ବ୍ରହ୍ମପୁର:କୂଳ ଲଂଘୁଛି ସମୁଦ୍ର। ଆଉ ତା ଆଁ ଭିତରେ ପଶି ଯାଉଛି ଗଂଜାମର ପୋଡମପେଟା ଗାଁ । ଗାଁର ଅନେକ ଅଞ୍ଚଳ ଧିରେ ଧିରେ ସମୁଦ୍ର ଗର୍ଭରେ ଲୀନ ହୋଇଗଲାଣି। ତଥାପି କିଛି ଲୋକ ଭିଟାମାଟି ଛାଡ଼ି ଯାଇ ପାରୁନାହାନ୍ତି । କୁଆଡେ ବା ଯିବେ !
ବଙ୍ଗୀୟ ଉପକୂଳରେ ବିଭିନ୍ନ ସମୟରେ ଆସୁଥିବା ବାତ୍ୟା ପ୍ରଭାବରେ ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି ଏହି ପୋଡମପେଟା ଗାଁ। ଏଠାକାର ଲୋକଙ୍କୁ ଥଇଥାନ କରିବାକୁ ଓଡ଼ିଶା ଡିଜାଷ୍ଟର ରିଲିଫ୍ ପ୍ୟାକେଜ୍ ଜରିଆରେ ନୂତନ ପୋଡ଼ମପେଟା ଗାଁ ବସାଯାଇଛି।
ନୂଆ ଗାଁରେ ଗ୍ରାମବାସୀଙ୍କୁ ପକ୍କା ଘର ମିଳିବ ବୋଲି କୁହାଯାଇଥିଲା। ହେଲେ ସମସ୍ତଙ୍କୁ ଘର ମିଳିନି। ତେଣୁ ପୁରୁଣା ବାସସ୍ଥାନ ଛାଡ଼ି ଅନେକ ଗ୍ରାମବାସୀ ନୂଆସ୍ଥାନକୁ ଯାଇ ପାରୁ ନାହାନ୍ତି। ଗଲେ ବି ପର ଘରେ କେତେ ଦିନ ଆଶ୍ରୟ ନେବେ ? ନିଜ ପାଖରେ ବି ସେତିକି ସମ୍ବଳ ନାହିଁ, ଘର ଖଣ୍ଡିଏ କରିପାରିବେ। ତେଣୁ ପୁରୁଣା ଗାଁରେ ଭଙ୍ଗା ଦଦରା ଘରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ୫୦ରୁ ଅଧିକ ପରିବାର ।
ଗାଁ ଲୋକଙ୍କ କହିବା ଅନୁଯାୟୀ, ଫାଇଲିନ୍ ଓ ତିତଲି ବାତ୍ୟାରେ ଛାରଖାର ହୋଇଯାଇଥିଲା ଏହି ପୋଡ଼ମପେଟା ଗାଁ। ସମୁଦ୍ର ପାଣି ଆସି ଗାଁର ଅନେକ ଘରକୁ ନିଜ ଗର୍ଭକୁ ଟାଣି ନେଇଥିଲା। ଏବେ ବି ସେ ଦିନ ମନେ ପଡିଗଲେ ଲୋକେ ଭୟରେ ଶିହରୀ ଉଠୁଛନ୍ତି। ତଥାପି ସେଇ ଗାଁରେ ପଡ଼ି ରହିଛନ୍ତି।
ଗାଁ ଲୋକଙ୍କ ଅଭିଯୋଗ, ପକ୍କା ଘର ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ। ହେଲେ କିଛି ସୁଫଳ ମିଳିନି।
ଅନ୍ୟପଟେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ପକ୍କା ଘର ଦିଆଯିବା ନେଇ ସମୀକ୍ଷା ଚାଲିଛି। ଯେଉଁମାନେ ଯୋଜନାରୁ ବାଦ ପଡିଛନ୍ତି ତଦନ୍ତ କରାଯାଇ ଖୁବଶୀଘ୍ର ପକ୍କାଘର ପ୍ରଦାନ କରାଯିବ।