୀ କରୁଥିଲି, କିନ୍ତୁ ମୋର ଉତ୍ତମ ପ୍ରତିପୋଷଣ ପାଇଁ ମୁଁ ତାଙ୍କୁ କେବେ ବି ଧନ୍ୟବାଦ ଦେଇପାରି ନାହିଁ। ତେଣୁ ଶିକ୍ଷା, ସମର୍ଥନ ଏବଂ ପ୍ରେମ ପାଇଁ ମଝିରେ ମଝିରେ ବାପାଙ୍କୁ ‘ଧନ୍ୟବାଦ’ ଦେବାକୁ ଭୁଲନ୍ତୁ ନାହିଁ।
ଯଦି ଜୀବନରେ କୌଣସି କାରଣରୁ ଆପଣ ଦୁହିଁଙ୍କ ମଧ୍ୟରେ ମତଭେଦ କିମ୍ବା ରାଗରୁଷା ହୋଇଥାଏ, ତେବେ ଏହାକୁ ସ୍ପଷ୍ଟ କରନ୍ତୁ ଏବଂ କ୍ଷମା ମାଗନ୍ତୁ। ଏହା ଜରୁରୀ ନୁହେଁ ଯେ ଆପଣ ତାଙ୍କୁ ସବୁକିଛି ଖୋଲାଖୋଲି ଭାବରେ କହିବେ, କିନ୍ତୁ ଆପଣଙ୍କ ମନରେ ଯାହା ଅଛି, ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବା ଜରୁରୀ। ଆପଣ ଏମିତି କହିପାରିବେ ଯେ ସରୀ ବାପା, ଆମ ଭିତରେ କିଛି ମତଭେଦ ଥିଲା। ଆପଣ ମୋତେ କ୍ଷମା କରିଦିଅନ୍ତୁ।
ବାପା ଦେଇଥିବା ସଂସ୍କାର ଏବଂ ଜୀବନର ମୂଲ୍ୟକୁ ନେଇ କଥାବାର୍ତ୍ତା କରନ୍ତୁ ଏବଂ ସେମାନେ ଶିଖାଇଥିବା କଥାଗୁଡ଼ିକ କେତେ ଗୁରୁତ୍ୱପୂର୍ଣ୍ଣ ତାହା କୁହନ୍ତୁ। ସେମାନେ ଶିଖାଇଥିବା ଜିନିଷଗୁଡ଼ିକ ଆପଣଙ୍କ ପାଇଁ କେତେ ଉପଯୋଗୀ ହୋଇପାରୁଛି ତାହା ମଧ୍ୟ କୁହନ୍ତୁ।
ମା’ଙ୍କ ସହିତ ବାପାଙ୍କ ପ୍ରତି ମଧ୍ୟ ପ୍ରେମ ଏବଂ ସମ୍ମାନକୁ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତୁ। ସେ ଆପଣଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ଆପଣ ତାଙ୍କୁ କେତେ ପସନ୍ଦ କରନ୍ତି ତାହା ସ୍ପଷ୍ଟ ଭାବେ କୁହନ୍ତୁ।
ଆପଣ ତାଙ୍କଠାରୁ କ’ଣ ଶିଖିଛନ୍ତି ଏବଂ ସେମାନଙ୍କର ଅନୁଭୂତି ଆପଣଙ୍କ ଜୀବନକୁ କିପରି ବଦଳାଇଛି ତାହା ସେମାନଙ୍କୁ କୁହନ୍ତୁ। ଏହା ଦ୍ୱାରା ସେମାନେ ଜାଣିବେ ଯେ ସେମାନଙ୍କର କଠିନ ପରିଶ୍ରମ ଫଳ ଦେଇଛି। ଉଦାହରଣ ସ୍ୱରୂପ, ତାଙ୍କୁ କୁହନ୍ତୁ ଯେ ଆପଣଙ୍କ ଅଭିଜ୍ଞତା ଏବଂ ପରାମର୍ଶ ମୋ ଜୀବନର ଦିଗ ବଦଳାଇ ଦେଇଛି ଏବଂ ଆପଣଙ୍କ ବିଚାରକୁ ସବୁବେଳେ ମୋ ନିଷ୍ପତ୍ତିରେ ସାମିଲ୍ କରିବି।