ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜିଠାରୁ ବନ୍ଦ ରହିବ ଆନ୍ତଃରାଜ୍ୟ ବସ୍ ଚଳାଚଳ । ଫଳରେ ଅନ୍ୟ ରାଜ୍ୟକୁ ଯାଆସ କରୁଥିବା ସମସ୍ତ ବସ୍ ସେବା ବନ୍ଦ ରହିବ । ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ ମୁତାବକ ଆନ୍ତଃରାଜ୍ୟ ବସ୍ ସେବାକୁ ବନ୍ଦ କରାଯାଇଛି । ହେଲେ ରାଜ୍ୟ ଭିତରେ ପୂର୍ବ ଭଳି ବସ୍ ଚାଲୁ ରହିିବ । କରୋନା କଟକଣା କଡ଼ାକଡ଼ି ପାଳନ କରାଯିବା ସହ ଯାତ୍ରୀମାନେ କେବଳ ସିଟିଂରେ ହିଁ ଯାଇପାରିବେ । ଅଟୋ, ଟ୍ୟାକ୍ସିରେ କେବଳ ୨ ଜଣ ଯାତ୍ରୀ ଯିବାକୁ ଅନୁମତି ରହିଛି । ତେବେ ରାଜ୍ୟ ଭିତରେ ବା ବାହରୁ ପରିବହନ ଯାନ ଉପରେ କୌଣସି କଟକଣା ଲାଗୁ ହୋଇନାହିଁ ।
କରୋନା ସଂକ୍ରମଣରେ ବ୍ରେକ୍ ପାଇଁ ପଦକ୍ଷେପ। ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ। #Bus #Odisha pic.twitter.com/RmRi9CFXXL
— ଓଟିଭି (@otvkhabar) April 19, 2021
ସେହିଭଳି ଅଜିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ୍ ମଧ୍ୟ ବନ୍ଦ ହେଉଛି । ବିଦ୍ୟାଳୟଗୁଡିକରେ କୌଣସି ପ୍ରକାର ଶୈକ୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବନାହିଁ । ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ ପରେ, ଘର ମୁହାଁ ହୋଇଛନ୍ତି ରାଜଧାନୀରେ ରହି ପାଠ ପଢ଼ୁଥିବା ଛାତ୍ରଛାତ୍ରୀ । ନିଜ ନିଜ ଘରକୁ ବାହୁଡ଼ିବା ବେଳେ, ଭୁବନେଶ୍ୱର ରେଳ ଷ୍ଟେସନ ଓ ବରମୁଣ୍ଡା ବସଷ୍ଟାଣ୍ଡରେ ସେମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ବ୍ୟାଗପତ୍ର ଧରି ସେମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବାକୁ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି ।
ସେହିପରି ଏପ୍ରିଲ ୧୯ ତଥା ଆଜି ଠାରୁ ଦଶମ, ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ୍ ବନ୍ଦ ରଖିବ । ରାଜ୍ୟ ସହ ଅନୁବନ୍ଧିତ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ସ୍କୁଲ୍ର କ୍ଲାସ୍ ବନ୍ଦ ରହିବା ସହ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଓ ହଷ୍ଟେଲ ମଧ୍ୟ ବନ୍ଦ ରହିବ। ଏନେଇ ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭାଗ ଗାଇଡ୍ଲାଇନ୍ ଜାରି କରି ସାରିଛି । ଆଜି ଠାରୁ କ୍ଲାସ ବନ୍ଦ ହେଉଥିବାରୁ ଆଉ ସ୍କୁଲକୁ ଛାତ୍ରଛାତ୍ରୀ ଆସିବେ ନାହିଁ । ତେବେ କ୍ଲାସ ବନ୍ଦ ସମୟରେ ସ୍କୁଲକୁ ଶିକ୍ଷକମାନେ ଆସିବେ ନା ନାହିଁ ସେ ସମ୍ପର୍କରେ ବିଭାଗ କିଛି ସ୍ପଷ୍ଟ କରିନାହିଁ। । ମହାମାରୀ ସ୍ଥିତିରେ ଉନ୍ନତି ଆସିଲେ ପରୀକ୍ଷା ନେଇ ପରେ ନିଷ୍ପତ୍ତି ହେବ ବୋଲି କୁହାଯାଇଛି । ଜୁନ୍ ପ୍ରଥମ ସପ୍ତାହରେ ପରୀକ୍ଷା ସମ୍ପର୍କରେ ସମୀକ୍ଷା ହେବ। ନବମ ଓ ଏକାଦଶ ପିଲା ସିଧା ଦଶମ ଓ ଦ୍ୱାଦଶକୁ ଉତ୍ତୀର୍ଣ୍ଣ ହେବେ। ଅନ୍ୟପଟେ ୨୦୨୧-୨୨ ଶିକ୍ଷାବର୍ଷ ସମ୍ପର୍କରେ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ ।