ତୁଳସୀ ଏକ ଔଷଧୀୟ ବୃକ୍ଷ। ଏହା ପ୍ରାୟ ସମସ୍ତଙ୍କ ଘରେ ଥାଏ। ହିନ୍ଦୁମାନେ ଏହାକୁ ଦେବତା ଭାବେ ପୂଜା କରନ୍ତି। ଏହା ଔଷଧୀୟ ଗୁଣରେ ଭରପୂର।
ତୁଳସୀ ଗଛ ହିନ୍ଦୁଧର୍ମ ଓ ଭାରତୀୟ ଆୟୁର୍ବେଦରେ ବହୁତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିଥାଏ। ଘରେ ଓ ଆଖପାଖରେ ଏହା ସକାରାତ୍ମକ ପରିବେଶ ସୃଷ୍ଟି କରିଥାଏ।
କିନ୍ତୁ ଶାସ୍ତ୍ର କହୁଛି, ତୁଳସୀ ଗଛ ଯଦି ଆପଣ ଘରେ ଲଗାଇବାକୁ ଚାହୁଁଛନ୍ତି, ତେବେ କିଛି ନିର୍ଦ୍ଦିଷ୍ଟ ନିୟମ ବିଧି ଅନୁସାରେ ତାକୁ ରଖିବା ଜରୁରୀ। ନଜର ପକାନ୍ତୁ ଏହି ବିଧି ଉପରେ।
ଉପଯୁକ୍ତ ସ୍ଥାନ: ବାସ୍ତୁଶାସ୍ତ୍ର ଅନୁୟାୟୀ, ଘରର ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ଉଚିତ ବା ସ୍ଥାନିତ କରିବା ଉଚିତ। ଏହା ଘରର ସମସ୍ତ ନକାରାତ୍ମକ ଶକ୍ତିକୁ ନଷ୍ଟ କରିଦିଏ।
ଉପଯୁକ୍ତ ଯତ୍ନ: ତୁଳସୀ ଗଛ ଲଗାଇଥିଲେ ଏହାର ଉପଯୁକ୍ତ ଯତ୍ନ ନିଆଯିବା ଉଚିତ। ଦୈନିକ ପାଣି ଦେବା ସହିତ ପୂଜା କରାଯିବା ଉଚିତ।
ସଫାସୁତରା: ତୁଳସୀ ଗଛ ଲଗାଇଥିବା ସ୍ଥାନର ଆଖପାଖକୁ ସଫା ରଖନ୍ତୁ। ଅଳିଆ ଆବର୍ଜନା ଯେପରି ନଜମେ ଦେଖିବା ସହିତ ଅନାବନା ଗଛକୁ ଉପାଡ଼ି ଜାଗାଟି ସଫା କରିଦିଅନ୍ତୁ।
ତଳେ ପୋତନ୍ତୁ ନାହିଁ: ତୁଳସୀ ଗଛକୁ ତଳେ କେବଳ ଭୂଇଁରେ ପୋତନ୍ତୁ ନାହିଁ। ଏହା ବାସ୍ତୁ ଅନୁଯାୟୀ ଠିକ୍ ନୁହେଁ। ବରଂ କୌଣସି ଏକ କୁଣ୍ଡରେ ଲଗାଇ ଟିକେ ଉଚ୍ଚ ସ୍ଥାନରେ ରଖନ୍ତୁ।
ସୂର୍ଯ୍ୟ କିରଣ: ତୁଳସୀ ଗଛଟି ଯେଉଁଠି ଲଗାଇଛନ୍ତି ସେଠିକୁ ଅଧିକ ଖରା ଓ ଆଲୁଅ ଆସିବା ଉଚିତ। ଛାଇ ତଳେ ଏହାକୁ ରଖନ୍ତୁ ନାହିଁ। ବାସ୍ତୁ କହୁଛି, ଏହାଦ୍ୱାରା ଗଛଟି ବଢ଼େ ନାହିଁ, ଆମର ବିକାଶ ମଧ୍ୟ ହୁଏନାହିଁ।
ଗଛର ସଂଖ୍ୟା: ଆପଣ କେତୋଟି ତୁଳସୀ ଗଛ ଲଗାଇ ପାରିବେ କିମ୍ବା ରଖିପାରିବେ ତାହା ମଧ୍ୟ ବାସ୍ତୁରେ ନିର୍ଦ୍ଦେଶ ରହିଛି। ବାସ୍ତୁ କହୁଛି, ଆପଣ ଅଧିକ ଗଛ ରଖିପାରିବେ, କିନ୍ତୁ ସଂଖ୍ୟାଟି ବିଯୋଡ଼ ହେବା ଉଚିତ।
ଉପଯୁକ୍ତ ସମୟ: ତୁଳସୀ ଗଛ ଘରକୁ ଆଣିବାର ଉପଯୁକ୍ତ ସମୟ ହେଉଛି, କାର୍ତ୍ତିକ ମାସର ଶୁକ୍ଳପକ୍ଷ। ନହେଲେ ଏହି ମାସର କୌଣସି ଗୁରୁବାର ହେଲେ ଚଳିବ।